ତିହିଡି,୨୧/୦୧(ଯଦୁମଣି ପାଣିଗ୍ରାହୀ) ଭିନ୍ନ ଭିନ୍ନ ସ୍ଥାନରେ ଘଟିଥିବା ୨ଟି ଦୁର୍ଘଟଣାରେ ତିହିଡି ଥାନା ଇଲାକାରେ ମୋଟ ୪ ଜଣଙ୍କର ମୃତୁ୍ୟ ଘଟିଥିବା ଜଣାଯାଇଛି । ୨୦ ତାରିଖ ରାତିରେ କାଁପଡା-ଈଶ୍ୱରପୁର ରାସ୍ତାର କାଁପଡା ନିକଟରେ ଏକ ଧାନ ବୋଝେଇ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଥିବା ତଳ କାଁପଡା ଗାଁର ଶତ୍ରୁଘ୍ନ ଦାସଙ୍କ ପୁଅ ବୀରଚାନ୍ଦ ଦାସ(୫୫)ଙ୍କର ମୃତୁ୍ୟ ଘଟିଛି । ସେହିପରି ଅନ୍ୟ ଜଣେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି । ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରଟିକୁ ଜବତ କରି ଘଟଣାର ତଦନ୍ତ କରୁଛି । ଅନ୍ୟପକ୍ଷେ ଆଜି ମଧ୍ୟାହ୍ନରେ ୧୬ ନମ୍ବର ଜାତୀୟ ରାଜପଥର ରାଣୀତାଲ ନିକଟରେ ଏକ ବାଇକକୁ ପଛପଟୁ ଏକ ଟ୍ରକ ଧକ୍କା ଦେବା ଫଳରେ ତିହିଡି ପୁରୁଣାହାଟସ୍ଥିତ ପ୍ରଧାନସାହିର ୩ ଜଣ ଯୁବକଙ୍କର ମୃତୁ୍ୟ ଘଟିଛି । ମୃତ ଯୁବକ ମାନେ ହେଉଛନ୍ତି-ଜିତୁ ପ୍ରଧାନ, ବାପି ପ୍ରଧାନ ଓ ଶଙ୍କୁରୁ ପ୍ରଧାନ । ଏମାନେ ଏକ ବାଇକରେ ସୋର ଅଞ୍ଚଳର ମାଟିଆପଲା ଗାଁକୁ ଯାଉଥିଲେ । ପିଉସାର ଏକାଦଶାହ କର୍ମରେ ଯୋଗ ଦେବାକୁ ଏମାନେ ତିହିଡିରୁ ସୋର ଅଭିମୁଖେ ଯାଉଥିଲେ । ଏମାନଙ୍କ ମୃତୁ୍ୟରେ ତିହିଡିରେ ଶୋକର ଛାୟା ଖେଳିଯାଇଛି ।