ସାକ୍ଷୀଗୋପାଳ : ସ୍ଥାନୀୟ ସାକ୍ଷୀଗୋପାଳ ମନ୍ଦିର ରେ ଆଶ୍ଵିନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି ଠାରୁ ମହାକାର୍ତ୍ତିକ ନୀତି ଆରମ୍ଭ ହୋଇଛି। ପ୍ରତ୍ୟୁଷରୁ ମନ୍ଦିର ଦ୍ବାର ଉନ୍ମୋଚନ, ମଙ୍ଗଳ ଆଳତି, ବେଶ ମଇଲମ, ମର୍ଦ୍ଦନ, ଅଵକାଶ ପରେ ଠାକୁର ଶ୍ରୀ ଶ୍ରୀ ସାକ୍ଷୀଗୋପାଳଙ୍କର ନଟବର ଵେଶ ଅନୁଷ୍ଠିତ ହୋଇଥିଲା । ଏହି ଵେଶରେ ଠାକୁର ପାଟ ପିତାମ୍ଵରୀ, ପାଟଡୋରୀ, ପାଉଁଜିମାଳ, ଵେଙ୍ଗପାଟିଆ, ଵାଙ୍କି, ନୂପୁର, ତାବିଜ, ଚାପସରୀ, ହରଡ଼ଫାଳ ମାଳ, ମକର କୁଣ୍ଡଳ, ନୁଡୂକ, ହୀରା ମୁଦ୍ରିକା, ମୟୂର ଚନ୍ଦ୍ରିକା ଖଚିତ ସୁବର୍ଣ୍ଣ କୀରିଟ, ସୁବର୍ଣ୍ଣ ବଂଶୀ, ସହିତ ପ୍ରଭାଘୋଡରେ ଡାଳିଲତା ଓ ଗଳାରେ ଅଧରମାଳ, ମଥାରେ ପଟିଚନ୍ଦନ ଚିତା ଧାରଣ କରି ଛନ୍ଦା ଚରଣ ନୃତ୍ୟରତ ଭଙ୍ଗିରେ ଶୋଭା ପାଇଥିଲେ। ଠାକୁରଙ୍କ ଵାମପାର୍ଶ୍ବରେ ରାଧାରାଣୀ, ହାତରେ ଆଲଟ ଧାରଣକରି ସେଵା କରିବା ନିମିତ୍ତ ଦଣ୍ଡାୟମାନ ରହିଥିବା ଦୃଶ୍ୟ ଶ୍ରଦ୍ଧାଳୁ ମାନଙ୍କୁ ଆକର୍ଷିତ କରିଥିଲେ। ଏହି ଵେଶ ପ୍ରତ୍ୟହ ସକାଳ ୯ ଟାରୁ ବାଳଧୂପ ଶେଷ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଦର୍ଶନ ସୁଯୋଗ ମିଳିଥାଏ। ଵାଳଧୁପ ସମୟରେ ଵସନ୍ତ ରାସ ଲୀଳା ସଙ୍ଗୀତ ପରିଵେଷଣ ସାଙ୍ଗକୁ ଆଳତୀ ଦର୍ଶନ ପାଇଁ କାର୍ତ୍ତିକ ମାସ ତମାମ ଶ୍ରଦ୍ଧାଳୁ ମାନଙ୍କ ସହ କାର୍ତ୍ତିକ ବ୍ରତ କରିଥିବା ହବିଶ୍ୟାଳୀ ମାନଙ୍କର ଵେଶ ଭିଡ ଲାଗିଥାଏ। ଏହି ମାସରେ ସାକ୍ଷୀଗୋପାଳ ମନ୍ଦିର ରେ ବିରାଜିତ ଶ୍ରୀରାଧା ପାଦଦର୍ଶନ ବର୍ଷକୁ ଗୋଟିଏ ଦିନ ଅଁଳିନଵମୀ ତିଥିରେ ଅନୁଷ୍ଠିତ ହୋଇଥାଏ।