ଭଞ୍ଜନଗର,୫/୧୨ : କନ୍ଧମାଳ ସଂସଦୀୟ କ୍ଷେତ୍ର କୁ ୨ ଦିନିଆ ଗସ୍ତରେ ଆସିଥିବା କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ପ୍ରଥମ ଦିନରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଗ୍ରସ୍ତ କରିଥିଲେ। ଏହି ଗ୍ରସ୍ତ କାଳରେ ସେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ର ସମୀକ୍ଷା କରିବାକୁ ଏକ ବୈଠକ ଡାକିଥିଲେ। ସଂଧ୍ୟା ୫ ଟା ରେ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଙ୍କ ସମେତ ବିଭିନ୍ନ ବ୍ଲକ ର ବିଡ଼ିଓ ତଥା ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ତେବେ କେନ୍ଦ୍ର ମନ୍ତ୍ରୀ ବୈଠକରେ ପ୍ରବେଶ କରିବା ମାତ୍ରେ ପ୍ରଥମେ ଜିଲ୍ଲାପାଳଙ୍କୁ ଖୋଜିଥିଲେ। ତେବେ ବୈଠକ କୁ ଜିଲ୍ଲାପାଳ ଆସିନଥିବା ଜାଣିବା ପରେ ସେ ହଠାତ୍ ରାଗି ଯାଇଥିଲେ। ଆଉ ସମୀକ୍ଷା ବୈଠକ ରେ ନରହି ସେ ସେଠାରୁ ରାଗରେ ଚାଲିଯାଇଥିଲେ। ଏସଂପର୍କରେ ସେ ଜିଲ୍ଲାପାଳଙ୍କ ବିରୁଦ୍ଧରେ ରିପୋର୍ଟ ଲେଖିବେ ବୋଲି ମଧ୍ୟ ସତର୍କ କରାଇ ଦେଇଥିଲେ। ଫଳରେ ସାଢେ ୫ ଟାରେ ଡାକିଥିବା ପ୍ରେସ୍ ମିଟ୍ ମଧ୍ୟ ବନ୍ଦ ହୋଇଯାଇଥିଲା।
ପ୍ରକାଶ ଥାଉକି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ଭଞ୍ଜନଗର ଗ୍ରସ୍ତ ରେ ଆସି ପ୍ରଥମେ ଜଗନ୍ନାଥ ପ୍ରସାଦ ବ୍ଳକ ର କୁମ୍ପାପଡା ଠାରେ ଅଟକି ସେଠାରେ ଦଳୀୟ କାର୍ଯ୍ୟକର୍ତ୍ତା ଙ୍କୁ ଭେଟି ଥିଲେ। ପରେ ସେ ଭଞ୍ଜନଗର ବନ ବିଭାଗ ବିଶ୍ରାମ କକ୍ଷରେ ଦଳୀୟ କାର୍ଯ୍ୟକର୍ତ୍ତା ଙ୍କ ସହ ସାଂଗଠନିକ ଆଲୋଚନା କରିଥିଲେ। ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିବାକୁ କାର୍ଯ୍ୟକର୍ତ୍ତାମାନେ କଣ ସବୁ ପଦକ୍ଷେପ ନେଇଛନ୍ତି ତାର ସମୀକ୍ଷା କରିବା ସହ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠାରୁ ଦଳକୁ ସଜାଡି ସଂଗଠନ କୁ ବିସ୍ତାର କରିବାକୁ କେନ୍ଦ୍ର ମନ୍ତ୍ରୀ ଗୁରୁ ମନ୍ତ୍ର ଦେଇଥିଲେ। ପରେ ସେ କନ୍ଧମାଳ ଅଭିମୁଖେ ବାହାରି ଷ୍ଟେଟ ବ୍ୟାଙ୍କ ଛକରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେଠାରେ କେନ୍ଦ୍ର ମନ୍ତ୍ରୀ ଙ୍କୁ ସାମ୍ବାଦିକ ମାନେ ଘେରି ଯାଇ ମନ୍ତ୍ରୀ ଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ। ଆଉ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ନିଜ ପ୍ରତିକ୍ରିୟାରେ ସେ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବିକାଶ ର ଗଙ୍ଗା କିଭଳି ଗାଁ ଗାଁରେ ପ୍ରବାହିତ ହେଉଛି ତାହା ଦେଖିବାକୁ ଆସିଥିଲେ ବୋଲି କହିଥିଲେ। ପ୍ରତି ମାସରେ ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ୨ ଦିନ ପ୍ରବାସରେ ରହିବାକୁ ନିର୍ଦ୍ଦେଶ ରହିଛି। ସେ ଜଣେ ଭାରତୀୟ ଜନତା ପାର୍ଟିର ଶୃଙ୍ଖଳିତ ସଦସ୍ୟ ଭାବେ ୨ ଦିନିଆ କନ୍ଧମାଳ ସଂସଦୀୟ କ୍ଷେତ୍ରକୁ ପ୍ରବାସରେ ଆସି ନରେନ୍ଦ୍ର ମୋଦୀ ଙ୍କ ବିକାଶ ଧାରା ଯେପରି ପ୍ରତି କୋଣ ଅନୁକୋଣ ରେ ପହଞ୍ଚି ପାରିବ ସେ ସଂପର୍କରେ ଦଳୀୟ କାର୍ଯ୍ୟକର୍ତ୍ତା ଙ୍କ ସହ ଆଲୋଚନା କରିଥିବା ଉଲ୍ଲେଖ କରିଥିଲେ।
ବନ ବିଭାଗର ବିଶ୍ରାମ କକ୍ଷରେ ଦଳୀୟ କାର୍ଯ୍ୟକର୍ତ୍ତା ଙ୍କ ସହ ଆଲୋଚନା ବେଳେ ଦଳ ପକ୍ଷରୁ ଲେଖାଶ୍ରୀ ସାମନ୍ତ ସିଂହାର, ଦଳୀୟ ପ୍ରଭାରୀ ଙ୍କ ସହ ସ୍ଥାନୀୟ ନେତା ପ୍ରଦ୍ୟୁମ୍ନ କୁମାର ନାୟକ, ବିନାୟକ ତ୍ରିପାଠୀ, ନୀଳମାଧବ ପାତ୍ର, ସନ୍ତୋଷ କୁମାର ପାଳ, ସନ୍ତୋଷ ତିଆଡି, ଅଯୋଧ୍ୟା ନାଥ ମହାପାତ୍ର, ରବିନ୍ଦ୍ର କୁମାର ଗୈାଡଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ।