Odisha news

ପୂର୍ବତଟ ରେଳପଥ ପକ୍ଷରୁ ଦେଶର ବିଭିନ୍ନ ପ୍ରାନ୍ତକୁ 311 ରେକ (ଟ୍ରେନ) ଫ୍ଲାଏ-ଆଶ (ପାଉଁଶ) ପରିବହନ

0

❶ ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ ପୂର୍ବତଟ ରେଳପଥର ପ୍ରୟାସ |

❷ ପୂର୍ବତଟ ରେଳପଥର ବ୍ୟବସାୟ ବିକାଶ ୟୁନିଟ୍ ଦ୍ୱାରା ଏକ ପଦକ୍ଷେପ |

ପରିବେଶ ନିର୍ଦ୍ଦେଶାବଳୀ ଅନୁସରଣ କରି ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରୁ ଦେଶର ବିଭିନ୍ନ ପ୍ରାନ୍ତକୁ 311 ରେକ (ଟ୍ରେନ) ଫ୍ଲାଏ-ଆଶ  (ଶିଳ୍ପ ସଂସ୍ଥାରୁ ନିର୍ଗତ ପାଉଁଶ) ପରିବହନ କରିଛି | ପୂର୍ବତଟ ରେଳପଥର ବ୍ୟବସାୟ ବିକାଶ ୟୁନିଟ୍ (ବିଡିୟୁ) ର ନିରନ୍ତର ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇଛି |

ଗ୍ରାହକ ଏବଂ ଶିଳ୍ପ ସହିତ ବାରମ୍ବାର ଯୋଗାଯୋଗରେ ଥାଇ ପୂର୍ବତଟ ରେଳପଥର ବ୍ୟବସାୟ ବିକାଶ ୟୁନିଟ୍ ରେଳ ମାଧ୍ୟମରେ ବିଭିନ୍ନ ଅଣ-ବଲ୍କ ସାମଗ୍ରୀ ଟ୍ରାଫିକ୍ ବୃଦ୍ଧି କରିବାର ଉପାୟ ଅନୁସନ୍ଧାନ କରିଛି | ପରିବହନ କ୍ଷେତ୍ରରେ ରେଳବାଇର ଅଂଶ ବୃଦ୍ଧି କରାଇବା ଏବଂ ସଡକରୁ ରେଳ ମାଧ୍ୟମରେ ମୋଡାଲ ଗମନାଗମନକୁ ସୁନିଶ୍ଚିତ କରିବା ପାଇଁ ପୂର୍ବତଟ ରେଳପଥ ପରିସୀମାରେ ଥିବା ଶିଳ୍ପସଂସ୍ଥାଗୁଡ଼ିକରୁ ଦେଶର ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ ଫ୍ଲାଏ-ଆଶ ପରିବହନ ପାଇଁ ପୂର୍ବତଟ ରେଳପଥ ବ୍ୟବସାୟ ବିକାଶ ୟୁନିଟ୍ ପଦକ୍ଷେପ ନେଇଛି | ପାରମ୍ପାରିକ ପରିବହନ ଢାଞ୍ଚାରେ ରେଳବାଇର ଅଂଶକୁ ମଜବୁତ କରିବା ଏବଂ ରେଳବାଇକୁ ଅଧିକ ଟ୍ରାଫିକ୍ ଆକର୍ଷିତ କରିବା ପାଇଁ ଏହା ହେଉଛି ଗୋଟିଏ ପଦକ୍ଷେପ |

ଫ୍ଲାଏ-ଆଶ  ପରିବହନରେ ଅଂଶଗ୍ରହଣକାରୀମାନେ ପରିବେଶ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ଫ୍ଲାଏ-ଆଶକୁ  ଶତପ୍ରତିଶତ ବ୍ୟବହାର ପାଇଁ ମିଳିତ ପ୍ରୟାସ କରିବାକୁ ସହମତି ପ୍ରକାଶ କରିଛନ୍ତି ଏବଂ ଫ୍ଲାଏ-ଆଶ ଉତ୍ପାଦକ, ପରିବହନକାରୀ ଏବଂ ଶେଷ ଉପଭୋକ୍ତାଙ୍କ ମିଳିତ ପ୍ରୟାସରେ ଏହାକୁ ସୁନିଶ୍ଚିତ କରିଛନ୍ତି |

ରେଳ ଦ୍ୱାରା ଫ୍ଲାଏ-ଆଶ ପରିବହନ ପାଇଁ ପୂର୍ବତଟ ରେଳପଥ ବ୍ୟବସାୟ ବିକାଶ ୟୁନିଟ୍ କ୍ରମାଗତ ଭାବରେ ଥର୍ମାଲ୍ ପାୱାର୍ ପ୍ଲାଣ୍ଟ, ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ, ଆଲୁମିନିୟମ୍ ସ୍ମେଲଟର ପ୍ଲାଣ୍ଟ ଏବଂ ସିମେଣ୍ଟ ପ୍ଲାଣ୍ଟର ପ୍ରତିନିଧୀଙ୍କୁ ନିରନ୍ତର ଭାବେ ଯୋଗାଯୋଗ କରିଆସୁଅଛି | 15 ସେପ୍ଟେମ୍ବର, 2020 ଠାରୁ ଫ୍ଲାଏ-ଆଶ ପରିବହନ ପ୍ରାରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ 311 ରେକ୍ (ସାମଗ୍ରୀ ଟ୍ରେନ୍) ଫ୍ଲାଏ-ଆଶକୁ ଦେଶର ବିଭିନ୍ନ ସ୍ଥାନକୁ ପରିବହନ କରିସାରିଛି | ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳରୁ 141 ଟି ରେକ ଫ୍ଲାଏ-ଆଶ, ସମ୍ବଲପୁରରୁ 138 ଟି ଏବଂ ୱାଲଟିୟର ରେଳମଣ୍ଡଳରୁ 32 ଟି ରେକ୍ ଫ୍ଲାଏ-ଆଶ ଏପର୍ଯ୍ୟନ୍ତ ପରିବହନ କରାଯାଇଛି |

2020-21 ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ 91 ଟି ରେକ୍ ଦ୍ୱାରା ପ୍ରାୟ 0.356 ନିୟୁତ ଟନ ଫ୍ଲାଏ-ଆଶ ପରିବହନ କରିଥିଲା | ଚଳିତ ଆର୍ଥିକ ବର୍ଷ ସମାପ୍ତି ପୂର୍ବରୁ, ତଥା 1 ଏପ୍ରିଲରୁ 16 ଫେବୃଆରୀ, 2022 ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ଦେଶର ବିଭିନ୍ନ ସ୍ଥାନକୁ 220 ରେକ୍ ଦ୍ୱାରା ପ୍ରାୟ 0.847 ନିୟୁତ ଟନ ପରିବହନ କରିସାରିଲାଣି | ଏଥି ମଧ୍ୟରୁ ଅନୁଗୁଳ ଅଞ୍ଚଳରୁ 99 ଟି ରେକ୍, ସମ୍ବଲପୁର ଅଞ୍ଚଳରୁ 91 ଟି ରେକ୍ ଏବଂ କୋରାପୁଟ ଓ ବିଶାଖାପାଟନମ୍ ଅଞ୍ଚଳରୁ 30 ଟି ରେକ୍ ଅନ୍ତର୍ଭୁକ୍ତ | ମୋଟାମୋଟି ଭାବେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଏପର୍ଯ୍ୟନ୍ତ ଦେଶର ବିଭିନ୍ନ ପ୍ରାନ୍ତକୁ ପ୍ରାୟ 1.20  ନିୟୁତ ଟନ ଫ୍ଲାଏ-ଆଶ ପରିବହନ କରାଯାଇ ପାରିଛି |

Leave A Reply