ମାଆ କୋଳରୁ ଅଲଗା ହୋଇଯାଇଛି ନବଜାତ ଶିଶୁକନ୍ୟା। ଜନ୍ମ ପରେ ହସ୍ପିଟାଲରେ ବିକି ଦେଇ ଥିବା ଅଭିଯୋଗ ହୋଇଛି। ବାପା-ମାଆ ଶିଶୁଟିକୁ ଦାନ କରି ଦେଇଥିବା କହୁଥିବା ବେଳେ ବୋଝ ଭାବି ତାକୁ ବିକ୍ରି କରାଯାଇଥିବା ଗ୍ରାମବାସୀ ଓ ଜନପ୍ରତିନିଧି ଅଭିଯୋଗ ଆଣିଛନ୍ତି! ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ୍ ତଲାଡ଼ି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା।
ସୂଚନା ଅନୁସାରେ, ତଲାଡ଼ି ଗ୍ରାମର ମନୋଜ ଦାସଙ୍କ ପତ୍ନୀ ସୁଷମା ଦାସ ଜୁଲାଇ ୩୧ ତାରିଖରେ ଜଳେଶ୍ଵରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ମନୋଜ ଓ ସୁଷମା ଘରକୁ ଫେରିଥିଲେ ବି ସେମାନଙ୍କ ପାଖରେ ଶିଶୁକନ୍ୟାଟି ନଥିଲା। ପୂର୍ବରୁ ସେମାନଙ୍କର ୫ବର୍ଷର ଗୋଟିଏ ଝିଅ ଥିବା ବେଳେ ଏବେ ନବଜାତ ଶିଶୁକନ୍ୟାର ଲାଳନପାଳନ ସେମାନଙ୍କ ପକ୍ଷରେ କଷ୍ଟକର ହୋଇଯିବ। ତେଣୁ ସୁରକ୍ଷିତ ଭବିଷ୍ୟତ ପାଇଁ ସେମାନେ ତାକୁ ମୟୂରଭଞ୍ଜର ଜଣେ ବ୍ୟକ୍ତିଙ୍କୁ ଦାନ କରିଦେଇଛନ୍ତି।ଶିଶୁକନ୍ୟାକୁ ଦାନ ନୁହେଁ, ବରଂ ବିକ୍ରି କରାଯାଇଥିବା ଉଭୟଙ୍କ ବାର୍ତ୍ତାଳାପରୁ ସ୍ପଷ୍ଟ ହେଉଛି।ଶ୍ରୀ ପ୍ରହରାଜଙ୍କ ସହ ଯୋଗାଯୋଗ କରାଯାଇଥିଲା।
ମୋବାଇଲ୍ ରେକର୍ଡିଂକୁ ସେ ସତ ବୋଲି ଦର୍ଶାଇ ମନୋଜ ଓ ସୁଷମା ସେମାନଙ୍କ ନବଜାତ ଶିଶୁକନ୍ୟାକୁ ୧୦ହଜାର ବିକି ଦେଇଥିବା କହିଥିଲେ। ଅନ୍ୟପଟେ ୧୦ ହଜାର ଟଙ୍କା ନୁହେଁ, ଶିଶୁକନ୍ୟା ବିକ୍ରି ପାଇଁ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ଡିଲ୍ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ଗ୍ରାମ ବୈଠକ ଜରିଆରେ ମାମଲାର ଆ ପୋସ ସମାଧାନ ପାଇଁ ଉଦ୍ୟମ ଚାଲିଥିବା ବି ଶେଷ ସୂତ୍ରରୁ ସୂଚନା ମିଳିଛି।