Odisha news

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳ, ଉଭୟ ପକ୍ଷରୁ ୬ ଆହତ

0

ତିହିଡ଼ି, ୨୦/୦୧(ଯଦୁମଣି ପାଣିଗ୍ରାହୀ) ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତିହିଡି ବ୍ଲକ ପୀରହାଟ ଥାନାଧିନ ବାଲିଦାଣ୍ଡିରେ ଗଣ୍ଡଗୋଳ, ଉଭୟ ପକ୍ଷରୁ ୬ ଆହତ ହୋଇଛନ୍ତି । ଶୁକ୍ରବାର ଅପରାହ୍ନ ପ୍ରାୟ ୫-୩୦ ଘଟିକାରେ ରାହୁଲ ନାୟକ, ଦେବେନ୍ଦ୍ର ନାୟକ ଓ ବିକ୍ରମ ନାୟକ ତିନି ଜଣ ଯୁବକ ଗାଁ ଦାଣ୍ଡରେ ଛିଡା ହୋଇଥିବା ବେଳେ ଅପରପକ୍ଷ ୬ ଜଣ ଯୁବକ ଅତର୍କିତ ଭାବେ ଛୁରାରେ ଆକ୍ରମଣ କରିଥିଲେ । ଦେଖଣାହାରି ସାଜିଥିବା ଗ୍ରାମବାସୀ କାଳବିଳମ୍ବ ନକରି ଅପରପକ୍ଷଙ୍କ କବଳରୁ ତିନିଜଣଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ । ସେମାନଙ୍କ ମଧ୍ୟରୁ ରାହୁଲ ନାୟକଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଥିବା ଜଣା ଯାଇଛି । ଆକ୍ରମଣ ସମ୍ପର୍କରେ ପୀରହାଟ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଅଭିଯୁକ୍ତ ମାନଙ୍କ ବିରୋଧରେ ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ଜୋର ଧରିଛି । ସେହିପରି ରାତିରେ ଅନ୍ୟ ଏକ ଗଣ୍ଡଗୋଳ ଘଟିଥିବା ସୂଚନା ମିଳିଛି । କାଳିଆ ନାୟକ ଓ ବଳିଆ ନାୟକଙ୍କ ଘରେ ପଶି କେତେକ ଯୁବକ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିବା ସହିତ ଅସଦାଚରଣ କରିଥିବା ଏବଂ ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଉଭୟ କାଳିଆ ଓ ବଳିଆ ଗୁରୁତର ଆହତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ସୂଚନା ମୁତାବକ, ଏହି ଗାଁରେ ଏକ ଏନଜିଓ ସଂସ୍ଥା ଘରକୁ ଘର ପାନୀୟ ଜଳ ଯୋଗାଇ ଦେଇଛି । ଉକ୍ତ ପାନୀୟ ଜଳ ଯୋଗାଣକୁ ନେଇ କେତେକ ଫାଇଦା ଉଠାଇବା ଲାଗି ଖର୍ଚ୍ଚ ଆଦାୟ କରୁଥିବା ଅଭିଯୋଗ ହୋଇଛି । ଖର୍ଚ୍ଚ ନମିଳିଲେ ପାଣି ପମ୍ପ ବନ୍ଦ କରାଯିବ ବୋଲି ମଧ୍ୟ ଧମକ ଚମକ ଦିଆଯାଉଥିବା ଅଭିଯୋଗ ହୋଇଛି । ଏହାକୁ ବାରଣ କରାଯାଉଥିବା ନେଇ ଶତ୍ରୁତା ଲାଗି ରହିଥିଲା । ସେହିପରି ଗାଁରେ ବନ୍ଦ ହୋଇ ପଡିରହିଥିବା ସ୍କୁଲ ଗୃହକୁ କେତେକ ବ୍ୟବହାର କରୁଥିବା ନେଇ ମଧ୍ୟ ଶତୃତା ଲାଗି ରହିଥିଲା । ଉଭୟ ଘଟଣାରେ ଗାଁରେ ବସି ସମାଧାନ କରିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା ହେଲେ ଇତିମଧ୍ୟରେ ଗଣ୍ଡଗୋଳ ଘଟିଥିବା କୁହାଯାଉଛି । ଦୁଇଟି ଗଣ୍ଡଗୋଳ ଘଟଣାରେ ଉଭୟ ପକ୍ଷରୁ ଏକାଧିକ ଏତଲା ଦାଏର ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ ହୋଇଛି ।

 

Govt
Leave A Reply