ବୁଗୁଡ଼ା : ତା ୦୧/୧୦/୨୨ : ସ୍ଥାନୀୟ ବଡଶଙ୍ଖଠାରେ ଏକ ଅଟୋରୁ ୩୦୦ ଲିଟର ଦେଶୀ ମଦ ଜବତ ସହ ୨ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗିରଫ ଦୁଇ ଜଣ ହେଲେ ଆସିକା ଥାନା ଅନ୍ତର୍ଗତ ଭେଟନଇ ଗାଁର ଦିପକ ଜେନା ଓ ଭଞ୍ଜନଗର ଥାନା ବାଉଁଶଲୁଣ୍ଡିର ଯୁଗଳ କିଶୋର ଗୌଡ । ଏନେଇ କେସ୍ ନଂ ୫୭୯/୨୨ ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି । ପ୍ରକାଶ ଯେ , ଗତକାଲି ସନ୍ଧ୍ୟାରେ ଦିପକ ଓ ଯୁଗଳ ଏକ ଅଟୋ (ନଂ-ଓଆର ୦୭ ଡବ୍ଲ୍ୟୁ – ୬୮୨୩)ରେ ୩୦୦ ଲିଟର ଦେଶୀ ମଦ ଧରି ଆସିକାରୁ ପୋଲସରାକୁ ଯାଉଥିଲା ବେଳେ ବୁଗୁଡ଼ା ଉପକଣ୍ଠସ୍ଥ ବଡଶଙ୍ଖଠାରେ ପୋଲିସ ପେଟ୍ରୋଲିଂ ହାବୁଡରେ ପଡିଥିଲେ । ସେଠାରୁ ପୋଲିସ ମଦ ଓ ଅଟୋକୁ ଜବତ କରି ସେ ଦୁହିଁଙ୍କୁ ଗିରଫ କରିଥିଲା ବେଳେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।
