ସାମ୍ବାଦିକ ସମ୍ମିଳନୀରେ ମହିଳା ସରପଞ୍ଚଙ୍କ ଅଭିଯୋଗ : ମୋ ସମ୍ମାନ ଓ ସ୍ୱାଭିମାନ ଉପରେ ଆଞ୍ଚ ଆସିଲା ଭଳି କାର୍ଯ୍ୟ କରାଯାଉଛି
ତିହିଡି,୦୨/୦୩(ଯଦୁମଣି ପାଣିଗ୍ରାହୀ): ମୁଁ ଜଣେ ମହିଳା ଜନପ୍ରତିନିଧି । ଶାସକ ଦଳ ସମର୍ଥନରେ ମୁଁ ସରପଞ୍ଚ ଭାବେ ନିର୍ବାଚିତ ହୋଇଛି । ପଞ୍ଚାୟତବାସୀ ମୋ ଉପରେ ଅତୁଟ ବିଶ୍ୱାସ ଓ ଭରସା କରି ଭୋଟ ଦେବା ସହ ସରପଞ୍ଚ ଭାବେ ନିର୍ବାଚିତ କରାଇଛନ୍ତି । ଆଉ ସରପଞ୍ଚ ଭାବେ ମୋର ଇଚ୍ଛାଥିଲା ସ୍ୱାଧୀନ ଭାବେ କାମ କରିବି । ଲୋକଙ୍କ ସମସ୍ୟା ଦୂର କରିବା ସହ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ଦିଗରେ ନିରନ୍ତର ଓ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବି । ହେଲେ ଆଜି ମୁଁ ଅସହାୟ ହୋଇପଡିଛି । ମୋ ସମ୍ମାନ ଓ ସ୍ୱାଭିମାନ ଉପରେ ଆଞ୍ଚ ଆସିଲା ପରି କାମ କରାଯାଉଛି । ପଞ୍ଚାୟତର ଶାସକ ଦଳର ଏକ ଗୋଷ୍ଠୀ ମୋତେ ମୋର ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ମୋ ଅଗୋଚରରେ ପଞ୍ଚାୟତ ସମିତି ଅନୁଦାନ ଓ ବିଧାୟକଙ୍କ ହାତପାଣ୍ଠିର ଦୂରୁପଯୋଗ କରାଯାଉଛି । ଅଭିଯୋଗ କଲେ ବି କେହି ଶୁଣିବାକୁ ନାହାନ୍ତି । ଓଲଟା ଅନାସ୍ଥା ପ୍ରସ୍ତାବ ଜରିୟାରେ ଗାଦିଚ୍ୟୁତ କରିବାକୁ ଧମକଚମକ ଦିଆଯାଉଛି ବୋଲି ସିଂଦୋଳ ପଞ୍ଚାୟତରେ ଶାସକ ଦଳର ସମର୍ଥନରେ ଜିତିଥିବା ଜଣେ ମହିଳା ସରପଞ୍ଚଅତ୍ୟନ୍ତ କ୍ଷୋଭର ସହ ଅଭିଯୋଗ କରିଛନ୍ତି । ଶନିବାର ସିଂଦୋଳ ପଞ୍ଚାୟତ ଅଫିସ ଗୃହରେ ତାଙ୍କ ଦ୍ୱାରା ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ସରପଞ୍ଚ ସୁପ୍ରଭା ପାଣି ଏକଥା କହିବା ସହ ତାଙ୍କୁ ରବର ଷ୍ଟାମ୍ପ କରି ଫାଇଦା ହାତେଇ ନେବାକୁ ଶାସକ ଦଳର ଏକ ଗୋଷ୍ଠୀ ଉଦ୍ୟମ କରୁଥିବା ବେଳେ ସେ ଏହାର ବିରୋଧ କରୁଥିବାରୁ ତାଙ୍କ ପ୍ରତି ଆକ୍ରୋଶ ମୂଳକ ମନୋଭାବ ପୋଷଣ କରାଯାଉଛି ବୋଲି ସେ କହିଥିଲେ । ସବୁଠାରୁ ବଡକଥା ହେଉଛି ସେ ଏବଂ ତାଙ୍କ ପରିବାର ବିଜୁ ଜନତା ଦଳର ଦୃଢ ସମର୍ଥକ । ପଞ୍ଚାୟତରେ ଦଳର ସଙ୍ଗଠନ ବୃଦ୍ଧି ପାଇଁ ସେ ଆଜିଯାଏ କାମ କରିଚାଲିଛନ୍ତି । ଏଥିସହ ଦଳ ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି ତାକୁ ସେ ସଫଳ ଭାବେ ତୁଲାଇ ଆସିଛନ୍ତି ବୋଲି ଶ୍ରୀମତୀ ପାଣି କହିବା ସହ ମୁଖ୍ୟମନ୍ତ୍ରୀ ସର୍ବଦା ଓ ସବୁକ୍ଷେତ୍ରରେ ମହିଳା ମାନଙ୍କୁ ଅଗ୍ରାଧିକାର ଦେଉଥିବା ବେଳେ ତାଙ୍କ ଭଳି ଜଣେ ମହିଳା ଜନ ପ୍ରତିନିଧି ପଞ୍ଚାୟତରେ ସେହି ଦଳର ନେତାଙ୍କ ଦ୍ୱାରା ମାନସିକ ଭାବେ ନିର୍ଯ୍ୟାତିତ ଓ ଅବହେଳିତ ହେବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ଏ ସଂପର୍କରେ ସେ ବିଡିଓ, ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଦଳର ସଭାପତି ଓ ଖୋଦ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନି ବୋଲି ଶ୍ରୀମତି ପାଣି କହିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବ ତାଙ୍କ ପ୍ରତି କରାଯାଉଥିବା ଅବିଚାରର ବିଚାର କରି ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭାଗବତ ଶତପଥି, ଶ୍ରୀଧର ବାରିକ, ରବିନ୍ଦ୍ର ରାଉତ, ଶରତ ଲେଙ୍କା, ଜଗବନ୍ଧୁ ରାଉଳ, ନିଶାକର ସ୍ୱାଇଁ, ରଞ୍ଜିତ ନାୟକ, ଆଶିଷ ନାୟକ, ସନାତନ ଦାସ, ଶେଖ କମ. ସରୋଜ ରାଉତ, ହୁସେନ ଶାହ ପ୍ରମୁଖ ଉପସ୍ଥିତ ଥିଲେ ।