ତୀରନ୍ଦାଜିରେ ଦକ୍ଷିଣ କୋରିଆର ଆଧିପତ୍ୟ ଜାରି ରହିଛି। ସୋମବାର ଏହି ଦଳ ପୁରୁଷ ଦଳଗତ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତି ନେଇଛି। ଚଳିତ ଟୋକିଓ ଅଲିମ୍ପିକ୍ସରେ ତିରନ୍ଦାଜିରୁ ଦକ୍ଷିଣ କୋରିଆର ଏହା ତୃତୀୟ ସ୍ବର୍ଣ୍ଣ ପଦକ ଥିଲା। କିଶୋର ତୀରନ୍ଦାଜ କିମ୍ ଜି ଡିଓକ ବ୍ୟକ୍ତିଗତ ଭାବେ ଦ୍ବିତୀୟ ସ୍ବର୍ଣ୍ଣ ପଦକ ଜିତିବା ସହ ନିଜ ଦଳକୁ ତୃତୀୟ ସ୍ବର୍ଣ୍ଣ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଆଜି ପୁରୁଷ ଦଳଗତ ଫାଇନାଲ୍ରେ ଦକ୍ଷିଣ କୋରିଆ ଏକତରଫା ଭାବେ ୬-୦ରେ ତାଇୱାନକୁ ପରାସ୍ତ କରିଥିଲା। ଏଥିସହିତ ଦକ୍ଷିଣ କୋରିଅା ପୁରୁଷ ତୀରନ୍ଦାଜ ଦଳ ଗତ ୨୦୧୬ ରିଓ ଅଲିମ୍ପିକ୍ସ ପ୍ରଦର୍ଶନକୁ ମିଶାଇ ମୋଟ ୬ଟି ସ୍ବର୍ଣ୍ଣ ଜିତିବାର ଗୌରବ ଅର୍ଜନ କରିଛି। ଏହି ଦେଶର ମହିଳା ପ୍ରତିଯୋଗୀମାନେ ମଧ୍ୟ ଐତିହାସିକ ପ୍ରଦର୍ଶନ କରି ଲଗାତାର ନବମ ଥର ପାଇଁ ଦଳଗତ ସ୍ବର୍ଣ୍ଣ ଜିତିଛନ୍ତି ଦକ୍ଷିଣ କୋରିଆ ମହିଳା ଦଳଗତ ତୀରନ୍ଦାଜୀରେ ୧୯୮୮ ସିଓଲ ଅଲିମ୍ପିକ୍ସରୁ ଅପରାଜେୟ ରହିଛି।
ଚୀନର ଟିଟି ଆଧିପତ୍ୟକୁ ଚୁର୍ଣ୍ଣ କଲା ଜାପାନ
ଟେବୁଲ୍ ଟେନିସ୍ରେ ଚୀନ୍ର ଆଧିପତ୍ୟକୁ ଚୁର୍ଣ୍ଣ କରି ଜାପାନ ସୋମବାର ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଛି। ମିଶ୍ରିତ ଯୁଗଳ ବର୍ଗରେ ଜାପାନୀ ଯୋଡ଼ି ଜୁନ୍ ମିଜୁତାନି ଓ ମିମା ଇତା ୫-୧୧, ୭-୧୧, ୧୧-୮, ୧୧-୯, ୧୧-୯, ୬-୧୧, ୧୧-୬ରେ ଚୀନର ଜୁ ଜିନ୍ ଓ ଲିଉ ସିନୱେନ୍ଙ୍କୁ ଚମତ୍କାର ପ୍ରତ୍ୟାବର୍ତନ କରି ହରାଇଥିଲେ। ୨୦୦୪ ଏଥେନ୍ସ ଅଲିମ୍ପିକ୍ସଠାରୁ ପ୍ରତି ଅଲିମ୍ପିକ୍ସରେ ଟିଟି ଟାଇଟଲ୍ ଚୀନ ଜିତି ଆସୁଥିଲା। ମୋଟ ଉପରେ ୩୩ଟି ଟେବୁଲ୍ ଟେନିସ୍ ଇଭେଣ୍ଟ୍ ମଧ୍ୟରୁ ଚୀନ ମାତ୍ର ପଞ୍ଚମ ଥର ପାଇଁ ଶୀର୍ଷରେ ପହଞ୍ଚି ପାରିନାହିଁ। ବିଶ୍ବ ବିଜେତା ଜୁ ଜିନ୍ ଓ ଲିଉ ଯୋଡ଼ି ପ୍ରଥମ ଦୁଇ ଗେମ୍ ଜିତିଥିଲେ ମଧ୍ୟ ସୁଯୋଗ ହାତଛଡ଼ା କରି ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ଅବଶ୍ୟ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଏଥର ମିଶ୍ରିତ ଯୁଗଳ ଇଭେଣ୍ଟ୍ ଖେଳାଯାଇଥିଲା।
Comments are closed.