ନିରାକାରପୁର,୨୫ା୧୨: ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ମଳିପଡାଠାରେ ମଳିପଡା ବଜରଙ୍ଗୀ ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ରବୀନ୍ଦ୍ର ମାନଧାତା ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଟଂ ଆଜି ଉଦଘାଟିତ ହୋଇଯାଇଛି । ଆଜି ଉଦଘାଟନୀ ମ୍ୟାଚ ଦୁଇଟି ଗୃପ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଗୃପ ମ୍ୟାଚ ମଳିପଡା ଫୁଟବଲ ଆସୋସିଏସନ ବନାମ ଖୋର୍ଦ୍ଧା ଫୁଟବଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଦୁଇଦଳଙ୍କ ମଧ୍ୟରେ ସଂର୍ଘଷପୂର୍ଣ୍ଣ ଖେଳ ହୋଇଥିବାରୁ ଖେଳ ଶେଷ ପର୍ଯ୍ୟନ୍ତ କେହି କାହାରକୁ ଗୋଲ ଦେଇପାରିନଥିଲେ । ଫଳରେ ଖେଳ ଅମୀମାଂସିତ ରହିଥିଲା । ଖେଳର ନିୟମାନୁଯାୟୀ ଟା୍ରଏବେକର ମାଧ୍ୟମରେ ଖେଳ ଫଏସଲା କରାଯାଇଥିଲା । ଫଳରେ ମଳିପଡା ଦଳ ୪-୩ ଗୋଲରେ ବିଜୟୀ ହୋଇଛି । ସେହିପରି ଦ୍ୱିତୀୟ ଗୃପ ଖେଳ ରଣପୁର ଫୁଟବଲ ଆସୋସିଏସନ ବନାମ ନୟାଗଡ ଫୁଟବଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରଣପୁର ଦଳ ପକ୍ଷରୁ ୩ଟି ଗୋଲ କରାଯାଇଥିିବାବେଳେ ନୟାଗଡ ଦଳ ୨ଟି ଗୋଲ ପରିଶୋଧ କରିପାରିଥିଲେ । ଫଳରେ ରଣପୁର ଦଳ ୩-୨ ଗୋଲରେ ବିଜୟୀ ହେଇଛି । ଆଜିଏହି ଉଦଘାଟନୀ ମ୍ୟାଚରେ ଅତିଥିଭାବେ ରାଜ୍ୟ ବିଜେଡି ମହିଳା ମୋର୍ଚ୍ଚା ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଚରଣ ଖଣ୍ଡାଇତରାୟ, ପ୍ରମୁଖ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖେଳ ପ୍ରଶିକ୍ଷକ ଫକୀର ଚରଣ ନିଶଙ୍କ, ପୂର୍ଣ୍ଣଚନ୍ଦ୍ର ମାନଧାତା, ଲଲାଟେନ୍ଦୁ ଚମ୍ପତି ପ୍ରମୁଖ ଯୋଗଦେଇଥିଲେ । ଖେଳ ପରିଚାଳନା କରିଥିଲେ ଟୁଟୁ ଦାସ ଓ ତାଙ୍କୁ ଲାଇନରେ ସହାୟତା କରିଥିଲେ ସୁମନ୍ତ ସୁବୁଦ୍ଧି ବେହେରା, ଓ ହେମନ୍ତ ଦାସ ।