ସାକ୍ଷୀଗୋପାଳ : ସାକ୍ଷୀଗୋପାଳ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ଅଧୀନରେ 4 ଗୋଟି ବିଦ୍ୟୁତ ସେକ୍ସନ ରହିଅଛି l ସାକ୍ଷୀଗୋପାଳ ୧, ସାକ୍ଷୀଗୋପାଳ ୨, ଚନ୍ଦନ ପୁର ଓ ସାତଶଂଖ l ଏହି ଚାରି ଗୋଟି ସେକ୍ସନରେ 60 ହଜାରରୁ ଉର୍ଦ୍ଧ୍ୱ ଘରୋଇ ବିଦ୍ୟୁତ ଉପଭୋକ୍ତା,12 ଗୋଟି ଡାକ୍ତରଖାନା, ବିଭିନ୍ନ କଳ କାରଖାନା, ପ୍ରାଣୀ ଚିକିତ୍ସାଳୟ, ଆୟୁର୍ବେଦିକ ଡାକ୍ତରଖାନା, ପେଟ୍ରୋଲ ପମ୍ପ ଓ ହୋମିଓପ୍ୟାଥିକ ଚିକିତ୍ସାଳୟ ସମେତ ଅନ୍ୟାନ୍ୟ ବିଭିନ୍ନ ଅନୁଷ୍ଠାନ ରହିଅଛି l
ଏହି ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ତରଫରୁ ଦୀର୍ଘ ଦିନ ହେଲାଣି ନିୟମିତ ଦୈନିକ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ଏକ ସାଧାରଣ ଘଟଣାରେ ପରିଣତ ହୋଇଅଛି l ଏହି ଘଟଣାରେ ସ୍ଥାନୀୟ ଜନସାଧାରଣ ଅତିଷ୍ଠ ହୋଇ ପଡିଲେଣି l
ଗତ ସ୍ୱାଧୀନତା ଦିବସ ରାତ୍ରୀ ସାଢେ 10ଟା ସମୟରେ ହଠାତ ବିଦ୍ୟୁତ କାଟ ହୋଇଗଲା l ରାତ୍ରୀ 12 ଟା ପର୍ଯ୍ୟନ୍ତ ବିଦ୍ୟୁତ ଆସିଲା ନାହିଁ l ବିଦ୍ୟୁତ କାଟ ଯୋଗୁ ଘରେ ଶୋଇ ପାରୁ ନ ଥିବା ସ୍ଥାନୀୟ ଜନସାଧାରଣ ବିଦ୍ୟୁତ କାଟ ସମ୍ପର୍କରେ ଜାଣିବା ନିମନ୍ତେ ସାକ୍ଷୀଗୋପାଳ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟକୁ ଆସିଥିଲେ l କାର୍ଯ୍ୟାଳୟରେ କୌଣସି ଅଧିକାରୀ ଉପସ୍ଥିତ ନ ଥିଲେ l ମୋବାଇଲ ଯୋଗେ ଅଧିକାରୀମାନଙ୍କ ସହିତ ମଧ୍ୟ ଯୋଗାଯୋଗ ହୋଇ ପାରିଲା ନାହିଁ l ଉପସ୍ଥିତ ଜନସାଧାରଣ ସମସ୍ୟାର ସମାଧାନ ଓ ଅଧିକାରୀଙ୍କ ଉପସ୍ଥିତି ଦାବୀ କରି ସାକ୍ଷୀଗୋପାଳ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ପୁରୀ ଭୁବନେଶ୍ୱର 316 ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ l ଖବର ପାଇ ସତ୍ୟବାଦୀ ଥାନା ଆଇ ଆଇ ସି ଉମେଶ ଚନ୍ଦ୍ର ସାହୁ ଘଟଣା ସ୍ଥଳରେ ପହଞ୍ଚିଥିଲେ l ଆନ୍ଦୋଳନକାରୀ ମାନଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ ନିମନ୍ତେ ପ୍ରତିଶୃତି ପ୍ରଦାନ କରିଥିଲେ l ରାତି ୨ ଟା ସମୟରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା l ସତ୍ୟବାଦୀ ଥାନା ପରିସରରେ ସତ୍ୟବାଦୀ ଆଇ ଆଇ ସି ଶ୍ରୀଯୁକ୍ତ ସାହୁ ବିଦ୍ୟୁତ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଯୋଗାଯୋଗ ଉଦ୍ୟମ କରିଥିଲେ l ମାତ୍ର ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିଲା l
ସ୍ଥାନୀୟ ବିଶ୍ୱନାଥ ପୁର ସରପଞ୍ଚ ଏହି ଅବ୍ୟବସ୍ଥା ନିମନ୍ତେ ଦାୟୀ କରି ସାକ୍ଷୀଗୋପାଳ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ଏସ ଡି ଓ ଓ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ସତ୍ୟବାଦୀ ଥାନାରେ ଏକ ଏତଲା ଦେଇଥିଲେ l
ଏ ସମ୍ପର୍କରେ ବିଦ୍ୟୁତ ବିଭାଗ ଏସ ଡି ଓ ଙ୍କ ସହିତ ଯୋଗାଯୋଗ କରା ଯାଇଥିଲା, ଏସ ଡି ଓ କହିଥିଲେ, ପୁରୀ ସିଦ୍ଧ ମହାବୀର ମନ୍ଦିର ନିକଟରେ କେବୁଲ କଟି ଯାଇଥିଲା l ଫଳରେ ଏହି ସମସ୍ୟା ସୃଷ୍ଟି ହୋଇଥିଲା l
ଏଠାରେ ପ୍ରକାଶ ଥାଉ କି, ଅତୀତରେ ବିଦ୍ୟୁତ ସମସ୍ୟାକୁ ନେଇ ବହୁଥର ଆନ୍ଦୋଳନ ଓ ରାଜପଥ ଅବରୋଧ ହୋଇଥିଲା l ବିଦ୍ୟୁତ ବିଭାଗ ତରଫରୁ ବିଦ୍ୟୁତ କାଟ ସମସ୍ୟାର ସମାଧାନ କରିବା ବଦଳରେ ଆନ୍ଦୋଳନକାରୀ ଓ ରାଜପଥ ଅବରୋଧକାରୀ ମାନଙ୍କ ବିରୋଧରେ ବିଭିନ୍ନ ମୋକଦ୍ଦମା ରୁଜୁ କରି ଆନ୍ଦୋଳନକାରୀକାରୀ ଓ ରାଜପଥ ଅବରୋଧକାରୀ ମାନଙ୍କୁ ଦମନ କରିବା ନିମନ୍ତେ ଉଦ୍ୟମ ହୋଇଅଛି l
ଜନୈକ ଅଧିକାରୀଙ୍କ ସୂତ୍ରରୁ ଜଣା ପଡ଼ିଅଛି, ସାକ୍ଷୀଗୋପାଳ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ଯେତେ ଅଧିକ ବିଦ୍ୟୁତ କାଟ କରିବ ସେତେ ଅଧିକ ଲାଭ ହେବ l ବିଦ୍ୟୁତ କାଟ ଫଳରେ ଗ୍ରୀଡ଼ରୁ ବିଦ୍ୟୁତ କ୍ରୟ କମିଯିବ l ଫଳରେ ଅଧିକ ଦେୟ ପ୍ରଦାନ କରିବାକୁ ପଡିବ ନାହିଁ l ଫଳରେ ବିତରଣ ଦାୟିତ୍ୱରେ ରହିଥିବା କମ୍ପାନୀର ପ୍ରଚୁର ଲାଭ ହେବ