ରକ୍ଷାବନ୍ଧନ ଉତ୍ସବ ପ୍ରତିବର୍ଷ ଶ୍ରାବଣ ପୁର୍ଣିମା ଦିନ ପାଳିତ ହୋଇଥାଏ l କିନ୍ତୁ ଚଳିତ ବର୍ଷ ଏହିଦିନଟି ଶ୍ରାବଣ ପୁର୍ଣିମାର ପରଦିନ ପାଳିତ ହେଉଛି l ଏହି ପର୍ବଟି ହିନ୍ଦୁ ପରିବାରରେ ଭାଇ ଭଉଣୀଙ୍କ ପ୍ରେମର ବନ୍ଧନ ଭାବରେ ପାଳିତ ହୋଇଥାଏ l ଦେଖିବାକୁ ଗଲେ ଏହି ଦୁନିଆରେ ସବୁଠୁ ନିଆରା ସମ୍ପର୍କ ହେଉଛି ଭାଇ ଭଉଣୀର ସମ୍ବନ୍ଧ l ଯାହା ମାନବ ସମାଜରେ ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ l
ଅନେକ ବର୍ଷରୁ ରକ୍ଷାବନ୍ଧନ ପର୍ବ ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି l ଏହିଦିନ ଟିରେ ଭଉଣୀ ନିଜ ଭାଇର ହାତରେ ରାକ୍ଷୀ ପିନ୍ଧାଇ ଥାଏ ଓ ଭାଇ ତା ଭଉଣୀକୁ ରକ୍ଷା କରିବାର ପ୍ରତିଶୃତି ଦେଇଥାଏ l କିନ୍ତୁ ଏହିଦିନ ଟିର ମହତ୍ୱ ଏହାଠାରୁ ଖୁବ ଅଧିକ ଅଟେ l ଆଜିର ଦିନରେ ଶ୍ରୀମନ୍ଦିର ରେ ମଧ୍ୟ ରୀତିନୀତି ଅନୁସାରେ ରକ୍ଷାବନ୍ଧନ ପର୍ବ ପାଳିତ ହୋଇଥାଏ l ଆଜିର ଦିନରେ ମା ସୁଭଦ୍ରା ବଡଭାଇ ବଳଭଦ୍ର ଓ ପ୍ରଭୁ ଜଗନ୍ନାଥ ଙ୍କ ହାତରେ ରାକ୍ଷୀ ବାନ୍ଧି ଥାନ୍ତି l ଏହାଛଡା କେନ୍ଦ୍ରାପଡା ସ୍ଥିତ ବଳଭଦେବଜୀୟୁ ମନ୍ଦିରରେ ମଧ୍ୟ ଏହି ଦିନଟିକୁ ରୀତିନୀତି ଅନୁସାରେ ପାଳନ କରାଯାଏ l
ପୁରାଣ ପୃଷ୍ଠାରେ ରହିଛି ମଧ୍ୟ ରକ୍ଷା ବନ୍ଧନର ମହତ୍ୱ –
ରକ୍ଷାବନ୍ଧନ ପର୍ବ ହିନ୍ଦୁ ପୁରାଣ ସହିତ ସାମଞ୍ଜସ୍ୟ ରହିଛି l ଯେତେବେଳେ ମହାଭାରତ ଯୁଦ୍ଧ ଚାଲିଥିଲା ଯୁଧିଷ୍ଠିର ଭଗବାନ କୃଷ୍ଣଙ୍କୁ ପଚାରିଥିଲେ ସମସ୍ତ ସଙ୍କଟରୁ କିଭଳି ରକ୍ଷା ମିଳିବ l ସେହି ସମୟରେ ଶ୍ରୀକୃଷ୍ଣ ନିଜର ଓ ନିଜ ସେନାର ରକ୍ଷା ପାଇଁ ରକ୍ଷା ବନ୍ଧନ ଉତ୍ସବ ପାଳନ କରିବାକୁ ପରାମର୍ଶ ଦେଇଥିଲେ l
ସେହିଭଳି ଶିଶୁପାଳ ବଧ ସମୟରେ କୃଷ୍ଣ ଙ୍କ ହାତରେ ଆଘାତ ଲାଗିଥିଲା, ସେହି ସମୟରେ ଦ୍ରୌପଦୀ ଶ୍ରୀକୃଷ୍ନ ରକ୍ତ ଶ୍ରାବ ଦେଖି ନିଜ ଶାଢ଼ୀ କାନି ଚିରି କୃଷ୍ଣଙ୍କ ହାତରେ ବାନ୍ଧି ଦେଇଥିଲେ l ଏହିଦିନ ଶ୍ରାବଣ ମାସର ପୁର୍ଣିମାର ଦିନ ଥିଲା l ସେହିଭଳି ଦ୍ରୌପଦୀ ଙ୍କ ଚିର ହରଣ ସମୟରେ ତାଙ୍କ ଲଜ୍ଜା ରକ୍ଷା କରିବାକୁ ଯାଇ ତାଙ୍କୁ ଶ୍ରୀକୃଷ୍ଣ କୋଟି ବସ୍ତ୍ର ପ୍ରଦାନ କରିଥିଲେ l ରକ୍ଷା ବନ୍ଧନ ଭାଇ ଭଉଣୀ ଉଭୟ ଉଭୟ ଙ୍କ ରକ୍ଷା ପାଇଁ ପାଳନ କରିବାର ବିଶେଷତ୍ୱ ରହିଛି l
ଭାରତ ଇତିହାସ ପୃଷ୍ଠାରେ ରାକ୍ଷୀ –
ଇତିହାସ ପୃଷ୍ଠାରେ ରାକ୍ଷୀର ମହତ୍ୱ ଅନେକ ଉଲ୍ଲେଖ ରହିଛି l ମେବାର ମହାରାଣୀ କର୍ମା ବତୀ ମୋଗଲ ଶାସକ ହୁମାୟୁନ ଙ୍କୁ ରାକ୍ଷୀ ପଠାଇ ରକ୍ଷା ଯାଚନା କରିଥିଲେ l ହୁମାୟୁନ ମୁସଲମାନ ହୋଇ ମଧ୍ୟ ରାକ୍ଷୀର ସମ୍ମାନ ରଖିଥିଲେ l କୁହାଯାଏ ଯେ ସିକନ୍ଦର ଙ୍କ ପତ୍ନୀ ନିଜ ସ୍ୱାମୀଙ୍କ ହିନ୍ଦୁ ଶତ୍ରୁ ପୁରୁ ଙ୍କୁ ରାକ୍ଷୀ ବାନ୍ଧି ତାଙ୍କୁ ନିଜର ଭାଇ କରିଥିଲେ ଓ ଯୁଦ୍ଧ ସମୟରେ ସିକନ୍ଦର କୁ ନମାରିବାର ବଚନ ନେଇଥିଲେ l ପୁରୁ ମଧ୍ୟ ଯୁଦ୍ଧ ସମୟରେ ନିଜ ହାତର ରାକ୍ଷୀ କୁ ଦେଖି ସିକନ୍ଦର କୁ ଜୀବଦାନ କରିଥିଲେ ଏବଂ ଭଉଣୀ ପ୍ରତି ଭାଇର କର୍ତବ୍ୟ ତୁଲାଇ ଥିଲେ l