ଭଂଜନଗର – ନିଜର ଅପାରଗତା କିମ୍ବା ଅସ୍ବଭାବିକ କାରଣରୁ ନୁହେଁ , ବରଂ ନିଜ ଚିନ୍ତାଧାରାର ନିଷ୍ଠୁର-ସତ୍ୟ କୁ , ମୂଲ୍ୟାୟନ କରିବା ପାଇଁ ସେ ଇଞ୍ଜିନିୟର ଭଳି ଚାକିରି ଛାଡିଦେଲେ । ମୋଟା-ଅଙ୍କ ଦରମାର ମୋହ , ଅଟକାଇ ପାରିଲାନି ତାଙ୍କ ସ୍ବାଭିମାନକୁ । ନିଜ ବାବୁ-ପଣିଆ କୁ ସାବ୍ୟସ୍ତ କରିବା ପାଇଁ , କାହା ପାଖରେ ବଚସ୍କର ହୋଇ ରହିବାକୁ ଇଛା କଲେନି । ସବୁ ପ୍ରତିକୂଳ ପରିସ୍ଥିତିକୁ ପଛକରି , ଆଗକୁ ବଢିବାର ଭିନ୍ନ ଏକ ପ୍ରୟାସ । ଯେଉଁଥିପାଇଁ ସେ ଏବେ ଚର୍ଚ୍ଚାରେ । ଏମିତି ଜଣେ ଭିନ୍ନ ମଣିଷଙ୍କ, ନିଆରା ପ୍ରୟାସ , ଆମ ପ୍ରତିନିଧି ଙ୍କ ନଜରକୁ ଆସିଥିଲା । ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ ବି.ଡି.ପୁର ଗାଁ ର ସନ୍ତୋଷ କୁମାର ରଥ । ସେ ଏବେ ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ନେଟଙ୍ଗା ପଞ୍ଚାୟତର ବାଲିସାହି ଗାଁ ରେ ଅସ୍ଥାୟୀ ଭାବେ ଏକା ଏକା ରହୁଛନ୍ତି ।
ଛେଳି ଗୁହାଳରୁ ଆରମ୍ଭ ହୁଏ , ତାଙ୍କର ପ୍ରତ୍ୟେକ ସକାଳ । ଦିନ ତମାମ ସେମାନଙ୍କୁ ଚରାନ୍ତି ଏବଂ ସଂଞ୍ଜ ନଇଁଲେ ଘରକୁ ଫେରି ଆସନ୍ତି । ପୁଣି ସନ୍ଧ୍ୟାରୁ ରାତି ଯାଏଁ , ସେମାନଙ୍କୁ ନିଜେ ଚିକିତ୍ସା କରନ୍ତି ।
ତାଙ୍କ ର ଶିକ୍ଷାଗତ ଯୋଗ୍ୟତା , କାର୍ଯ୍ୟ ଶୈଳୀ ଏବଂ ଚିନ୍ତାଧାରା ବିଷୟରେ ଜାଣିଲେ , ଯେକେହି ବି ଘଡ଼ିଏ ଭାବିବାକୁ ବାଧ୍ୟ ହେବ । ତାଙ୍କ ଶିକ୍ଷାଗତ ଯୋଗ୍ୟତା କୁ ନେଇ ସନ୍ତୋଷ କହନ୍ତି , ସେ ଇନଷ୍ଟ୍ରୁମେଣ୍ଟ୍ ଇଞ୍ଜିନିୟରିଂ ରେ ଡିପ୍ଳମା
କରିଛନ୍ତି । ଏହାସହ ସେ “ଗୋଟ୍ ଫାର୍ମିଂ” ବିଷୟରେ ତାଲିମ୍ ବି ନେଇଛନ୍ତି । ଏବେ ସେ ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ବାଲିଭାଗ ନିକଟ ଶ୍ରୀକରପୁର ବ୍ରାହ୍ମଣ ଶାସନ ଗାଁ ରେ
ଜଣେ ସମ୍ପର୍କୀୟ ଙ୍କ ଗୋଟିଏ ଘର ଏବଂ କିଛି ଜାଗା ନେଇ , ଛେଳି ଚାଷ ଆରମ୍ଭ କରିଛନ୍ତି । ନିଜ ସଂଘର୍ଷମୟ ଜୀବନ ବିଷୟରେ ସନ୍ତୋଷ କହନ୍ତି , କଲେଜ ପାଠପଢ଼ା ସରିବା ପରେ , ଘରର ଆର୍ଥିକ ସମସ୍ୟା କାରଣରୁ ସେ ମହାରାଷ୍ଟ୍ର ଚାଲିଗଲେ । ସେଠାରେ ଏକ କମ୍ପାନୀ ରେ କାମ କଲେ । ଯେହେତୁ , ତାଙ୍କର ଇଛା ଥିଲା ଅଧିକ ପାଠ ପଢ଼ିବାପାଇଁ । ତେଣୁ ସେହି କମ୍ପାନୀରେ କାମ କରିବା ସହ , ଇନଷ୍ଟ୍ରୁମେଣ୍ଟ୍ ଇଞ୍ଜିନିୟରିଂ ରେ ଡିପ୍ଳମା କଲେ । ସେହି ଅନୁସାରେ କମ୍ପାନୀ ରେ ଚାକିରି କରି , ମୋଟା ଦରମା ପାଇଲେ । ଏହାସହ ସେ ଛେଳି ଚାଷ ରେ ତାଲିମ୍ ବି ନେଲେ । ଗତ କୋଭିଡ୍ ସମୟରେ , ସେଠାକାର କମ୍ପାନୀ ଗୁଡ଼ିକ ପ୍ରଭାବିତ ହେଲା । ଆଉ ଚାକିରି କରିବେ ନାହିଁ ବୋଲି ସ୍ଥିର କରି , ସନ୍ତୋଷ ନିଜ ଗାଁ କୁ ଚାଲିଆସିଲେ । ନିଜେ ଛେଳିଚାଷ କରିବା ପାଇଁ ନିଷ୍ପତ୍ତି ନେବାରୁ , ପରିବାର ଲୋକେ ଏଥିରେ ରାଜି ହୋଇନଥିଲେ । ବ୍ରାହ୍ମଣ ଘରର ପୁଅ ଏବଂ ପରିବାର ର ସ୍ବାଭିମାନ କଥା ଉଠିଲା ।
ନିଜ ଉଦ୍ୟମକୁ ପୂର୍ଣ୍ଣ କରିବାପାଇଁ , ଘର ଲୋକଙ୍କ ଠାରୁ ୩ ବର୍ଷର ମହଲତ ଲୋଡିଲେ । ପ୍ରଥମେ ୧୪ ଟି ଛେଳି କିଣିଆଣି, ନିଜ ସମ୍ପର୍କୀୟଙ୍କ ଗାଁ ଶ୍ରୀକରପୁର ରେ ଛେଳିଚାଷ ଆରମ୍ଭ କଲେ ସନ୍ତୋଷ । ପ୍ରତିଦିନ ନିଜେ ଛେଳିଙ୍କୁ ଚଳାଇବାକୁ ନିଅନ୍ତି ଏବଂ ସେମାନଙ୍କ ଚିକିତ୍ସା ମଧ୍ୟ ନେଜେହିଁ କରନ୍ତି । ଏବେ ତାଙ୍କର ଛେଳି ସଂଖ୍ୟା ୫୭ ହଲାଣି । ଏହାସହ ରହୁଥିବା ଗାଁ ର ଏକ ପୋଖରୀ ରେ ମାଛ ଚାଷ ଆରମ୍ଭ କଲେ । ନିଜର ସବୁ କାମ ବ୍ୟତୀତ , ଆଖପାଖ ଅଞ୍ଚଳରେ ରହିଥିବା ଛେଳି ଚାଷୀଙ୍କ , ଛେଳିଙ୍କୁ ଚିକିତ୍ସା ମଧ୍ୟ କରିବାକୁ ଯାଆନ୍ତି । ତାହା ପୁଣି ବିନା ପାରିଶ୍ରମିକରେ । ବେଳେ ବେଳେ ନିଜ ଖର୍ଚ୍ଚରେ ଚିକିତ୍ସା କରନ୍ତି ସେ ।
ସନ୍ତୋଷ ଙ୍କ କହିବା ପ୍ରକାରେ , ଆଉ ଚାକିରି କରିବେ ନାହିଁ ବୋଲି ଚିନ୍ତାକରି , ଛେଳି ଚାଷ ଏବଂ ଛେଳି ଚରାଇବା ବୃତ୍ତି କୁ ଆପଣେଇଛନ୍ତି । ଯିଏ ଯାହା କହିଲେ ବି , ନିଜକୁ ଛୋଟ ମନେକରନ୍ତିନି ସେ । ତାଙ୍କର କହିବା କଥା ହେଲା , ନିଜ ବୃତ୍ତିରେ ନେଜେ ମାଲିକ , ନିଜେ କର୍ମଚାରୀ । କାହା ପାଖରେ ହାତ-ପାତିବା କିମ୍ବା ଅଧସ୍ତନ କର୍ମଚାରୀ ଭାବେ ଗୋଡ-ଭାଙ୍ଗି ଠିଆ ହେବା ଅପେକ୍ଷା , ନିଜେ ସ୍ବାବଲମ୍ବୀ ହୋଇଛନ୍ତି । କେବଳ ସେତିକି ନୁହେଁ , ଅନ୍ୟମାନଙ୍କ ପାଇଁ ରୋଜଗାର ମଧ୍ୟ ସୃଷ୍ଟି କରିପାରିଛନ୍ତି । ଏଥିରେ ସ୍ବାଧିନତା ଏବଂ ସ୍ବାଭିମାନ ରହିଛି ବୋଲି କହନ୍ତି । ତାଙ୍କର ଏଭଳି ଚିନ୍ତାଧାରାକୁ , ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ପ୍ରଶଂସା କରୁଛନ୍ତି । ସନ୍ତୋଷ ଙ୍କ ଏଭଳି ସକରାତ୍ମକ ଚିନ୍ତାଧାରା କୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ କହନ୍ତି ,
ପାଠ – ଚାକିରି ଏବଂ ମୋଟା ଦରମା , ଜଣେ ବ୍ୟକ୍ତି କୁ “ବଡ ମଣିଷ” କରିପାରେ । କିନ୍ତୁ ଆଜିର ସମୟରେ ଜଣେ “ଭଲ ମଣିଷ” ଖୋଜିପାଇବା କଷ୍ଟକର ।
ଯାହା ସନ୍ତୋଷ ଙ୍କ ଚିନ୍ତାଧାରା ରେ ଫୁଟିଉଠିଛି । ଅନ୍ୟପକ୍ଷରେ , ପାଠପଢା ପରେ ଅଧିକାଂଶ ଯୁବପିଢି ଚାକିରି ଦୈ।ଡରେ ରହୁଛନ୍ତି । ଯାହାଫଳରେ ଚାଷ ଏବଂ ପଶୁପାଳନ ବୃତ୍ତି ଧିରେଧିରେ କମିଯାଉଛି , ବୋଲି କୁହାଯାଉଛି । ବେଳେ ବେଳେ ଏଭଳି ବୃତ୍ତି କୁ ନେଇ , କିଛି ଲୋକଙ୍କ ସମାଲୋଚନା ତାଙ୍କୁ ଶୁଣିବାକୁ ମିଳେ । କିନ୍ତୁ ନିଜର ସଫଳ ଉଦ୍ୟମ ଏବଂ ପାଳନ କରୁଥିବା ଛେଳି ମାନଙ୍କୁ ଦେଖିଲେ , ନିଜ ମନୋବଳ ପୁଣି ଦମ୍ଭଧରି ଠିଆ ହୁଏ ବୋଲି , ସନ୍ତୋଷ କହନ୍ତି । ଆଜିକାଲି ସହର ଭଳି ଗାଁ ରେ ବି , ରୋଜଗାର ସୃଷ୍ଟି କରାଯାଇ ପାରିବ ।
ଚାକିରି ବ୍ୟତୀତ ଚାଷ ରେ ବି ସମ୍ଭାବନା ରହିଛି । ସେ କ୍ଷେତରେ ହେଉ କିମ୍ବା ପଶୁ ପାଳନରେ । ଯାହାକି , ନିଜ ଉଦ୍ୟମକୁ ଏକ ସକରାତ୍ମକ ଢଙ୍ଗରେ ଶାଣିତ କରିବାର ପ୍ରୟାସ ଜାରି ରଖିଛନ୍ତି , ସନ୍ତୋଷ ରଥ । ଅନ୍ୟମାନଙ୍କ ପାଇଁ ସେ ଉଦାହରଣ ସାଜିବା , ନ’ସାଜିବା ସେ ଭିନ୍ନକଥା । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ , ସମୟର ସୁଅ-କାଟି ଆଗକୁ ବଢିବା , ଜଣେ ସ୍ଵାଭିମାନୀ ଏବଂ ଉଦ୍ୟମୀ ମଣିଷର ପରିଚୟ ସୃଷ୍ଟି କରିଛନ୍ତି ସନ୍ତୋଷ ।