Odisha news

ଜେଏସ୍ ଡବ୍ଲୁ ମନମୁଖୀ କାର୍ଯ୍ୟ ୨୦ ହଜାର ଟ୍ରକ ମାଲିକଙ୍କୁ ଦାଣ୍ଡର ଭିକାରୀ କରିବାକୁ ବସିଲାଣି : ସୁଶାନ୍ତ ବାରିକ

0

କେନ୍ଦୁଝର : ଖଣି ଅଞ୍ଚଳରୁ ପାଇପି ସ୍ଲରିପାଇପି ଯୋଗେ ଖଣିଜ ଦ୍ରବ୍ୟ ପରିବହନ କରିବା ନିଷ୍ପତ୍ତି ଟ୍ରକ ମାଲିକ ମାନଙ୍କୁ ଅସହାୟ କରିଦେଇଛି। ବାରମ୍ବାର ଖଣି ମାଲିକ ଦ୍ବାରା ଶିକାର ହେବାପରେ ଯୋଡ଼ା ଠାରେ ଶତାଧିକ ଟ୍ରକ ମାଲିକ କୋରକମିଟି ସଦସ୍ୟ ମାନଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯୋଡ଼ା ଓ କୋଇଡା ଖଣି କ୍ଷେତ୍ରରେ ଟ୍ରକ ଯୋଗେ ଲୁହାପଥର ପରିବହନ ଏକ ମୂଖ୍ୟ ବ୍ୟବସାୟ ହୋଇଥିବା ବେଳେ ଯୋଡ଼ା ଖଣି କ୍ଷେତ୍ରରେ ଅଧିକାଂଶ ଖଣି ବନ୍ଦ ରହିଛି।କେବଳ ଜେଏସ୍ ଡବ୍ଲୁର ଜଜାଙ୍ଗ, ନୂଆ ଗାଁ,ନାରାୟଣ ପୋଷି,୩ଟି ଖଣି ସକ୍ରିୟ ରହିଛି। ତେବେ ଖଣି ସଂସ୍ଥା ଜେଏସ୍ ଡବ୍ଲୁର ମନମୁଖୀ କାର୍ଯ୍ୟ ଏବେ ଟ୍ରକ ମାଲିକଙ୍କୁ ଦାଣ୍ଡର ଭିକାରୀ କରିବାକୁ ବସିଲାଣି । ଦିନକୁ ଦିନ ଟ୍ରକର ଯନ୍ତ୍ରାଂଶ ଏବଂ ତେଲର ଦରବୃଦ୍ଧି ପାଉଥିବା ବେଳେ ଏହି କମ୍ପାନୀ ପରିବହନ ମୂଲ୍ୟକୁ ନିଜ ଇଛାରେ କମାଇ ପରିବହନ ନିମନ୍ତେ ଟ୍ରକ ମାଲିକ ମନଙ୍କୁ ଶୋଷଣ କରିଆସୁଛି। ଫଳରେ ଟ୍ରକ ମାଲିକ ମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି।

ଏହି କମ୍ପାନୀ ସଡ଼କ ପଥରେ ପରିବହନକୁ ଗୁରୁତ୍ବ ନଦେଇ ରେଳ ଏବଂ ସ୍ଲରି ପାଇପି ଯୋଗେ ଲୁହାପଥର ପରିବହନକୁ ଗୁରୁତ୍ବ ଦେଉଥିବାରୁ ଟ୍ରକ ମାଲିକ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏହି ଖଣି ସଂସ୍ଥାର ଦୈନିକ ୫୦ହଜାର ମେଟ୍ରିକ୍ ଟନ୍ ଲୁହାପଥର ଏହି ତିନୋଟି ଖଣିରୁ ରଏଞ୍ଜଡଆ,ରକ୍ସି,ବିମଲାଗଡ, ବାଶ ପାଣି, ଯୁରୁଡି,,ନୟାଗଡ, ଷ୍ଟେସନରୁ ରେଳ ଯୋଗେ ବାହାରକୁ ପରିବହନ ହୋଇଥାଏ। ଏଥିସହିତ ସ୍ଲରିପାଇପି ଯୋଗେ ମଧ୍ୟ ୪୦ ହଜାର ଟନ୍ ଲୁହାପଥର ଗୁଣ୍ଡ ଦୈନିକ ବାହାରକୁ ରପ୍ତାନି ହେଉଛି। କମ୍ପାନୀର ମନମୁଖୀ ନିର୍ଦ୍ଦେଶ ଖଣିଜ ପରିବହନରେ ସ୍ଥିରତା ଆଣିବାରେ ବାଧାକସୃଷ୍ଟି ହୋଇଥିବା ବେଳେ ପୂର୍ବରୁ ଯୋଡ଼ାରୁ ପାରାଦୀପକୁ ଲୁହାପଥର ପରିବହନ ନିମନ୍ତେ ଟନ୍ ପ୍ରତି ୨୨ଶହ ଟଙ୍କା ଥିବା ବେଳେ ଗୋଟିଏ ରାତିରେ କୌଣସି ସୂଚନା ନଦେଇ ଇଛା ମୁତାବକ ଭାବେ କମ୍ପାନୀ ୧୯ଶହଟଙ୍କାକୁ କମାଇ ଦେଇଛି। ସେହିପରି ଝାରସୁଗୁଡ଼ା ଅନୁଗୁଳ ଏବଂ ଗୋପାଳପୁରକୁ ପରିବହନ ଟନ୍ ପ୍ରତି ୨୪ଶହ ଟଙ୍କା ଥିବାବେଳେ ୨ହଜାର ଟଙ୍କାକୁ କମାଇ ଦେଉଥିବା ଜଣାପଡିଛି। ଜେଏସ୍ ଡବ୍ଲୁର ସର୍ବବୃହତ ଜଜାଙ୍ଗ ଖଣିର ଅବଧି ଜୁନ୍ ୨୦୨୩ ସୁଦ୍ଧା ସରିଯାଉଥିବା ବେଳେ କମ୍ପାନୀ ଯୁଦ୍ଧକାଳୀନ ଭିତ୍ତିରେ ପ୍ରାୟ ଏକ ଲକ୍ଷ ଟନ୍ ଲୁହାପଥର ପରିବହନ କରିବାର ପ୍ରକ୍ରିୟା ଜାରି ରଖିଛି। ସଡ଼କ ପଥରେ ଲୁହାପଥର ପରିବହନକୁ ବନ୍ଦ କରି ଏବେ ପାଇପ ଏବଂ ରେଳ ଯୋଗେ ଲୁହାପଥର ପରିବହନ କରିବା ପାଇଁ ଯୋଜନା କରିଥିବା ବେଳେ ଏହାକୁ ଟ୍ରକ ମାଲିକ ମାନେ ଘୋର ବିରୋଧ କରିଛନ୍ତି। କମ୍ପାନୀର ଏହି ମନମୁଖ୍ କାର୍ଯ୍ୟକଳାପ ଟ୍ରକ ମାଲିକମାନଙ୍କୁ ଅତିଷ୍ଠ କରି ଦେଇଛି।

ଏ ନେଇ ଗୁରୁବାର ସନ୍ଧ୍ୟାରେ ହୋଟେଲ ଲାଓସ ପ୍ୟାଲେସ ସଭା ଗୃହରେ ଏକ ବଡ଼ଧରଣର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଞ୍ଚଳିକ ଟ୍ରକ ମାଲିକ ସଂଘ ବ୍ୟତୀତ କେନ୍ଦୁଝର ଜିଲ୍ଲା ଏବଂ ସୁନ୍ଦରଗଡର କୋଇଡା ଅଞ୍ଚଳର ୬ଟି ସଂଘର କର୍ମକର୍ତ୍ତାମାନେ ଯୋଗଦେଇଥିଲେ। କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ସଭାପତି ରମାକାନ୍ତ ନାୟକ, ଉପସଭାପତି ବିଲ୍ଲି ପଣ୍ଡା, ସମ୍ପାଦକ ସୂର୍ଯ୍ୟ ନାରାୟଣ କର, ଯୁଗ୍ମ ସମ୍ପାଦକ ଦେବୁ ପଟ୍ଟନାୟକ, ଯୋଡ଼ା ଟ୍ରକ ମାଲିକ ସଂଘ ପକ୍ଷରୁ ଉପସଭାପତି ବିଜୁ ଆପଟ୍ଟ, ସମ୍ପାଦକ ସୁଶାନ୍ତ କୁମାର ବାରିକ୍, ଯୁଗ୍ମ ସମ୍ପାଦକ ଅଶୋକ କାରୁଆ, ଭଦ୍ରାସାହୀ ଟ୍ରକ ମାଲିକ ସଂଘ ପକ୍ଷରୁ ସମ୍ପାଦକ ଇନ୍ଦ୍ରଜିତ୍ ବାରିକ୍, ବଡ଼ବିଲ ସଂଘ ପକ୍ଷରୁ ସଭାପତି ବିକାଶ ସରୋଗୀ, ଗୁଆଲି ସଂଘର କର୍ମକର୍ତ୍ତା, କୋଇଡା ଟ୍ରକ ମାଲିକ ସଂଘର ସମ୍ପାଦକ ସରୋଜ ମହାକୁଡ଼, ଏବଂ ଶତାଧିକ ଟ୍ରକ ମାଲିକ ଉପସ୍ଥିତ ରହି କମ୍ପାନୀ ବିରୋଧରେ ବିଷୋଦ୍ ଗାର କରିଛନ୍ତି। ଆଗାମୀ ଦିନରେ କମ୍ପାନୀ ଏହି ମନମୁଖି କାର୍ଯ୍ୟ ଚଳାଇଲେ ଚଳିତ ମାସ ୨୫ରୁ ଟ୍ରକ ମାଲିକ ସଂଘ ପକ୍ଷରୁ ରେଳ ଯୋଗେ ଲୁହାପଥର ପରିବହନକୁ ସମ୍ପୁର୍ଣ୍ଣ ବନ୍ଦ କରିଦିଆଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Leave A Reply