Odisha news

କନ୍ଧମାଳରେ ଜାଡ, ଫୁଲବାଣୀ ରେ ତାପମାତ୍ରା ୫ ଡିଗ୍ରୀ ଦାରିଙ୍ଗବାଡ଼ି ୬.୫ ସେଲସିୟସ

0
ଫୁଲବାଣୀ ତା – ୮।୧,କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ    ସହର ସମେତ ସମଗ୍ର ଜିଲ୍ଲାରେ ଗତ ଦୁଇ ଦିନ ଧରି ଶୀତର ପ୍ରକୋପ ବୃଦ୍ଧି ପାଇଛି। ଆଜି ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରହିଥିବାବେଳେ ଓଡିଶାର କାଶ୍ମୀର ଭାବରେ ପରିଚିତ ଥିବା ଦାରିଙ୍ଗବାଡ଼ି ର ତାପମାତ୍ରା ୬.୫ ଡିଗ୍ରୀ ସେଲସିୟସ ରହିଥିବା ନେଇ ଜିଲ୍ଲା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ଦାରିଙ୍ଗବାଡ଼ି ରେ କିଛି ସ୍ଥାନରେ ବରଫ ପଡିଥିବା ଦେଖାଯାଇଛି। ବ୍ଲକର ବିଭିନ୍ନ ସ୍ଥାନରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ଶନିବାର ଫୁଲବାଣୀ ରେ ତାପମାତ୍ରା ୮.୦ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଦାରିଙ୍ଗବାଡ଼ିରେ ୮.୫ ଡିଗ୍ରୀ ରହିଥିଲା। ଆଜି ହଠାତ୍ ଏହା ତଳକୁ ଖସି ଆସିଥିବା ଯୋଗୁଁ ରବିବାର ସନ୍ଧ୍ୟାରୁ ପ୍ରବଳ ଶୀତ ଅନୁଭୂତ ହୋଇଛି । ଏହାର ପ୍ରଭାବରେ ଫୁଲବାଣୀ ସମେତ ଦାରିଙ୍ଗବାଡ଼ି ,
 ଫିରିଙ୍ଗିଆ, ଘୁ.ଉଦୟଗିରି, ରାଇକିଆ,କ. ନୂଆଗାଁ, ବାଲିଗୁଡା, ତୁମୁଡ଼ିବନ୍ଧ, କୋଟଗଡ ସମେତ ବିଭିନ୍ନ ଅଂଚଳର ଲୋକଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି। ସକାଳୁ ଘନ କୁହୁଡ଼ି ରେ ଆକାଶ ଆଚ୍ଛାଦିତ ହୋଇ ପଡିଛି। ସକାଳ ୧୦ ଟା ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ଦେଖା ଯାଉନାହିଁ। ଘରେ ଓ ରାସ୍ତା କଡରେ ଲୋକେ ନିଆଁ ଲଗାଇ ଶୀତ ଦାଉରୁ ରକ୍ଷା ପାଇବାକୁ ଚେଷ୍ଟା କରୁଛନ୍ତି। ପର୍ଯ୍ୟଟକଙ୍କ ଭୀଡ ମଧ୍ୟ ଏହି ଦୃଶ୍ୟ ଦେଖିବାକୁ ଜିଲ୍ଲା ର ଦାରିଙ୍ଗବାଡ଼ି ତଥା ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀ ରେ ଲାଗି ରହିଛି। ତାପମାତ୍ରା ଖସିଯିବା ଯୋଗୁଁ ଆଜି ଦାରିଙ୍ଗବାଡ଼ି ର କେତେକ ସ୍ଥାନରେ ସାମାନ୍ୟ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ଗତ କାଲି ସନ୍ଧ୍ୟାଠାରୁ ଆକାଶ ମେଘ ମୁକ୍ତ ରହିବା ଫଳରେ ରାତିରେ ପ୍ରବଳ ଥଣ୍ଡା ସହ ଜାଡ଼ ହୋଇ ବ୍ଲକ ଅଞ୍ଚଳରେ ଅନେକ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ଏହିଭଳି ତୁଷାରପାତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦାରିଙ୍ଗବାଡ଼ିର କୁତୁବାଡ଼ି ସିମନବାଡ଼ି ତିଲୋରୀ ଗ୍ରୀନବାଡ଼ି ସମେତ ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି। ଗୋଟିଏ ପଟେ ଗତକାଲି ଠାରୁ ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସଵ ଆରମ୍ଭ ହୋଇଥିବା ବେଳେ ଶୀତ ଉତ୍ସବ ଆରମ୍ଭ ପରେ ପରେ ଏଭଳି ତୁଷାରପାତ ପଡ଼ିବାରୁ ତାହାକୁ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ପର୍ଯ୍ୟଟକଙ୍କ ଭିଡ଼ ଯମିବାରେ ଲାଗିଛି।

Leave A Reply