ନିମାପଡ଼ା,୧୦।୫ : ଆଜି ପୂର୍ବାହ୍ନରେ ନିମାପଡ଼ା ଥାନା ଛେନୁଅଁ ଛକ ଠାରେ ଏକ ଟ୍ରକ୍ ଧକ୍କାରେ ଜଣେ ଛାତ୍ରୀର ମୃତ୍ୟୁ ଘଟିଛି ।ମୃତ ଛାତ୍ରୀ ହେଲେ ଏହି ଥାନା ଅନ୍ତର୍ଗତ ଡେଣୁଅବସ୍ତ ଗ୍ରାମର ଆର୍ତ୍ତ ବେହେରାଙ୍କ ଝିଅ ଅର୍ଚ୍ଚିତା ବେହେରା (୧୬) l ଅର୍ଚ୍ଚିତା ଡେଣୁଅ ସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ଅଟନ୍ତି । ସ୍କୁଲ ସାରି ସାଇକେଲରେ ସେ ଘରକୁ ଫେରୁଥିବା ବେଳେ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା ।ଅର୍ଚ୍ଚିତାଙ୍କୁ ପ୍ରଥମେ ନିମାପଡ଼ା ମେଡ଼ିକାଲକୁ ଅଣାଯାଇଥିଲା ।ତାଙ୍କ ଅବସ୍ଥା ଅଧିକ ଜଟିଳ ହେବାରୁ ଭୁବନେଶ୍ୱର କ୍ୟାପିଟାଲ ଡାକ୍ତରଖାନାକୁ ନିଆଯାଇଥିଲା ।ସେଠାରେ ଡାକ୍ତର ତାଙ୍କୁ ମୃତ୍ ଘୋଷଣା କରିଥିଲେ ।
ସେଠାରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି ।ଦୁର୍ଘଟଣା ଘଟିବା ପରେ ଗ୍ରାମବାସୀ ମାନେ ଟ୍ରକଟିକୁ ଭଙ୍ଗାରୁଜା କରିବା ସହିତ ମୃତ ଝିଅର ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ଗ୍ରାମମୁଣ୍ଡ ଛକରେ ରାସ୍ତାରୋକ କରିଥିଲେ ।ଘଟଣା ସ୍ଥଳରେ ନିମାପଡ଼ା ଅତିରିକ୍ତ ତହସିଲଦାର ଚନ୍ଦ୍ର ଶେଖର ବାରିକ୍ ପହଁଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବା ସହିତ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।ନିମାପଡ଼ା ଥାନାରେ ମୃତ ଝିଅର ପିତା ଆର୍ତ୍ତଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।ଛାତ୍ରୀର ମୃତ୍ୟୁକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।