ଶିକ୍ଷକଙ୍କ ମାର୍ଗଦର୍ଶନ ହିଁ ଜୀବନରେ ସଫଳତା ଆଣିଥାଏ : ୫ଟି ଅଧ୍ୟକ୍ଷ
କାର୍ଯ୍ୟକ୍ରମରେ ଯୋଗଦେଲେ ୫ଟି ଅଧ୍ୟକ୍ଷ ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ
ବାରିପଦା : ରାଜ୍ୟରେ ଯୁବ ଶକ୍ତିର ବିକାଶ ପାଇଁ ଓଡ଼ିଶା ସରକାରଙ୍କର ଅନ୍ୟତମ ପ୍ରୟାସ ନୂଆ-ଓ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ । ସମଗ୍ର ଜିଲ୍ଲାରୁ ଆସିଥିବା ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଦିବସବ୍ୟାପି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାରିପଦାଠାରେ ବିଶ୍ୱବିଦ୍ୟାଳୟ ପଡିଆରେ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ନୂଆ ଓଡିଶା ଗଠନରେ ଯୁବଶକ୍ତିର ଯୋଗଦାନ ପାଇଁ ପ୍ରେରଣା ଦେଇଥିଲେ । ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଥିଲେ ଯେ, ଏହା ଯୁବକଯୁବତୀ ମାନଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ସେମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହିତ ସେମାନଙ୍କର ସାମଗ୍ରିକ ବ୍ୟକ୍ତିତ୍ୱର ବିକାଶରେ ମଧ୍ୟ ଏହା ସହାୟକ ହେବ । ଏହାସହିତ ପାଠପଢାରେ ମଧ୍ୟ ସେମାନେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିବେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ । ଶିକ୍ଷକଙ୍କ ମାର୍ଗଦର୍ଶନ ହିଁ ଜୀବନରେ ସଫଳତା ଆଣିଥାଏ ବୋଲି ଶ୍ରୀ ପାଣ୍ଡିଆନ୍ ମତଦେଇ ପ୍ରାଚୀନ ଗୁରୁଶିଷ୍ୟ ପରମ୍ପରାର ଉଦାହରଣ ଦେଇଥିଲେ । ଏହି ଦିବସବ୍ୟାପି କାର୍ଯ୍ୟକ୍ରମରେ ଓଡ଼ିଆ ସିନେ ଜଗତର ପୁରୁଖା ଅଭିନେତା ତଥା ନିଦେ୍ର୍ଦଶକ କୁନା ତ୍ରିପାଠୀ, ସୁନାମଧ୍ୟାନ୍ୟ ସଂଗୀତଜ୍ଞ ମଣ୍ଟୁ ଛୁରିଆ, ହାସ୍ୟ ଅଭିନେତା ମଳୟ କୁମାର ଏବଂ ବିଭିନ୍ନ ନୃତ୍ୟ ଗ୍ରୁପ ପ୍ରମୁଖ ନିଜ କଳାର ପ୍ରଦର୍ଶନ କରି ଉଚ୍ଚ ପ୍ରସଂଶିତ ହୋଇଥିଲେ ଏବଂ ଉପସ୍ଥିତ ଛାତ୍ରଛାତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଭରପୁର ଉପଭୋଗ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଜିଲ୍ଲାସ୍ତରରୁ ଉନ୍ନୀତ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଏସପି ଏସ.ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ (ରାଇରଙ୍ଗପୁର) ଦୌଲତ ଚନ୍ଦ୍ରକାର, ଅତିରିକ୍ତ ଜିଲ୍ଲାପାଳ ଅଭିମନୁ୍ୟ ବେହେରା, ବାରିପଦା ଉପାଜିଲ୍ଲପାଳ ଈଶ୍ୱର ଚନ୍ଦ୍ର ନାୟକ, ଜÿିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଉନ୍ନୟନ ଅଧିକାରୀ ରଜନୀ କାନ୍ତ ସ୍ୱାଇଁ, ଜିଲ୍ଲା ପରିଷଦ ଅତିରିକ୍ତ ଉନ୍ନୟନ ଅଧିକାରୀ ଦେବାଶିଷ ମହାପାତ୍ର, ବାରିପଦା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠି, ଆଇଟିଡିଏ ପିଏ ରାମଚନ୍ଦ୍ର ହାଁସଦା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅବିନାଶ ପାଣି, ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି, ଜିଲ୍ଲା ଶିଶୁ ବିକାଶ ଅଧିକାରିଣୀ ମମତାମୟୀ ବିଶ୍ୱାଳ ଏବଂ ଜିଲ୍ଲା ପ୍ରଶାସନର ସମସ୍ତ କର୍ମଚାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ନିଜର ଯୋଗଦାନ କରି ଏହାକୁ ସଫଳ କରାଇଥିଲେ । ସୂଚନା ଥାଉକି, ଭି.କେ. ପାଣ୍ଡିଆନ ଆଜି ମୟୂରଭଞ୍ଜ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ସ୍ଥାନୀୟ ଲୋକ ମାନଙ୍କ ସହିତ ମଧ୍ୟ ମତବିନିମୟ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ । ୧୦,୨୧୦ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପ ଦ୍ୱାରା ୨,୭୦,୯୦୦ ଏକର ଚାଷଜମି ଜଳସେଚିତ ହୋଇପାରିବ । ସମୀକ୍ଷାରୁ ଜଣାଯାଇଥିଲା ଯେ, ୨୦୨୪ ମଇ ସୁଦ୍ଧା ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଶେଷ ହେବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଜୁନ ୨୦୨୮ ସୁଦ୍ଧା ସଂପୂର୍ଣ୍ଣ ହେବ । ଏହି ଅବସରରେ ଶ୍ରୀ ପାଣ୍ଡିଆନ ଦେଓ, ଉଦଳାର ସୋନ ପ୍ରକଳ୍ପ, ଖଇରୀ ବନ୍ଧନ ପ୍ରକଳ୍ପ ଓ କ୍ଲଷ୍ଟର ବୃହତ ଉଠା ଜଳସେଚନ ପ୍ରକଳ୍ପ ଆଦି ପ୍ରମୁଖ ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ । ଏହିସବୁ ପ୍ରକଳ୍ପ ଗୁଡିକ ପାଇଁ ୩୨୮୨କୋଟି ଟଙ୍କା ବିନିଯୋଗ ହେଉଥିବା ବେଳେ, ଏହାଦ୍ୱାରା ୧,୧୬,୫୦୦ ଏକର ଜମି ଜଳସେଚିତ ହୋଇପାରିବ । ଏହିସବୁ ପ୍ରକଳ୍ପ ଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ପାଣ୍ଡିଆନ ନିଦେ୍ର୍ଦଶ ଦେଇଥିଲେ । ଏହାପରେ ସେ ବାରିପଦାରେ ବୁଢାବଳଙ୍ଗ ଉପରେ ନିର୍ମାଣାଧୀନ ନଦୀ ବନ୍ଧ ଏବଂ ରିଂଗ ରୋଡ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ଏଥିପାଇଁ ୧୫୪କୋଟି ଟଙ୍କା ବିନିଯୋଗ କରାଯାଉଛି । ଏହାସହିତ ୭୨.୬୩ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ଘାଟିରାସ୍ତା, ବାରିପଦାରେ ୪୮କୋଟି ଟଙ୍କା ବ୍ୟୟରେ ବୁଢାବଳଙ୍ଗ ନଦୀ ଉପରେ ବୃହତ ସେତୁର ନିର୍ମାଣ, ୩୦୬କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ୬୫୦ଶଯ୍ୟା ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବାରିପଦା ଠାରେ ୪୭.୩୫ କୋଟି ଟଙ୍କା ବ୍ୟୟରେ ଏକ କ୍ୟାନସର ହସ୍ପିଟାଲ ନିର୍ମାଣ ଆଦି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରି ସମସ୍ତ ପ୍ରକଳ୍ପକୁ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ଶ୍ରୀ ପାଣ୍ଡିଆନ ନିଦେ୍ର୍ଦଶ ଦେଇଥିଲେ । ଏହି ଅବସରରେ ଶ୍ରୀ ପାଣ୍ଡିଆନଙ୍କ ମୟୂରଭଞ୍ଜକୁ ପୂର୍ବରୁ କରିଥିବା ଗସ୍ତପରେ ଆରମ୍ଭ ହୋଇଥିବା କେତେକ ପ୍ରକଳ୍ପର ମଧ୍ୟ ସେ ସମୀକ୍ଷା କରିଥିଲେ ।
