ବେତନଟୀ : ବେତନଟୀ ବ୍ଲକ ଅଧୀନ ଯୁଗଳ ଛକ ନିକଟସ୍ଥ ୧୮ ନମ୍ବର ଜାତୀୟ ରାଜପଥର ପାର୍ଶ୍ଵରେ ଥିବା ବ୍ୟାରିକେଡ଼ରେ ପିଟି ହେବା ଯୋଗୁଁ ଦୁଇ ବାଇକ ଆରୋହୀ ଙ୍କ ମଧ୍ୟରୁ ପଛରେ ବସିଥିବା ବ୍ୟକ୍ତିଙ୍କ ମୃତ ହୋଇଥିବାବେଳେ ଚାଳକ ଜଣକ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ବାରିପଦା ସଦରଥାନା ଅଧୀନ ନିଚୁଆପଦା ନିକଟସ୍ଥ ରାମନଗର ଗ୍ରାମର ସ୍ବର୍ଗତଃ ମାସାଉ ସୋରେନଙ୍କ ପୁଅ ମକରା (୩୩) ଏବଂ ସେହି ଗ୍ରାମର ଗଦାଧର ମହାନ୍ତଙ୍କ ପୁଅ ବାଇଲୁଙ୍କୁ ନେଇ ବୈଶିଙ୍ଗା ସ୍ଥିତ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସେ ରବିବାର ଅପରାହ୍ନ ସମୟରେ ବାଇଲୁ ମହାନ୍ତଙ୍କ ବାଇକ (ଓଆର-୧୧ ଏଲ- ୩୮୨୬) ଯୋଗେ ନିଜ ଘରକୁ ଫେରୁଥିଲେ। ତେବେ ବୈଶିଙ୍ଗା ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥ ଯୁଗଳଛକ ନିକଟସ୍ଥ ଓଭରବ୍ରିଜ ଠାରେ କୌଣସି କାରଣରୁ ଭାରସାମ୍ୟ ହରାଇ ସେମାନେ ରାଜପଥ ପାର୍ଶ୍ଵରେ ଥିବା ବ୍ୟାରିକେଡ଼ ଓ ଡିଭାଇଡରରେ ପିଟିହୋଇ ଯାଇଥିଲେ। ଫଳରେ ଚାଳକ ବାଇଲୁ ଏବଂ ପଛରେ ବସିଥିବା ମକରା ମୁମୂର୍ଷ ଅବସ୍ଥାରେ ରାସ୍ତା ଉପରେ ପଡ଼ିରହିଥିଲେ ଏବଂ ଉଭୟଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାରକରି ବେତନଟୀ ଡାକ୍ତରଖାନା ନେଇଥିବାବେଳେ ସେଠାରେ ମକରାକୁ ଡାକ୍ତର ସିପୁନ କୁମାର ପଣ୍ଡା ମୃତଘୋଷଣା କରିଥିଲେ । ଆହତ ଚାଳକ ବାଇଲୁ ସେଠାରେ ଚିକିତ୍ସିତ ହୋଇଥିବା ଜଣାଯାଇଛି। ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍କୁ ଜବତ କରିଥିଲା। ଏ ନେଇ ପୁଲିସ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ବଡ ଡାକ୍ତରଖାନାକୁ ପଠାଇଥିବା ଜଣାଯାଇଛି।
