ମୁଖ୍ୟମନ୍ତ୍ରୀ,ଗୃହ ରାଷ୍ଟ୍ର ମନ୍ତ୍ରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଘଟଣାରେ ଚୁପ୍ ରହିବା ଚିନ୍ତାଜନକ
ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ବିବୃତି ନ ଆସିବା ଅନ୍ୟ ଏକ ଦିଗ ଆଡକୁ ଇଙ୍ଗିତ କରୁଛି
ଓଡ଼ିଶା ଲ’ ଲେସନେସ କହିଲେ ବିଜେଡିର ଯେଉଁ ନେତା ମାନଙ୍କୁ ବାଧୁଥିଲା, ସେମାନେ ଏହି ଘଟଣାରେ ପ୍ରତିକ୍ରିୟା କାହିଁକି ଦେଉନାହାନ୍ତି?
ସମଗ୍ର ସମ୍ବଲପୁରରେ ପୋଲିସ ଛାଉଣୀ ଥିବା ବେଳେ ପୁଣି ସାମ୍ପ୍ରଦାୟିକ କାରଣ ନେଇ ହତ୍ୟା କିଭଳି ପରିସ୍ଥିତିରେ ହେଲା ?
ଗତକାଲି ଯୁବକର ମୃତ୍ୟୁବରଣ ଘଟଣାରେ ପ୍ରଶାସନ ସ୍ପଷ୍ଟୀକରଣ ଦେଇନାହିଁ କାହିଁକି ?
ଯୁବକର ଶବ ବ୍ୟବଚ୍ଛେଦ ରିପୋର୍ଟ କଣ ଆସିଛି? ରାତାରାତି କାହାକୁ କିଛି ନ ଜଣାଇ ଯୁବକ ଶବଦାହ କାହିଁକି କରାଗଲା? ଯୁବକର ପରିବାରକୁ କ୍ଷତିପୂରଣ ରାଶି କିଏ ଦେବ?
କିଛି ଦିନ ତଳେ ପୋଲିସ ପ୍ରଶାସନ ଯେଉଁଭଳି ଭାବରେ ବିରୋଧୀ ଦଳ ନେତାଙ୍କୁ ବ୍ୟବହାର କରିଥିଲା, ତାହା କଣ ତୃତୀୟ ମହଲାର ଇଙ୍ଗିତରେ ଏହି ନିଦେ୍ର୍ଦଶ ଦିଆଯାଇଥିଲା କି ?
ପ୍ରଥମେ ହିଂସା ସ୍ଥାନରେ କମ୍ ପୋଲିସ ମୁତୟନ କରାଯିବା ପୋଲିସର ନିଷ୍କ୍ରିୟତାକୁ ପଦାରେ ପକାଇଛି, ଏହା ସ୍ପଷ୍ଟ କରୁଛି ଯେ ତୃତୀୟ ମହଲା ସେଠାରେ ପରୋକ୍ଷ ଭାବରେ ଦଙ୍ଗା କରିବା ପାଇଁ ଚାହୁଁଥିଲା
ଭୁବନେଶ୍ୱର, ଏପ୍ରିଲ ୧୫ – ସମ୍ବଲପୁର ସହରରେ ଅଭାବନୀୟ ଘଟଣା ଘଟିବା ପରେ ମୁଖ୍ୟମନ୍ତ୍ରୀ ନିଜେ ଏହାର ତଦାରଖ କରିଥିଲେ ସମ୍ବଲପୁରବାସୀଙ୍କୁ ଏଭଳି ଦିନ ଦେଖିବାକୁ ପଡିନଥାନ୍ତା । ସହରରେ ଏପରି ଏକ ଘଟଣା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଏ ପର୍ଯ୍ୟନ୍ତ କାହିଁକି ଚୁପ୍ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ।
ସମ୍ବଲପୁରରୁ ବିଜେପିର ସାତ ଜଣିଆ ଫାକ୍ଟ ଫାଇଣ୍ଡିଂ ଟିମ୍ ପ୍ରଶାସନ ଓ ବିଭିନ୍ନ ସମ୍ପ୍ରଦାୟଙ୍କ ସହ ଆଲୋଚନା କରି ଫେରିବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ଏହି ବଡ ଘଟଣାରେ ରାଜ୍ୟର ମୁଖ୍ୟମନ୍ତ୍ରୀ, ଗୃହ ରାଷ୍ଟ୍ର ମନ୍ତ୍ରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଘଟଣାରେ ଚୁପ୍ ରହିବା ଚିନ୍ତାଜନକ । ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଘଟଣାର ବିବୃତି ନ ଆସିବା ଅନ୍ୟ ଏକ ଦିଗ ଆଡକୁ ଇଙ୍ଗିତ କରୁଛି ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ତାଙ୍କର ନୀରବତା ଭାଙ୍ଗନ୍ତୁ, ଗଣମାଧ୍ୟମରେ ସ୍ପଷ୍ଟୀକରଣ ଦିଅନ୍ତୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଲ’ ଲେସନେସ କହୁଥିବା ବେଳେ ବିଜୁ ଜନତା ଦଳର ଯେଉଁ ବଚସ୍କର ମାନଙ୍କୁ ବାଧୁଥିଲା, ସେମାନେ ଆଜି ଏହି ଘଟଣାରେ ପ୍ରତିକ୍ରିୟା କାହିଁକି ଦେଉନାହାନ୍ତି ?
ଗତକାଲି ସେ ଜାଗାରେ ପ୍ରଶାସନ ନଥିବା ଭଳି ମନେ ହେଉଥିଲା । ହନୁମାନ ଜୟନ୍ତୀ କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ସମସ୍ତ କଥା କହିଥିଲେ ମଧ୍ୟ ସେ ଅଂଚଳ ମାନଙ୍କରେ ସୁରକ୍ଷାକୁ କଡା କଡି କରାଯାଇନଥିଲା, ଏ ଆଜି ପ୍ରଶ୍ନବାଚୀ । ଗତକାଲି ସମଗ୍ର ସମ୍ବଲପୁରରେ ପୋଲିସ ଛାଉଣୀ ଥିବା ବେଳେ ପୁଣି ସାମ୍ପ୍ରଦାୟିକ କାରଣ ନେଇ ହତ୍ୟା କିଭଳି ପରିସ୍ଥିତିରେ ହେଲା? ଗତକାଲି ଯେଉଁ ଯୁବକ ମୃତ୍ୟୁବରଣ କରିଛି, ପ୍ରଶାସନ ଏହା ବାବଦରେ ସ୍ପଷ୍ଟୀକରଣ ଦେଇନାହିଁ । ଯୁବକର ଶବ ବ୍ୟବଚ୍ଛେଦ ରିପୋର୍ଟ କଣ ଆସିଛି? ରାତାରାତି କାହାକୁ କିଛି ନ ଜଣାଇ ଯୁବକ ଶବଦାହ କାହିଁକି କରାଗଲା? ତା’ର ପରିବାରକୁ କ୍ଷତିପୂରଣ କିଏ ଦେବ? ଆହତ ହୋଇଥିବା ବ୍ୟକ୍ତିଙ୍କର ଅବସ୍ଥା କଣ ଅଛି? ଏ ସବୁ ପ୍ରଶ୍ନର ଉତର ସରକାରଙ୍କ ସାମ୍ନାରେ ପ୍ରଶ୍ନ ହୋଇ ରହିଛି । ଏହାର ଉତର ସରକାର ଦେବା ପାଇଁ ଆମେ ଦାବି କରୁଛୁ ।
କିଛି ଦିନ ତଳେ ସମ୍ବଲପୁର ସହରରେ ଏକ ସାମାନ୍ୟ ଘଟଣାକୁ ନେଇ ପୋଲିସ ପ୍ରଶାସନ ଯେଉଁଭଳି ଭାବରେ ବିରୋଧୀ ଦଳ ନେତାଙ୍କୁ ବ୍ୟବହାର କରିଥିଲା, ପରବର୍ତୀ ସମୟରେ ପୋଲିସ ସଂଘ ସହିତ ପ୍ରଶାସନ, ବିରୋଧୀ ଦଳ ନେତାଙ୍କୁ ଇଙ୍ଗିତ କରିଥିଲା, ତାହା କଣ ତୃତୀୟ ମହଲାର ଇଙ୍ଗିତରେ ଏହି ନିଦେ୍ର୍ଦଶ ଦିଆଯାଇଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି । ଯେଉଁ ସ୍ଥାନରେ ପ୍ରଥମେ ହିଂସା ହେଲା ସେଠାରେ କମ୍ ପୋଲିସ ମୁତୟନ କରାଯିବା ପୋଲିସର ନିଷ୍କ୍ରିୟତାକୁ ପଦାରେ ପକାଇଛି । ଏହା ସ୍ପଷ୍ଟ କରୁଛି ଯେ ତୃତୀୟ ମହଲା ସେଠାରେ ପରୋକ୍ଷ ଭାବରେ ଦଙ୍ଗା କରିବା ପାଇଁ ଚାହୁଁଥିଲା ।
ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ଯେ ଯେଉଁ ସ୍ଥାନରେ ସଂଖ୍ୟା ଲଘୁ ସମ୍ପ୍ରଦାୟ ପକ୍ଷରୁ ଉତେଜନା ହୁଏ ସେହି ଅଂଚଳରେ ଅଧିକ ସୁରକ୍ଷା ଦେବା କଥା । ମାତ୍ର ସେଠାରେ ସୁରକ୍ଷା ବ୍ୟବସ୍ଥା ଦିଆଗଲା ନାହିଁ । ସୁରକ୍ଷା ଦିଆନଯିବା କଥା ବରେଇପଲ୍ଲୀ ଥାନା ଅଧିକାରୀ ଧର୍ମେନ୍ଦ୍ର ସ୍ୱାଇଁ ମଧ୍ୟ ନିଜ ଏତଲାରେ ଲେଖିଛନ୍ତି । ଆବଶ୍ୟକ ଅନୁସାରେ ସୁରକ୍ଷା କମ୍ ଥିବା କଲେକ୍ଟର ଏବଂ ଏସପି ସ୍ୱୀକାର କରିଛନ୍ତି । ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ହିଂସାକାଣ୍ଡ ଘଟାଉ ଥିବା ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଜାଣି ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ? ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ବାରମ୍ବାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ହାତକୁ ନେଉଥିବାବେଳେ କାହିଁକି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି ।
ଉଲ୍ଲେଖନୀୟ ଯେ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ସୁବାଷ ପାଣିଗ୍ରାହୀ. ନାଉରୀ ନାଏକ, ମୁକେଶ ମହାଲିଙ୍ଗ, ଭବାନୀ ଶଙ୍କର ଭୋଇ, ମୁଖପାତ୍ର ବିରଂଚି ତ୍ରିପାଠୀ ଓ ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଭାବରେ ସମ୍ବଲପୁର ଗସ୍ତ କରିଥିଲେ ।