ବାରିପଦା : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ବାରିପଦା ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଅଭିଭାଷଣ ଦେଉଥିବାବେଳେ ଲାଇଟ୍ କଟିଯିବାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଏବେ ଆଉ ଏକ ଚିନ୍ତାଜନକ କଥା ସାମ୍ନାକୁ ଆସିଛି । ରାଷ୍ଟ୍ରପତିଙ୍କ ଏହି ତିନିଦିନିଆ ମୟୂରଭଞ୍ଜ ଗସ୍ତ ବେଳେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ହୋଇଥିବା ଜଣାପଡିଛି । ଜଣେ ଫାର୍ମାସିଷ୍ଟ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ ନିୟୋଜିତ ଏକ ହେଲିକପ୍ଟର ପାଖକୁ ଯାଇ ସେଲ୍ଫି ନେବା ସହିତ ସେଥିରେ ବସି ଫଟୋ ଉଠାଇଥିବା ଦେଖିବାକୁ ମିଳିଛି । ସେ ଏହି ଫଟୋଗୁଡିକୁ ତାଙ୍କ ଫେସ୍ବୁକ୍ ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରିଥିଲେ । ତେବେ ବିବାଦୀୟ ସ୍ଥିତି ଉପୁଜିବା ଦେଖି ସେ ଫେସବୁକରୁ ଫଟୋ ଗୁଡିକୁ ଡିଲିଟ୍ କରି ଦେଇଛନ୍ତି । ତେବେ ଏହି ଫାର୍ମାସିଷ୍ଟଙ୍କ ନାଁ ଯଶବନ୍ତ ବେହେରା । ରାଷ୍ଟ୍ରପତିଙ୍କ ଗସ୍ତର ଦ୍ୱିତୀୟ ଦିନରେ ଅର୍ଥାତ୍ ୫ତାରିଖ ଦିନ ସେ ଏହି ସେଲ୍ଫି ଓ ଫଟୋଗୁଡିକ ଉଠାଇଥିଲେ । ସେହିଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଲିକପ୍ଟର ଯୋଗେ ଦିନ ୧୦ଟା ୫୦ରେ ଶିମିଳିପାଳ ପାଦଦେଶରେ ଥିବା ଛେଳିଗୁଦୁଲିରେ ପହଞ୍ଚିଥିଲେ । ସେଠାରୁ ସେ ସଡକପଥରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରିଥିଲେ । ଛେଳିଗୁଦୁଲି ହେଲିପ୍ୟାଡରେ କାର୍ଯ୍ୟରେ ଥିଲେ ଫାର୍ମାସିଷ୍ଟ ଯଶବନ୍ତ ବେହେରା । ତେବେ ସେ ସୁରକ୍ଷାବଳୟ ଭାଙ୍ଗି ରାଷ୍ଟ୍ରପତିଙ୍କୁ ନେଇ ଆସିଥିବା ୩ଟି ହେଲିକପ୍ଟର ମଧ୍ୟରୁ ଗୋଟିକରେ ସେଲ୍ଫି ନେବା ସହିତ ଫଟୋ ମଧ୍ୟ ଉଠାଇଥିଲେ । ସେ ହେଲିକପ୍ଟର ସହିତ ଗୋଟିଏ ସେଲ୍ଫି ନେଇଥିବା ଚିତ୍ର ସାମ୍ନାକୁ ଆସିଥିବାବେଳେ ଆଉ ଦୁଇଟି ଫଟୋ ଉଠାଛନ୍ତି । ଦୁଇଟି ଫଟୋ ମଧ୍ୟରୁ ଗୋଟିକରେ ସେ ହେଲିକପ୍ଟର ଏକ ଅଂଶରେ ବସିଛନ୍ତି ଓ ଅନ୍ୟଟିରେ ହେଲିକପ୍ଟରର ସମ୍ମୁଖ ଭାଗରେ ହାତରେ ଭରାଦେଇ ଛିଡା ହୋଇଛନ୍ତି । ତାଙ୍କର ଏହି ଦୁଇଟି ଫଟୋ କିଏ ଉଠାଇଲେ, ତାହା ଜଣାପଡିନାହିଁ । ଅନ୍ୟପକ୍ଷରେ ଏହି ଘଟଣାର ପଙ୍ଖାନୁପଙ୍ଖ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।