ତାଳଚେର , ଭାରତ ମାନଚିତ୍ରରେ ଓଡ଼ିଶା ୧୦ନମ୍ବର ସ୍ଥାନ ଅଧିକାର କରିଥିବା ବେଳେ ଅଲଗା ରାଜ୍ୟ ଅପେକ୍ଷା ଆଜି ଓଡ଼ିଶାର ଅଗ୍ରଗତି ବହୁପଛରେ । ଯେତେବେଳେ ଇଂରେଜମାନେ ଆମ ଭାରତରେ ପ୍ରବେଶ କରିଥିଲେ ସେତେବେଳେ ଭାରତରୁ ମୂଲ୍ୟ ଅମୂଲ୍ୟ ସମ୍ପତି ନେଇ ଚାଲିଯାଇଥିଲେ ଗୋରାବେପାରୀ, ଏଥିରୁ ବାଦ୍ ପଡ଼ିନଥିଲା ଓଡ଼ିଶା । ସେହି ସମୟରେ ପୂର୍ବରୁ ରହିଥିବା ଢ଼େଙ୍କାନାଳ ଜିଲ୍ଳା ତାଳଚେର ଉପଖଣ୍ଡକୁ ଆସି ସର୍ବେକ୍ଷଣ କରି ଜାଣିବାକୁ ପାଇଥିଲେ ଯେ, ତାଳଚେର ଭୂଗର୍ଭରେ ଖଣିଜ ସମ୍ପଦ ତଥା କଳାପଥର ରହିଛି । ଏହାକୁ ନେଇ ସେମାନେ ପରୀକ୍ଷା ନୀରିକ୍ଷା କରି ସାରିବା ପରେ ସର୍ବପ୍ରଥମେ ୧୯୨୧ ମସିହାରେ ହାଣ୍ଡିଧୂଆଁ ଠାରେ ଭୂଗର୍ଭ କଳାପଥର ଖଣି ନିର୍ମାଣ କରାଗଲା ଏବଂ ଏହି କଳାପଥରର ନାମ କୋଇଲାରେ ନାମିତ କରାଗଲା । ସେତେ ବେଳେ କୋଇଲାର ମୂଲ୍ୟ ଓ ବ୍ୟବହାର କାହାକୁ ଜଣାନଥିଲା । ଯେତେବେଳେ କୋଇଲାକୁ ଜାଳେଣି ରୂପେ ବ୍ୟବହାର କରାଗଲା ସେତେବେଳେ ଏହାର ଚାହିଦା ଓ ମୂଲ୍ୟ ବୃଦ୍ଧି ପାଇବାକୁ ଲାଗିଲା । ଏହାକୁ ନଜରରେ ରଖି ବାହାର ରାଜ୍ୟର ଶିଳ୍ପପତିମାନେ ତାଳଚେର ଅଂଚଳର ବିଭିନ୍ନ ସ୍ଥାନରେ କଳକାରଖାନା ମାନ ନିର୍ମିତ କଲେ । ଏହି କାରଖାନା ଗୁଡ଼ିକ ତାଳଚେରରୁ କୋଇଲା ଓ ବ୍ରାହ୍ମଣୀନଦୀରୁ ଜଳନେଇ କାରଖାନା ଚଳାଇବାକୁ ବେଶ ସହାୟକ ହେଲା । ଯଥା – ଏନଟିପିସି / ଟିଟିପିଏସ୍, ଏଫସିଆଇ ସାରକାରଖାନା, ନାଲକୋ ଇତ୍ୟାଦି କଳକାରଖାନା ଗୁଡ଼ିକ ତାଳଚେରର ନିକଟବର୍ତୀ ଅଂଚଳରେ ଗଢ଼ି ଉଠିଲା । କୋଇଲା ଚାହିଦା ଧିରେଧିରେ ବଢ଼ିବା ଫଳରେ ଏକ ରୁ ଏକାଧିକ ଭୂତଳ ଓ ପୋଖରୀଆ କୋଇଲା ଖଣି ଖନନ କରାଗଲା । ଏହି କୋଇଲାକୁ ବାହାର ରାଜ୍ୟ ଓ କାରଖାନା ରପ୍ତାନୀ କରିବାଲାଗି ସିଧାସଳଖ ଖଣିଭିତରୁ ରେଳଧାରଣା ନିର୍ମାଣ କରାଗଲା ଏବଂ ପରିବହନ ମଧ୍ୟ ସହଜରେ ହୋଇପାରିଲା । ଧିରେ ଧିରେ କୋଇଲାର ବ୍ୟବହାର ମାତ୍ରାଧିକ ହେବାରୁ ପରିବହନକୁ ନେଇ ତାଳଚେର ଅଂଚଳର ବିଭିନ୍ନ ସ୍ଥାନରେ ରେଳଫାଟକ ନିର୍ମାଣ କରାଗଲା ଯଥା:- ଏହି ରେଳଫାଟକ ମୁଖ୍ୟ ରାସ୍ତା ଗୁଡ଼ିକ ଉପରେ ହୋଇଥିବାରୁ ସ୍କୁଲ, କଲେଜ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, କୋର୍ଟ, କଚେରୀ ସମେତ ଚିକିତ୍ସାଳୟ ରହଛି, ରେଳଫାଟକ ଦୀର୍ଘ ସମୟ ଧରି ପଡ଼ି ରହୁଥିବାରୁ ଯାତାୟତରେ ଜନସାଧାରଙ୍କ ବାଧା ଉପୁଜିଥାଏ । ତାଳଚେର ଚର୍ତୁପାଶ୍ୱର୍କୁ ଘେରି ରହିଛି ରେଳଫାଟକ! କୌଣସି ବ୍ୟକ୍ତି କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ କିମ୍ବା ଗୁରୁତର ରୋଗୀକୁ ନେଇ ଚିକିତ୍ସାଳୟକୁ ଯିବା ସମ୍ଭବ ହୋଇନଥାଏ । ତାଳଚେରର ଏହି ରେଳଫାଟକ ପ୍ରାୟ ସମୟ ପଡ଼ିବା ଫଳରେ ଆମ୍ବୁଲାନ୍ସରେ ଯାଉଥିବା ଗୁରୁତର ରୋଗୀ ଠିକ ସମୟରେ ଚିକିତ୍ସାଳୟରେ ପଂହଚି ନପାରି ଅଧା ବାଟରେ ମୃତ୍ୟୁବରଣ କରୁଥିବା କିଛି ଦୃଷ୍ଟାନ୍ତ ମଧ୍ୟ ରହିଛି । ଯଦି ଏହି ରେଳଫାଟକ ଉପରେ ଓଭରବ୍ରିଜ୍ କିମ୍ବା ଅଣ୍ଡରପାସ୍ କରାଯାଆନ୍ତା ତେବେ ତାଳଚେର ଉପଖଣ୍ଡ ଏବଂ ତାଳଚେରକୁ ଆସୁଥିବା ବାହାର ରାଜ୍ୟର ଲୋକଙ୍କ ସମସ୍ୟା ଦୂର ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ସଂଗଠନ, ସ୍ୱେଚ୍ଛାସେବୀଙ୍କ ମହଲରେ ମତପ୍ରକାଶ ପାଇଛି ।