ନୂଆପଡ଼ା-୯/୫ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ରେଞ୍ଜ ଅଫିସରେ ଏକ ଅସୁସ୍ଥ କଲରା ପତାରିଆ ବାଘର ଚିକିତ୍ସା ଚାଲିଥିଲା । ଗତକାଲି ବିଳମ୍ବିତ ରାତିରେ ଅସୁସ୍ଥ ବାଘର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଗତ ଏପ୍ରିଲ ୧୬ ତାରିଖରେ ନୂଆପଡ଼ା ରେଞ୍ଜ ଅଧିନ ଧରମବନ୍ଧା ବିଟ ସିଲିଆରିବାହାରା ଗାଁର ଆମକୋନୀ ଜଙ୍ଗଲରୁ ଏକ କଲରାପତାରିଆ ବାଘକୁ ଗୁରୁତର ଅବସ୍ଥାରେ ବନ ବିଭାଗ ଉଦ୍ଧାର କରିଥିଲା । ଏହି ଅସୁସ୍ଥ ବାଘକୁ ନୂଆପଡ଼ା ରେଞ୍ଜ ଅଫିସରେ ରଖି ଚିକିତ୍ସା ଚାଲିଥିଲା । ଏହି ବାଘକୁ ଉଚ୍ଚତର ଚିକିତ୍ସାର ଆବଶ୍ୟକ ରହିଥିବା ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସକ ପରାମର୍ଶ ଦେଇଥିଲେ ତଥାପି ବନ ବିଭାଗ ର ରେଞ୍ଜର ଅଧିକାରୀ ବାଘକୁ ଉତ୍ତମ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରିନଥିଲେ । ଗତ ୨୬ତାରିଖରୁ ବାଘ ଖାଦ୍ୟ ଗ୍ରହଣ କରିନଥିଲା ଓ ଆରୋଗ୍ୟ ହୋଇନଥିଲା।
ଗତ ମେ ୧ ରେ ଭୁବନେଶ୍ୱର ଓୟୁଏଟି ପ୍ରାଣୀ ଚିକିତ୍ସା କେନ୍ଦ୍ରର ଏକ ବିଶେଷଜ୍ଞ ଟିମ ନୂଆପଡ଼ାରେ ପହଞ୍ଚି ନାମକୁମାତ୍ର ବାଘର ଚିକିତ୍ସା କରି ନିଜ କର୍ତ୍ତବ୍ୟ କରି ଈଶ୍ୱର ଭରସାରେ ବାଘ୍ କୁ ଛାଡି ଚାଲି ଯାଇଥିଲେ । ବାଘ ଯନ୍ତା ଭିତରେ ଜୀବନ ସହ ସଂଗ୍ରାମ କରୁଥିଲା । ଗତ ୮ ଦିନ ହେବ ଠିଆ ଉଠି ପାରୁନଥିବା ବେଳେ ଆଖି ବି ଖୋଲୁ ନଥିଲା । ଗତକାଲି ବିଳମ୍ବିତ ରାତିରେ ବାଘର ମୃତ୍ୟୁ ହୋଇଛି । ରେଞ୍ଜ ଅଧିକାରିଙ୍କ ଖାମ୍ ଖିଆଲ ମନୋଭାବ ଓ ଅବହେଳା ଯୋଗୁଁ ବାଘ ଆଖି ବୁଜିଥିବା କୁହାଯାଉଛି। ଗୁରୁତର ବାଘ କୁ ଉତ୍ତମ ଚିକିତ୍ସା ନିମନ୍ତେ ପ୍ରଥମ ରୁ ବ୍ୟବସ୍ଥା କରିଥିଲେ ଏପରି ହୋଇ ନଥାନ୍ତା ବୋଲି ଜଣେ ବନ ବିଭାଗ କର୍ମଚାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଏପରିକି ବାଘ ର ସଠିକ୍ ଖବର ନେବାକୁ ଯାଉ ଥିବା ସାମ୍ବାଦିକ ମାନଙ୍କୁ ମଧ୍ୟ ଉକ୍ତ ଅଧିକାରି କାର୍ଯ୍ୟାଳୟ କୁ ପୁରାଇଦେଉ ନଥିବା ଅଭିଯୋଗ ହେଉଛି। ଏବେ ବାଘର ମୃତ୍ୟୁ ପାଇଁ ଦାୟୀ କିଏ ହେବ ବୋଲି ପ୍ରାଣୀ ପ୍ରେମୀମାନେ ପ୍ରଶ୍ନ କରିଛନ୍ତି । ଆଠ ଜଣିଆ ଦଳ ବାଘ ର ପିଏମ୍ କରୁଛନ୍ତି। ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀ ରେଞ୍ଜ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବିହେଉଛି।
