କୋଣାର୍କ – ଗତ ଡିସେମ୍ବର ମାସ ୧ତାରିଖ ଠାରୁ ଆରମ୍ଭ ହୋଇଥିବା ୩୩ତମ କୋଣାର୍କ ଉତ୍ସବ ସୋମବାର ଓଡିଶୀ ଓ କୁଚିପୁଡ଼ି ନୃତ୍ୟର ମହାମିଳନ ପର୍ବର ମହାର୍ଘ ଉପସ୍ଥାପନରେ ଉଦଯାପିତ ହୋଇଯାଇଛି। ବିଶ୍ବ ପର୍ଯ୍ଯଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିରର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଡିସେମ୍ବର ୧ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପଂଚ ଦିବସୀୟ କଳା ଓ ସଂସ୍କୃତିର ମହାକୁମ୍ଭ କୋଣାର୍କ ଉତ୍ସବର ଉଦଯାପନୀ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ଓଡିଶୀ ନୃତ୍ୟ। ପ୍ରଥମ ଚରଣରେ ନୃତ୍ୟ ନୈବେଦ୍ୟ ଅନୁଷ୍ଠାନର ଗୁରୁ ପ୍ରଭାତ କୁମାର ସ୍ଵାଇଁ ଓ ସାଥି କଳାକାର ମାନଙ୍କ ଦ୍ଵାରା ଓଡିଶୀ ନୃତ୍ୟ ଶୈଳୀରେ ସୂର୍ଯ୍ୟ ବନ୍ଦନା ପରିବେଷିତ ହୋଇଥିଲା। ଭଗବାନ ସୂର୍ଯ୍ୟ ନାରାୟଣ ହେଉଛନ୍ତି ସକଳ ଶକ୍ତିର ଆଧାର। ସୂର୍ଯ୍ୟ ହେଉଛନ୍ତି ଅସ୍ତିତ୍ବର ଏକମାତ୍ର କାରଣ ଏବଂ ଶକ୍ତିର ମହାଉତ୍ସ। ଭଗବାନ ସୂର୍ଯ୍ୟ ନାରାୟଣଙ୍କ ରଥରେ ଥିବା ୭ଗୋଟି ଘୋଡା ହେଉଛନ୍ତି ୭ଗୋଟି ଆଲୋକର ପ୍ରତୀକ, ସପ୍ତାହର ସାତଦିନ ଏବଂ ଏହା ମାନବ ଜାତିର ଜୀବନଚକ୍ର କୁ ପ୍ରତିପାଦନ କରିଥାଏ। ଏହି ନୃତ୍ୟରେ ଜୀବନ ହେଉଛି ସୂର୍ଯ୍ୟ ଓ ସୂର୍ଯ୍ୟ ନାରାୟଣ ହେଉଛନ୍ତି ଜୀବନ ଯାହା ରାଗ ରାଗମାଳିକା ଓ ତାଳ ତାଳମାଳିକା ଉପରେ ଆଧାରିତ ଥିଲା। ଏହି ନୃତ୍ୟକୁ ଗୁରୁ ନିତ୍ୟାନନ୍ଦ ମିଶ୍ରଙ୍କ ଦ୍ଵାରା ରଚିତ ହୋଇଥିବା ବେଳେ ସଂଗୀତ ସଂଯୋଜନା ଗୁରୁ ସୁକାନ୍ତ କୁମାର କୁଣ୍ଡୁ ଏବଂ ଏହାର ବାଦ୍ଯ ସଂଯୋଜନା କରିଥିଲେ ଗୁରୁ ବିଜୟ କୁମାର ବାରିକ। ନୃତ୍ୟ ନୈବେଦ୍ୟ ଅନୁଷ୍ଠାନର ଶିଳ୍ପୀମାନେ ପରବର୍ତ୍ତୀ ପ୍ରସ୍ତୁତି ଥିଲା ପଲ୍ଲବୀ।
ଯାହା ରାଗ ବକୁଳଭୈରବୀ ଓ ତାଳ ଏକତାଳି ଉପରେ ପର୍ଯ୍ୟବେସିତ ଥିଲା। ଏହି ପ୍ରସ୍ତୁତିରେ ନୃତ୍ୟର ସଂଗୀତ ସଂଯୋଜନା ଗୁରୁ ସୁକାନ୍ତ କୁମାର କୁଣ୍ଡୁ କରିଥିବା ବେଳେ ଏଥିରେ ବାଦ୍ୟ ସଂଯୋଜନା କରିଥିଲେ ଗୁରୁ ଧନେଶ୍ଵର ସ୍ଵାଇଁ ନୃତ୍ୟ ନୈବେଦ୍ୟ ଅନୁଷ୍ଠାନର ଅନ୍ତିମ ପ୍ରସ୍ତୁତି ଥିଲା ସଦାରିପୁ। ଶାସ୍ତ୍ର ମତରେ ନିଜ ଭିତରେ ଥିବା ଶତ୍ରୁ ଯଥା କାମ, କ୍ରୋଧ, ଲୋଭ ଓ ମୋହକୁ ପରାସ୍ତ କରିବା ହେଉଛି ପରିତ୍ରାଣ ପ୍ରାପ୍ତିର ମାର୍ଗ। ଯାହା ରାଗ ରାଗ ମାଳିକା ଓ ତାଳ ତାଳମାଳିକା ଉପରେ ଆଧାରିତ ଥିଲା। ଏହି ଅନ୍ତିମ ପ୍ରସ୍ତୁତିରେ ସଂଗୀତ ସଂଯୋଜନା ଗୁରୁ ମାତୃ ପ୍ରସାଦ ଦାସ ଓ ବାଦ୍ଯ ସଂଯୋଜନା କରିଥିଲେ ଗୁରୁ ଧନେଶ୍ଵର ସ୍ଵାଇଁ। ୩୩ତମ କୋଣାର୍କ ଉତ୍ସବର ଉଦଯାପନୀ ସନ୍ଧ୍ୟାର ଦ୍ଵିତୀୟ କାର୍ଯ୍ୟକ୍ରମ ଥିଲା କୁଚିପୁଡ଼ି ଶାସ୍ତ୍ରୀୟ ନୃତ୍ୟ। ଏହି କାର୍ଯ୍ୟକ୍ରମକୁ ଶିବାମୋହନମ ଅନୁଷ୍ଠାନର ଗୁରୁ ଜୟକିଶୋର ମୋସାଲିକାନ୍ତି ଓ ସାଥି କଳାକାର ବୃନ୍ଦ। ଏହି ଅନୁଷ୍ଠାନର ପ୍ରଥମ ପ୍ରସ୍ତୁତିରେ ତରଙ୍ଗମ ଯାହା କୁଚିପୁଡ଼ି ସଂଗୀତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ତରଙ୍ଗମ ହେଉଛି ଶ୍ରୀ ନାରାୟଣ ତେରଥା ଙ୍କ ଦ୍ଵାରା ଶ୍ରୀକୃଷ୍ଣ ଲୀଳା ତରଙ୍ଗିନୀଙ୍କ ଅଧ୍ଯାୟରୁ ନିଆଯାଇଥିବା ଏକ ଶବ୍ଦ। ଏହି ନୃତ୍ୟକୁ ଶିଳ୍ପୀମାନେ ପିତ୍ତଳ ଥାଳି ଉପରେ ଠିଆ ହୋଇ ବାଦ୍ୟ ସହିତ ତାଳରେ ନୃତ୍ୟ ପରିବେଷଣ କରିଥାନ୍ତି। ଉଦଯାପନୀ ସନ୍ଧ୍ୟାର ଅନ୍ତିମ ଚରଣରେ କୁଚିପୁଡ଼ି ନୃତ୍ୟ ଶୈଳୀରେ ପରିବେଷିତ ହୋଇଥିଲା ଥିଲାନା। ଯାହା ଦକ୍ଷିଣ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଏକ ଶୁଦ୍ଧ ନୃତ୍ୟର ଗତିବିଧି କୁ ନେଇ ପର୍ଯ୍ୟବେସିତ ହୋଇଥାଏ।
ଥିଲାନା ହେଉଛି ଏଭଳି ଏକ ନୃତ୍ୟର ଉଦାହରଣ ଯାହା ରାଗ କଲ୍ୟାଣୀ ଓ ଆଦିତାଳ ଉପରେ ଆଧାରିତ ଥିଲା। ଚନ୍ଦ୍ରଭଗା ସ୍ଥିତ ବେଳାଭୂମି କୂଳରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନର ଆଜି ଥିଲା ଅନ୍ତିମ ଦିବସ। ଚନ୍ଦ୍ରଭଗା ବେଳାଭୂମି କୂଳରେ ବାଲୁକା ଶିଳ୍ପୀ ମାନେ ବାଲିରେ ଆଦିବାସୀ ସଂସ୍କୃତି ଓ ବିଶ୍ବ ଶାନ୍ତି ଉପରେ ନିଜ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ଏହି ବାଲୁକା କଳା ପ୍ରଦର୍ଶନ ଦେଖିବାକୁ ଚନ୍ଦ୍ରଭାଗା ବେଳାଭୂମି କୂଳରେ ପର୍ଯ୍ୟଟକ ମାନଙ୍କ ନାହିଁ ନ ଥିବା ଭିଡ ପରିଲକ୍ଷିତ ହୋଇଥିଲା। କୋଣାର୍କ ଉତ୍ସବର ଉଦଯାପନୀ ସନ୍ଧ୍ୟାର ଅତିଥି ଭାବରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଲେନିନ ମହାନ୍ତି, ଇଷ୍ଟ କୋଷ୍ଟ ରେଲୱର ମୁଖ୍ୟ ସୁରକ୍ଷା ଅଧିକାରୀ ପିବିଏସ ସାନ୍ଥାରାଓ, ଓଡିଶା ସଂଗୀତ ନାଟକ ଏକାଡେମୀର ସଭାପତି ତଥା ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ଗୁରୁ ଅରୁଣା ମହାନ୍ତି ଏବଂ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ବିଶ୍ବଜିତ ରାଉତରାୟ ପ୍ରମୁଖ ଯୋଗଦେଇଥିଲେ। ଉଦଯାପନୀ ସନ୍ଧ୍ୟାକୁ ଅଧ୍ୟାପକ ଡଃ ମୃତ୍ୟୁଞ୍ଜୟ ରଥ ଓ ଡଃ ନାଜିଆ ଆଲମ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ସୁବୋଧ ରଥ, ଡଃ ସଂଗୀତା ଗୋସାଇଁ, ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ ଓ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀଙ୍କ ସମେତ ପର୍ଯ୍ୟଟନ ବିଭାଗର ପଦାଧିକାରୀ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ।