ଏରସମା,୯/୮- ଆଜି ଦେଶର ସ୍ୱାଧୀନତା ସଂଗ୍ରାମର ମହାନ ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଏରସମା ବ୍ଲକ କମିଟି ସମ୍ପାଦକ ରାମଚନ୍ଦ୍ର ମୁଦୁଲିଙ୍କ ନେତୃତ୍ୱରେ ରମାକାନ୍ତ ଭବନ ଠାରୁ ଏକ ପଟୁଆର ଏରସମା ବଜାର ପରିକ୍ରମା କରିବା ପରେ ଏରସମା ତହସିଲ ସମ୍ମୁଖରେ ସାଧାରଣ ମଣିଷ କୃଷକ ଓ ଶ୍ରମିକ ମାନଙ୍କର ସମସ୍ୟାର ସମାଧାନ ଦାବୀ ନେଇ ବିକ୍ଷୋଭ କରାଯିବା ସହିତ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ତହସିଲଦାର ଏରସମାଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଛି l ବାଲିତୁଠ ସରପଞ୍ଚ ତଥା ଚାଷୀ ନେତା ପ୍ରଫୁଲ୍ଲ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ କୃଷକ ସଭା ସମ୍ପାଦକ ରାମ ଚନ୍ଦ୍ର ମୁଦୁଲି ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ନିୟନ୍ତ୍ରଣ , ଭୂମିହୀନଙ୍କୁ ଘରଡ଼ିହ ପଟା ପ୍ରଦାନ, ଚାଷୀଙ୍କୁ ଏମ.ଏସ.ପି ପାଇଁ ଆଇନ ପ୍ରଣୟନ,୧୯୮୦ ଜଙ୍ଗଲ ଆଇନ ସଂଶୋଧନ କୁ ପ୍ରତ୍ୟାହାର କରିବା, ଧାନ କୁଇଣ୍ଟାଲ ୪୦୦୦ କରିବା, ମଣିପୁର ସମେତ ଦେଶବ୍ୟାପୀ ସାମ୍ପ୍ରଦାୟିକ ଦଙ୍ଗା ବନ୍ଦ କରିବା ଇତ୍ୟାଦି ଅନ୍ୟାନ୍ୟ ଦାବୀ ସମ୍ପର୍କରେ ଆଲୋକପାତ କରିଥିଲେ l ଏହି ବିକ୍ଷୋଭ ରେ ଯୋଗଦେଇ କୃଷକ ସଭା ରାଜ୍ୟ ସଭାପତି ଶଶିଭୂଷଣ ସ୍ୱାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ଓ ଶ୍ରମିକ ମାରଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ l ସିପିଆଇ ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ ଏହି ପ୍ରତିବାଦ ସଭାରେ ବକ୍ତବ୍ୟ ରଖି ନରେନ୍ଦ୍ର ଓ ନବୀନ ଉଭୟ ସରକାର ସାମ୍ପ୍ରଦାୟିକ ସରକାର ବୋଲି ମତବ୍ୟକ୍ତ କରିବା ସହିତ କ୍ଷମତା ଦଖଲ କରିବା ପାଇଁ ମଣିପୁର ଠାରୁ ଆହୁରି ନୀଚ ସ୍ତରକୁ ଯାଇପାରନ୍ତି ବୋଲି ସତର୍କ କରିଦେଇଥିଲେ l ଦେଶର ଏକତା, ଅଖଣ୍ଡତା, ଗଣତନ୍ତ୍ର, ସମ୍ବିଧାନ ସହିତ ଯୁବ, ଛାତ୍ର, ଶ୍ରମିକ, କୃଷକ, କ୍ଷେତମୁଲିଆ ସମସ୍ତଙ୍କ ସ୍ୱାର୍ଥ ରକ୍ଷା ପାଇଁ ଅଗଷ୍ଟ କ୍ରାନ୍ତି ଦିବସରେ ଉଭୟ ସରକାର ବିରୁଦ୍ଧରେ ଏକ ଦୁର୍ବାର ଜନ ଆନ୍ଦୋଳନ ଗଢ଼ିତୋଳିବା ପାଇଁ ଅଗଷ୍ଟ କ୍ରାନ୍ତି ଦିବସରେ ଶପଥ ନେବା ପାଇଁ ଆହ୍ୱାନ ଦେଇଥିଲେ l ଏଥି ସହିତ ସ୍ଥାନୀୟ ସମସ୍ୟା ଏରସମା – ଆମ୍ବିକି ମୁଖ୍ୟ ରାସ୍ତା ମରଣ ଯନ୍ତା ପାଲଟିଥିବା ବେଳେ ଏରସମା ତହସିଲ ଅଫିସ ଭାଙ୍ଗି ଲୋକଙ୍କ ଉପରେ ପଡୁଥିବା କଥା ଶ୍ରୀ ସାହୁ ଅଭିଯୋଗ କରିଥିଲେ l ଅନ୍ୟପକ୍ଷରେ ପଦ୍ମପୁର ଓ ଆମ୍ବିକି ପଞ୍ଚାୟତରେ ଲୋକେ ମାଛ ଧରି ଜୀବନ ଜୀବିକା ନିର୍ବାହ କରୁଥିବା ପ୍ରାୟ ୬୦୦ ଉର୍ଦ୍ଧ ଏକର ଜମିକୁ ଇଡ଼କୋ ଜିନ୍ଦଲ ପାଇଁ ଅଧିଗ୍ରହଣ କରିବା ପାଇଁ ଗତ ମେ ମାସରୁ ନୋଟିସ ଜାରି ହୋଇଥିବା ବେଳେ ଏବଂ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ଅଭିଯୋଗ ଦାଖଲ ସମୟ ଥିବା ବେଳେ ଏହା ତହସିଲଦାର ଓ କମ୍ପାନୀର ମଧୁଚନ୍ଦ୍ରିକା ଫଳରେ ସାଧାରଣ ଲୋକଙ୍କ ଅଗୋଚରରେ ରଖାଯାଇଥିବା ଶ୍ରୀ ସାହୁ ଅଭିଯୋଗ କରିବା ସହିତ ଉପଯୁକ୍ତ କ୍ଷତିପୂରଣ ନଦେଇ ଜମି ଅଧିଗ୍ରହଣ କଲେ ଗଣତାନ୍ତ୍ରିକ ଭାବେ ଦୁର୍ବାର ବିକ୍ଷୋଭ କରାଯିବ ବୋଲି ଚେତାବନୀ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଚାଷୀ ନେତା ପିତାମ୍ବର ଦାସ, ସର୍ବେଶ୍ୱର ବେଉରା, କାହ୍ନା ସେନାପତି, ରବୀନ୍ଦ୍ର ପାଟାଲ, ନଟବର ବାରିକ, ଶରତ ମଳିକ, ରାଜେନ୍ଦ୍ର ସ୍ୱାଇଁ, ବସନ୍ତ ସାହୁ, ବାମର ଗୁରୁ, ଉତ୍ତମ ହାତୀ, ନାରାୟଣ ମାଝୀ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ l