ସୋର,୧୧/୪: ସୋରରେ ଇଦ ପର୍ବ ଶାନ୍ତିଶୃଙ୍ଖଳାର ସହିତ ମହାସମାରୋହରେ ପାଳନ କରାଯାଉଥିବା ବେଳେ ପୌରପାଳିକା ଅନ୍ତର୍ଗତ ଇଦଘା ପଡିଆ ଠାରେ ମୁସଲିମ ସମ୍ପ୍ରଦାୟ ତରଫରୁ ଏକ ସମୂହ ନମାଜ ପାଠ ଅନୁଷ୍ଠିତ ହୋଇଥିଲା। ନମାଜ ପାଠ ପରେ ପରସ୍ପରକୁ ଇଦର ଶୁବେଛା ଜଣାଇ ଏହି ପର୍ବକୁ ପାଳନ କରିଥିଲେ । ଏଠାରେ ପଠାଣ ମହଲା ମସଜିଦର ମୌଲାନା ଶ୍ରଦ୍ଧାଳୁଙ୍କୁ ନମାଜ ପାଠ କରାଇଥିଲେ।ସେହିପରି ପଠାଣ ମହଲା ଏବଂ କାଜି ମହଲା ମସଜିଦ ରେ ମଧ୍ୟ ନମାଜ ପାଠ କରା ଯାଇଥିଲା। ନମାଜ ପାଠ ସରିବା ପରେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ ଘରକୁ ଯାଇ ସୁସ୍ୱାଦୁ ଖାଦ୍ୟ ଗ୍ରହଣ କରିଥିଲେ। ଏଥିରେ ପାର ମହଲା, ପଠାଣ ମହଲା, କାଶୀପୁର,ଖପରା ନାଳ, ଛତ୍ରପୁର,ମୋଦି ନଗର,ଇଟୁଆ ଆଦି ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ନମାଜ ପାଠ କରିଥିଲେ। ସେହିପରି ପାଖର ପଂଚାୟତ ବେଲପୁର କାନ୍ଥିଗଢିଆ ଅଂଚଳର ମୁସଲମାନ ଭାଇ ମାନେ ବେଲପୁର ଇଦଘା ପଡିଆ ଓ ମସଜିଦରେ ମଧ୍ୟ ନମାଜ ପାଠ କରିଥିଲେ। ଏହି ଇଦ ପର୍ବ ପାଳନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ବନ୍ଦୋବସ୍ତ କରାଯାଇଥିଲା। ସଦର ଏସଡିପିଓ ଡ଼. ଶଶାଙ୍କ ଶେଖର ବେଉରାଙ୍କ ନେତୃତ୍ୱରେ ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ରଙ୍କ ସମେତ ସୋର ଥାନାର ସମସ୍ତ ଅଧିକାରୀ ଏବଂ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ।