ପିଆରଏମରେ ଚିକିତ୍ସ୍ୟା ଅବହେଳାରୁ ୩ ଜଣ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ, ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ପକ୍ଷରୁ ବିକ୍ଷୋଭ ଓ ରାସ୍ତାରୋକ
ବାରିପଦା : ଗରିବ ତଥା ସାଧାରଣ ଲୋକଙ୍କୁ ଉତ୍ତମ ଚିକିତ୍ସ୍ୟା ଯୋଗାଇ ଦେବାପାଇଁ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଗଢିଉଠିଥିଲା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ । ମାତ୍ର ବିଭିନ୍ନ ସମୟରେ ବିଭିନ୍ନ ଅବ୍ୟବସ୍ଥା ଓ ଚିକିତ୍ସ୍ୟାରେ ଅବହେଳାକୁ ନେଇ ଅପବାଦରେ ଉବୁଟୁବୁ ହେଉଛି ପିଆରଏମ । ଗୋଟିଏ ଦିନରେ ତିନିଜଣ ପ୍ରସବ ମହିଳାଙ୍କ ଚିକିତ୍ସ୍ୟା ଅବହେଳାରୁ ମୃତୁ୍ୟ ହୋଇଥିବା ନେଇ ପରିବାର ଲୋକଙ୍କ ଅଭିଯୋଗରେ ସମସ୍ତ ସୀମା ଲଙ୍ଘନ କରି ଟପିଯାଇଛି ପିଆରଏମ୍ ହସ୍ପିଟାଲ । ଏହି ଘଟଣାକୁ ନେଇ ଦିନତମାମ୍ ଉତ୍ତେଜନା ଲାଗି ରହିଥିଲା ପିଆରଏମ ମେଡିକାଲ କଲେଜରେ ।
ଘଟଣାରୁ ପ୍ରକାଶ ଯେ, ବେତନଟୀ ଥାନା ନଙ୍ଗଲକଟା ଗ୍ରାମର ହରିଶଚନ୍ଦ୍ର ମହାନ୍ତଙ୍କ ସ୍ତ୍ରୀ ବାସନ୍ତୀ ମହାନ୍ତ(୨୫) ପ୍ରସବ ବେଦନା ହେବାରୁ ପିଆରଏମରେ ଚିକିତ୍ସ୍ୟା ପାଇଁ ଭର୍ତ୍ତି ହୋଇଥିଲେ । ନବଜାତ ଶିଶୁ ଜନ୍ମ ହେବାର କିଛି ଘଣ୍ଟା ପରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା ବାସନ୍ତୀଙ୍କର । କିନ୍ତୁ ଏନେଇ ପରିବାର ପକ୍ଷରୁ କାର୍ଯ୍ୟରେ ଥିବା ଡାକ୍ତର ଓ ନର୍ସଙ୍କୁ ନେହୁରା ହୋଇଥିଲେ ମଧ୍ୟ ସେମାନେ ଉପଯୁକ୍ତ ଚିକିତ୍ସ୍ୟା କରିବା ପାଇଁ ଦୃଷ୍ଟି ଦେଇନଥିଲେ । ଫଳରେ ବାସନ୍ତୀଙ୍କର ମୃତୁ୍ୟ ହୋଇଯାଇଥିଲା ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ସେହିପରି ପଶ୍ଚିମବଙ୍ଗ ରାଜ୍ୟର ଝାଡଗ୍ରାମ ଅଞ୍ଚଳର ବିୟୁଟି ବେହେରା(୧୯) ଓ ବଡସାହି ଥାନା ଅନ୍ତର୍ଗତ ଗଜଡିହି ଗ୍ରାମର ଲକ୍ଷ୍ମୀପ୍ରିୟା ବେହେରା(୨୧)ଙ୍କ ମଧ୍ୟ ପ୍ରସବ ବେଦନା ହେବାରୁ ଚିକିତ୍ସ୍ୟା ପାଇଁ ପିଆରଏମରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଉପଯୁକ୍ତ ଚିକିତ୍ସ୍ୟା ଅଭାବରୁ ସେମାନଙ୍କର ମଧ୍ୟ ମୃତୁ୍ୟ ହୋଇଯାଇଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଏପରିକି ଶବ ବ୍ୟବଚ୍ଛେଦ ନକରି ରୋଗୀମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିବାବେଳେ ବାସନ୍ତୀ ମହାନ୍ତଙ୍କ ପରିବାର ଉପଯୁକ୍ତ ନ୍ୟାୟ ଦାବିରେ ହସ୍ପିଟାଲ ପରିସରକୁ ଫେରି ସଙ୍ଗେ ସଙ୍ଗେ ହୋହୁଲା କରିଥିଲେ ।
ଏନେଇ ବାରିପଦା ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ଦାୟିତ୍ୱରେ ଥିବା ଡାକ୍ତରଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା । ଏନେଇ ବିଜେପିର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ପୂର୍ବତନ ଜିଲ୍ଲାପରିଷଦ ସଭାପତି ସୁଜାତା ମୁର୍ମୁ, ୱାର୍ଡ କାଉନ୍ସିଲର ରାଜ୍ ଗୁପ୍ତା ଓ ବିଜେପି ନେତା ଫାଗୁ ହାଁସଦାଃ ପ୍ରମୁଖଙ୍କ ସହ ବହୁ ବିଜେପି କର୍ମୀ ଓ ମୃତକଙ୍କ ପରିବାର ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପୋଲିସ ବୁଝା ସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶବ ବ୍ୟବଚ୍ଛେଦ ପରେ ପୁଣିଥରେ ଶବକୁ ନେଇ କୃଷ୍ଣଚନ୍ଦ୍ର ଗୋଲେଇ ନିକଟରେ ରଖି ବିଜେପି ନେତୃବୃନ୍ଦ ଓ କର୍ମୀମାନେ ଉପଯୁକ୍ତ ନ୍ୟାୟ ଦେବାପାଇଁ ଦାବି କରିଥିଲେ । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବାରୁ ଜିଲ୍ଲାପ୍ରଶାସନ ପକ୍ଷରୁ ବାରିପଦା ପିଏ,ଆଇଟିଡିଏ ବସନ୍ତ ସେଠୀ, ଏଡିସନାଲ ଏସପି ସୁରେଶ ଚନ୍ଦ୍ର ପାତ୍ର, ବାରିପଦା ତହସିଲଦାର ବିକ୍ରମ କେଶରୀ ପରିଡା, ବାରିପଦା ଏସଡିପିଓ କେ.କେ ହରିପ୍ରସାଦ ଓ ବାରିପଦା ଟାଉନ ଥାନା ଅଧିକାରୀ ବିରେନ୍ଦ୍ର ସେନାପତି ପ୍ରମୁଖ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିଥିଲେ । ଶେଷରେ ଏକ କମିଟି ଗଠନ ହୋଇ ୭ଦିନ ମଧ୍ୟରେ ତଦନ୍ତ ହୋଇ ରିପୋର୍ଟ ଦିଆଯିବା ସହ ଦାୟିତ୍ୱରେ ଅବହେଳା କରିଥିବା ଡାକ୍ତରଙ୍କ ପ୍ରତି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦିଆଯିବା ପରେ ରାସ୍ତା ଅବରୋଧ ହଟିଥିଲା ଓ ସଙ୍ଗେ ସଙ୍ଗେ ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୨୦ହଜାରଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । ଅନ୍ୟପକ୍ଷରେ ପିଆରଏମରେ ବିଭିନ୍ନ ସମୟରେ ଚିକିତ୍ସ୍ୟା ଅବହେଳାରୁ ଅଘଟଣମାନ ଘଟୁଥିବାର ଅଭିଯୋଗ ହେଉଥିବାବେଳେ ଅବହେଳା କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।