Odisha news

ମା’ହିଙ୍ଗୁଳାଙ୍କ ଯାତ୍ରାରେ ବ୍ୟତୀକ୍ରମକୁ ନେଇ ଜନ ଅସନ୍ତୋଷ

0

ତାଳଚେର ତା ୦୫/୦୪ ତାଳଚେର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଓ ୧୯ତମ ଲୋକମହୋତ୍ସବ ଗତକାଲି ଠାରୁ ଆରମ୍ଭ ହୋଇ ପ୍ରାୟ ୯ଦିନ ବ୍ୟାପି ଏହାର ପ୍ରଚାରପ୍ରସାର ନିମନ୍ତେ ବିଭିନ୍ନ ରାଜ୍ୟରୁ କଳାକାରମାନଙ୍କୁ ଆଣି ହିଙ୍ଗୁଳା ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମା’ଙ୍କଯାତ୍ରାରେ ଗତକାଲି ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଟ୍ରଷ୍ଟବୋର୍ଡ଼ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟତୀକ୍ରମକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଟ୍ରଷ୍ଟବୋର୍ଡ଼ ପକ୍ଷରୁ ମା’କରଡ଼େଇ ନିକଟରେ ଥିବା ବିସ୍ତିର୍ଣ୍ଣ ପଡ଼ିଆ ଠାରେ ଚୁଟିମଣ୍ଡନ କରିବାକୁ ସ୍ଥାନ ନିରୁପଣ କରାଯାଇଥିଲେ ମଧ୍ୟ ମାନସିକଧାରୀ ଚୁଟିମଣ୍ଡନ ନିମନ୍ତେ ପାନୀୟଜଳ ଓ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇନଥିଲା ।

ସେହିଭଳି ସରକାର ପଲିଥିନ୍ ମୁକ୍ତ ଦେଶ ଡ଼ିମଡ଼ିମ୍ ପିଟୁଥିବା ବେଳେ ମା’ଙ୍କ ଯାତ୍ରାସ୍ଥଳୀ ଠାରୁ ଆରମ୍ଭ କରି ଜୁଆଡ଼େ ଦେଖିବ ସିଆଡ଼େ କୁଢ଼କୁଢ଼ ପଲିଥିନ୍ ପଡ଼ିଥିବା ଦେଖିବାକୁ ମିଳିଥିଲା । ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରାରେ ଚଳିତବର୍ଷ ଛିନ୍‌ତାଇ, ପକେଟ୍‌ମାର ଓ ରୋମିଓମାନଙ୍କ ଅସାଦାଚାରଣରେ ଶ୍ରଦ୍ଧାଳୁ ଅତିଷ୍ଠ ହୋଇପଡ଼ିଥିବା ଅଭିଯୋଗ ହୋଇଥିଲା । ମା’କରଡ଼େଇ ମନ୍ଦିର ଠାରୁ ଉଭାସ୍ଥଳୀ ରାସ୍ତା ପର୍ଯ୍ୟନ୍ତ ଜଳସାଙ୍ଗକୁ ମହିଳାମାନଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ହୋଇପାରିନଥିବାରୁ ମହିଳାମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏପରିକି, ବିଭିନ୍ନ ଦଳୀୟ ଭିଆଇପି ଲୋକଙ୍କ ନିମନ୍ତେ ସ୍ୱତନ୍ତ୍ର ପାସ୍ ବ୍ୟବସ୍ଥା କରାଯାଇଥିବା ବେଳେ କିପରି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଶାସନ ପକ୍ଷରୁ ସାମାନ୍ୟତମ ଦୃଷ୍ଟି ଦିଆଯାଇଥିବା ଘଟଣା ଗଣମାଧ୍ୟମ ପ୍ରତିନିଧିଙ୍କ ମହଲରେ ଅସନ୍ତୋଷ ଦେଖାଦେଇଥିଲା, ଏବଂ ସାଧାରଣ ଲୋକଙ୍କ ପ୍ରତି ସତେ ଯେପରି ପ୍ରଶାସନ ଆଖିବୁଜି ଦେଇଥିବା ଭଳି ଅବସ୍ଥା ଦେଖାଦେଇଥିଲା ।

ମା’ଙ୍କ ଯାତ୍ରାରେ ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖିବା ଉଦ୍ଦେଶ୍ୟରେ ଆବର୍ଜନା କୁଣ୍ଡ ବ୍ୟବହାର ପ୍ରତି ଲୋକଙ୍କୁ ସଚେତନ କରାଯାନଥିଲା ଏବଂ ତାଳଚେର ରେଡ଼କ୍ରସ୍‌କୁ ଏଥର କୌଣସି ସ୍ଥାନ ଦିଆଯାଇନଥିଲା ବୋଲି ଅଭିଯୋଗ ହୋଇଛି । ସେହିପରି ୩କିମି ରାସ୍ତା ଚାଲିବା ଥିବା ବେଳେ ବରିଷ୍ଠ ଭିନ୍ନକ୍ଷମଙ୍କ ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନଥିବାରୁ ସେମାନେ ଯାତ୍ରା ନଦେଖିପାରି ବହୁ ଅସୁବିଧାର ସମ୍ମୁଖୀନ ହେବା ସହିତ କ୍ଷୋଭ ପ୍ରକାଶ କରିବା ସହ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ହୋଇନଥିଲା । ପୁନଶ୍ଚ ପ୍ରଶାସନ ଓ ଟ୍ରଷ୍ଟବୋର୍ଡ଼ ପକ୍ଷରୁ ମା’ଙ୍କ ଉଭାସ୍ଥଳୀରେ, ନଡ଼ିଆ, ଧୂପ, ଦୀପ ନଲଗାଇବାକୁ ବାରଣ କରାଯାଇଥିବା ବେଳେ ଶ୍ରଦ୍ଧାଳୁମାନେ ଏହାକୁ ଖାତିରନକରି ବିଗତବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଅନୁରୂପ ଅବସ୍ଥା ଦେଖାଦେଇଥିଲା ।  ସିସିକ୍ୟାମେରା, ଆଲୋକିକରଣ ବ୍ୟବସ୍ଥା ପ୍ରଚୁର ପରିମାଣରେ କରାଯାଇନଥିବାରୁ ଏହାର ନାକାରତ୍ମକ ପ୍ରଭାବ ଦେଖିବାକୁ ମିଳିଥିଲା । ତେବେ ଏତେଶୟ ଭକ୍ତ ଅଂଚଳବାସୀ, ଏମସିଏଲ ଓ ବିଭିନ୍ନ ଅନୁଷ୍ଠାନ, ପ୍ରତିଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ସତ୍ୱେ ଏହି ଟଙ୍କା କାର୍ଯ୍ୟରେ ନଆସି ଯାଉଛି କୁଆଡ଼େ ବୋଲି ସାଧାରଣରେ ପ୍ରଶ୍ନବାଚୀ ସ୍ପଷ୍ଟ କରିଛି । ଏହି ମା’ଙ୍କ ଦାନଅର୍ଥ ଓ ଯାତ୍ରାରେ ସମସ୍ତ ଆୟବ୍ୟୟ ସାର୍ବଜନୀନ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

Leave A Reply