ଜଗତସିଂହପୁର୨୭/୦୧ : ନବଜାତ ଶିଶୁପୁତ୍ର ଜନ୍ମ ହେବାର କିଛି ସମୟ ପରେ ସେହି ହସ୍ପିଟାଲରେ ବାପାର ସନ୍ଦେହ ଜନକ ଭାବରେ ମୃତ୍ୟୁ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଏପରି ଘଟଣା ଘଟିଛି ଜଗତସିଂହପୁର ସହରରେ ଥିବା ଏକ ଘରୋଇ ନର୍ସିଂ କିୟୋରୱେଲ ହୋମରେ । ଜିଲାର ବାଲିକୁଦା ଥାନା ବରଗୁଡିପଡା ଗାଁର ଅରକ୍ଷିତ ବେହେରାଙ୍କ ସ୍ତ୍ରୀର କସ୍ତୁରୀ ବେହେରାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଅରକ୍ଷିତ ତାଙ୍କୁ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଆଡ଼ିମିଶନ କରିଥିଲେ । ହେଲେ କୌଣସି କାରଣରୁ ସେ ପ୍ରସୂତିଙ୍କୁ ସରକାରୀ ଚିକିତ୍ସାଳୟରୁ ନେଇ ଗତକାଲି ନିକଟସ୍ଥ କିୟୋରୱେଲ ନର୍ସିଂ ହୋମରେ ଆଡିମିଶନ କରିଥିଲେ । ପରେ ସେହି ଘରୋଇ ନର୍ସିଂ ହୋମରେ ଗତକାଲି ତାଙ୍କ ସ୍ତ୍ରୀ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଥିଲେ । ମାଆ ଓ ନବଜାତ ଶିଶୁ ସୁସ୍ଥ ଥିବା ବେଳେ ରାତିରେ ନର୍ସିଂ ହୋମ ତଳ ଘରେ ତଥା ବିଶ୍ରାମ ରୁମରେ ଅନ୍ୟ ରୋଗୀଙ୍କ ଆଟେନାଣ୍ଟଙ୍କ ସହିତ ଅରକ୍ଷିତ ବିଶ୍ରାମ ନେଇଥିଲେ । ହେଲେ ସକାଳକୁ ଅରକ୍ଷିତଙ୍କର ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇ ଯାଇଥିବାର ଦେଖା ଯାଇଥିଲା ।ସଙ୍ଗେ ସଙ୍ଗେ ତାଙ୍କୁ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ନର୍ସିଂ ହୋମ ଆଗରେ ଉତେଜନା ପ୍ରକାଶ ପାଇଥିବା ବେଳେ ଜଗତସିଂହପୁର ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲା । ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲେ ।ଏହି ଘଟଣାକୁ ନେଇ ଅରକ୍ଷିତଙ୍କ ସାନ ଭାଇ ଅବଧୂତ ବେହେରା ଜଗତସିଂହପୁର ଥାନାରେ ତାଙ୍କ ଭାଇକୁ କେହି ହତ୍ୟା କରିଥିବା ସନ୍ଦେହ କରି ଏତଲା ଦେଇଛନ୍ତି ।ଏହା ବାବଦରେ ନର୍ସିଂ ହୋମର ପରିଚାଳକ ଅଞ୍ଜନ କୁମାର ଦାସ ପଚାରିବାରୁ ସେ କହିଥିଲେ ଗତକାଲି ଅରକ୍ଷିତଙ୍କ ପତ୍ନୀ ଏକ ଶିଶୁ ପୁତ୍ର ଜନ୍ମ ଦେଇ ଥିବା ବେଳେ ମା ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି ।କିନ୍ତୁ ଅରକ୍ଷିତଙ୍କ ମୃତ୍ୟୁ କାହିଁକି ହେଲା ତାହାର କାରଣ ବାବଦରେ ସେ କିଛି କହିପାରିବେ ନାହିଁ ବୋଲି କହିଥିଲେ ।