ଆରଡି,୧ା୮: ପବିତ୍ର ଶ୍ରାବଣମାସର ୩ୟ ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ପୀଠରେ ହଜାର ହଜାର କାଉଡିଆଭକ୍ତଙ୍କ ସମାଗମ ହୋଇଥିଲା । ପୀଠରେ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ବିଶେଷକରି ବୈତରଣୀ ଓ ସାଳନ୍ଦୀ ନଦୀରେ ଡଙ୍ଗା ଦ୍ୱାରା ପାରି ହୋଇ ଆସୁଥିବା କାଉଡିଆ ଭକ୍ତଙ୍କ ସୁରକ୍ଷା ନିମନ୍ତେ ତିନିଟି ନଦୀଘାଟକୁ ଜଗି ରହିଥିଲେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ । ଚଳିତବର୍ଷ ଭିଡ ନିୟନ୍ତ୍ରଣ ପାଇଁ ପୀଠରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଏଥିପାଇଁ ଜଣେ ମାଜିଷ୍ଟ୍ରେଟ, ଜଣେ ଏଏସପି, ୬ଜଣ ଡିଏସପି, ୧୫ଜଣ ଇନ୍ସିପେକ୍ଟର, ୫୪ଜଣ ଅଫିସରଙ୍କ ସହ ୮ପ୍ଲାଟୁନ ଫୋର୍ସ ଆଦି ନିୟୋଜିତ ହୋଇଛନ୍ତି । ସେହିପରି କାଉଡିଆମାନେ ଯେପରି ସୁବିଧାରେ ଜଳଲାଗି କରିପାରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ସହ ମନ୍ଦିର ଭିତରେ ଓ ବାହାରେ ଉଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇଥିଲା । ଚଳିତ ସୋମବାରରେ ବହୁ ମହିଳା କାଉଡିଆଭକ୍ତଙ୍କୁ ଦେଖିବାକୁ ମିଳିଥିଲା ପୀଠରେ । ଗତ ରବିବାର ମଧ୍ୟ ରାତ୍ରରୁ କାଉଡିଆଭକ୍ତ ଧାଡିରେ ଯାଇ ମଣିବାବାଙ୍କୁ ଜଳଲାଗି କରିଥିଲେ । ଅନ୍ୟପଟେ ମଣିବାବାଙ୍କର ଭୋର ୪ଟାରେ ମନ୍ଦିର ଦ୍ୱାରଫିଟା ଯିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣ ଲାଗି ସରିବା ପରେ ଅନ୍ୟାନ୍ୟ ନୀତି କରାଯାଇଥିଲା ।