Odisha news

ଆଜି ହେଉଛି ବିଶ୍ୱ ବ୍ୟାଘ୍ର ଦିବସ : ଦୁର୍ଲଭ ପ୍ରାୟ ମହାବଳ ବାଘକୁ ନେଇ ସାରା ବିଶ୍ୱରେ ପରିଚୟ ଶୃଷ୍ଟି କରିଥିବା ଶିମିଳାପାଳ ଅଭୟାରଣ୍ୟରେ ଏବେ ବାଘ ସଂରକ୍ଷଣକୁ ନେଇ ଉଠିଛି ବଡ ପ୍ରଶ୍ନ

ଆଜି ହେଉଛି ବିଶ୍ୱ ବ୍ୟାଘ୍ର ଦିବସ । ଦୁର୍ଲଭ ପ୍ରାୟ ମହାବଳ ବାଘକୁ ନେଇ ସାରା ବିଶ୍ୱରେ ପରିଚୟ ଶୃଷ୍ଟି କରିଥିବା ଶିମିଳାପାଳ ଅଭୟାରଣ୍ୟରେ ଏବେ ବାଘ ସଂରକ୍ଷଣକୁ ନେଇ ଉଠିଛି ବଡ ପ୍ରଶ୍ନ । ୨୦୧୮ ମସିହା ବ୍ୟାଘ୍ର ଗଣନାରେ ଚିହ୍ନଟ ହୋଇଥିଲା ମାତ୍ର ୮ ଟି ବାଘ ହେଲେ ବର୍ତ୍ତମାନ ସମୟରେ ଏହି ଅପୂର୍ବ ସୌନ୍ଦର୍ଯ୍ୟଭରା ଅଭୟାରଣ୍ୟରେ ଖୋଜିଲେ ମଧ୍ୟ ମିଳୁନାହାଁନ୍ତି ବାଘ । ଏମିତିକି କୋର ଏରିଆରେ ମଧ୍ୟ ବର୍ଷବର୍ଷ ଧରି ନଜରରେ ପଡୁନାହାଁନ୍ତି ବାଘ ।

ଭି.ଓ – ୨୦୧୮ରେ ହୋଇଥିବା ବାଘ ଗଣନା ଅନୁସାରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ରାଜ୍ୟରେ ମୋଟ ୨୮ ଟି ବାଘ ରହିଛି । ସେଥିମଧ୍ୟରୁ ଶିମିଳିପାଳ ଅଭୟାରଣ୍ୟରେ ୭ ବାଘୁଣୀ ଓ ଗୋଟିଏ ବାଘକୁ ମିଶାଇ ୮ ଟି ବାଘ ରହିଛନ୍ତି । ଏମାନଙ୍କ ବ୍ୟତୀତ ଦୁଇଟି ବାଘଛୁଆ ମଧ୍ୟ ରହିଛନ୍ତି । ଯାହାକି ବେଶ୍ ବେଦନାଦାୟକ । କାରଣ ଏକଦା ଦୁର୍ଲଭ ପ୍ରାୟ ମହାବଳ ବାଘଙ୍କୁ ନେଇ ସାରା ବିଶ୍ବରେ ଚର୍ଚ୍ଚିତଥିଲା ଶିମିଳିପାଳ ଅଭୟାରଣ୍ୟ । କିନ୍ତୁ ବେଶ୍ କିଛି ବର୍ଷ ହେବ ବାଘ ସଂଖ୍ୟାରେ ଦ୍ରୁତ ଅବନତି ଦେଖିବାକୁ ମିଳିଥିଲା । କିନ୍ତୁ ଏହି ସତ୍ୟକୁ ବେଶ୍ ଚତୁରତାର ସହିତ ଲୁଚାଇ ଆସୁଥିଲେ ଜନୈକ ତତ୍କାଳୀନ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (ଏସଟିଆର) ଉପନିର୍ଦ୍ଦେଶକ । ନିକଟରେ ଜିଲ୍ଲାରୁ ବଦଳି ହୋଇଥିବା ଏହି ଅଧିକାରୀ ଜଣଙ୍କ କିନ୍ତୁ ବାଘ ଗଣନା ରିପୋର୍ଟ ପ୍ରକାଶ ପୂର୍ବରୁ ଶିମିଳିପାଳରେ ୧୭ଟି ବାଘ ଥିବା ବାହାସ୍ପୋଟ ମାରିଥିଲେ।

ଯାହାକି ପରେ ବୁମେରାଂ ସାବ୍ୟସ୍ତ ହୋଇଥିଲା । ସତ ହେଉଛି ଶିମିଳିପାଳରେ ବାଘଙ୍କ ପାଇଁ ଆଉ ସେପରି ଉପଯୁକ୍ତ ପରିବେଷ୍ଟିନୀ ନାହିଁ । ଚଳିତ ବର୍ଷର ବ୍ୟାଘ୍ର ଦିବସର ଥିମ୍ ରହିଛି ବାଘ ଏବଂ ସେମାନଙ୍କର ପରିବେଷ୍ଟିନୀ । ଯାହାକି ଶିମିଳିପାଳରେ କମି କମି ଆସୁଛି । ତୃଣଭୋଜୀ ପ୍ରାଣୀଙ୍କ ପାଇଁ ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ ହୋଇପାରୁନାହିଁ । ସେହିପରି ଜଙ୍ଗଲର ଘନତ୍ବ ମଧ୍ୟ କମି କମି ଆସୁଛି । ଯାହାକି ବାଘ ସଂଖ୍ୟା ବୃଦ୍ଧିରେ ଅନ୍ତରାୟ ସୃଷ୍ଟି କରୁଛି । ଏନଟିସିଏ ପକ୍ଷରୁ ଶିମିଳିପାଳକୁ ବାଘ ବଂଶର ସଂରକ୍ଷଣ ଏବଂ ସଂଖ୍ୟା ବୃଦ୍ଧି ନିମିତ୍ତ ବର୍ଷକୁ କୋଟି କୋଟି ଟଙ୍କାର ଅନୁଦାନ ଆସୁଛି । ମାତ୍ର ସେଗୁଡ଼ିକର ସଠିକ ବିନିଯୋଗ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସଠିକ ଢଙ୍ଗରେ ବିନିଯୋଗ ହୋଇପାରୁନଥିବାରୁ ଶିମିଳିପାଳ ଅଭୟାରଣ୍ୟରେ ବାଘ ବଂଶ ନବୃଦ୍ଧି ହୋଇପାରୁନଥିବା ପରିବେଶବିତ୍‌ମାନଙ୍କ ପକ୍ଷରୁ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି। ସେହିପରି ଗତ କିଛି ବର୍ଷ ମଧ୍ୟରେ ଶିମିଳିପାଳରେ ବାଘ ଶିକାର ମଧ୍ୟ ବୃଦ୍ଧି ପାଇଛି । ଏକାଧିକ ବାଘ ଶିକାରୀଙ୍କ ହାତରେ ମୃତ୍ୟୁବରଣ କରିଛନ୍ତି । ବାଘ ଛାଲ ମଧ୍ୟ ଜବତ ହୋଇଛି । ଯାହାକି ବେଶ୍ ଉଦ୍‌ବେଗଜନକ।

Comments are closed.