Odisha news

ଜିଲ୍ଲା ର ବିଭିନ୍ନ ଜ୍ୱଳନ୍ତ ସମସ୍ୟାକୁ ନେଇ ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦ ର ବିକ୍ଷୋଭ ପ୍ରଦର୍ଶନ।

ନୂଆପଡା-୨୬/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) : ଆଜି ଜୟକିଷାନ ମଜଦୂର ସଂଗ୍ରାମ ପରିଷଦ ର ଆବାହକ ଶ୍ରୀ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଶହ ଶହ ଚାଷୀ ଜିଲ୍ଳା ର ଉତ୍କଟ ସାର ଅଭାବ,ଚାଷୀ ପଞ୍ଜିକରଣ ରେ ସମସ୍ୟା, ଗଜା ମରୁଡି,ବିଦ୍ୟୁତ ଦର ବୃଦ୍ଧି ଓ ଲୋ ଭୋଲ୍ଟେଜ ତଥା ଅନ୍ୟାନ୍ୟ ଜ୍ୱଳନ୍ତ ସମସ୍ୟା କୁ ନେଇ ଉଗ୍ର ବିକ୍ଷୋଭ ପ୍ରଦର୍ଶନ ସହିତ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଆଠ ଦଫା ଦାବି ପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତି ରେ ଉପ ଜିଲ୍ଲାପାଳ ତରଣୀ ସେନ ନାଏକ ଙ୍କୁ ପ୍ରଦାନ କରିଛନ୍ତି। ପରିଷଦର ସହ ଆବାହକ ଶ୍ରୀ ବସନ୍ତ ସିଂ ଠାକୁର, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ନୂଆପଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ଭକ୍ତରାମ ଧରୁଆ,କୋମନା ବ୍ଲକ ଅଧକ୍ଷ ଶ୍ରୀ ଅଭିନ୍ନ ପୁରୋହିତ ତଥା ଅନ୍ୟାନ୍ୟ ନେତୃମଣ୍ଡଳୀ କାର୍ଯ୍ୟକ୍ରମ କୁ କୋଭିଡ ଗାଇଡ଼ ଲାଇନ ମୁତାବକ ସଞ୍ଚାଳନ କରି ସମାପନ କରିବାରେ ପ୍ରମୁଖ ଦାୟିତ୍ୱ ନେଇଥିଲେ। ଜିଲ୍ଲାରେ ଖରିଫରେ ଚାଷରେ କୋଡିଏ ହଜାର କୁଇଣ୍ଟାଲ ସାର ର ଅଵଶ୍ୟକତା ଥିବାବେଳେ ମାତ୍ର ନଅ ହଜାର କୁଇଣ୍ଟାଲ ସାର ଦିଆଯାଇଥିବାରୁ ସାର ର ଉତ୍କଟ ଅଭାବ ଓ କଳାବଜାରୀ ବିରୁଦ୍ଧରେ ଶତାଧିକ କ୍ରୋଧିତ ଚାଷୀ ରାଜ ରାସ୍ତା କୁ ଓଲ୍ହାଇ ଥିଲେ।ଚାଷୀ ପଞ୍ଜିକରଣ ରେ ଘୋର ଅବ୍ୟବସ୍ଥା ସହିତ ପଞ୍ଜିକରଣ ର ସ୍ୱଳ୍ପ ଅବଧି,ରେକର୍ଡ ରେ ଜମିର କିସମ ପରିବର୍ତ୍ତନ ହୋଇନଥିବା ଦର୍ଶାଇ ଉକ୍ତ ଜମିକୁ ପଞ୍ଜିକରଣ ରେ ଚାଷୀର ଜମି ପରିମାଣରେ ନ ଦର୍ଶାଇବା ହେତୁ ଚାଷୀଙ୍କ ଆକ୍ରୋଶ ଆଜିର ଆନ୍ଦୋଳନରେ ସ୍ପଷ୍ଟ ବାରି ହେଉଥିଲା।ଜୁନ ଓ ଜୁଲାଇ ମାସର ସ୍ୱଳ୍ପ ବୃଷ୍ଟିପାତ ହେତୁ ଗଜା ମରୁଡି ଘୋଷଣା, ୨୦୧୭-୧୮ ଓ ୧୯ ମସିହାର ବକେୟା ଫସଲ ବୀମା ପ୍ରଦାନ ସହିତ ଚଳିତ ଖରିଫ ପାଇଁ ଫସଲବୀମା ଅବଧି ଅଗଷ୍ଟ ୧୫ ପର୍ଯ୍ୟନ୍ତ ବୃଦ୍ଧି,ଚାଷୀ ପଞ୍ଜିକରଣ ର ଅବଧି କୁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ବୃଦ୍ଧି, ଜିଲ୍ଲାରେ ବହୁଳ ଚାଷ ହେଉ ଥିବା କପା ଓ ମକା ମଣ୍ଡି ଖୋଲି ଚାଷୀ ଙ୍କୁ ଶୋଷଣ ରୁ ମୁକ୍ତ କରି ଉପଯୁକ୍ତ ଦର ପ୍ରଦାନ ପାଇଁ ବ୍ୟବସ୍ଥା, ଚାଷୀ ବିରୋଧୀ ଧାନ ସଂଗ୍ରହ ନୀତି କୁ ତୁରନ୍ତ ପ୍ରତ୍ୟାହାର ସହିତ ଟୋକନ ବ୍ୟବସ୍ଥା ର ସରଲୀକରଣ କିମ୍ବା ସମ୍ପୂର୍ଣ୍ଣ ଉଚ୍ଛେଦ କରିବା, ଚାଷୀ ଙ୍କ ସମ୍ପୂର୍ଣ ଧାନ କିଣିବା ସହିତ କୁଇଣ୍ଟାଲ ପିଛା ପାଞ୍ଚ ଶହ ଟଙ୍କା ବୋନସ ପ୍ରଦାନ ପାଇଁ ଦାବୀ କରାଯାଇଥିଲା।ଜିଲ୍ଲାର ଚାଷୀ ସାମନା କରୁଥିବା ଉପରୋକ୍ତ ଉତ୍କଟ ଜ୍ୱଳନ୍ତ ସମସ୍ୟା ଗୁଡିକ ଯଦି ସରକାର ଓ ପ୍ରଶାସନ ଶୀଘ୍ର ସମାଧାନ ନ କରିବେ ତେବେ ଆଗାମୀ ଦିନରେ ସାରା ଜିଲ୍ଲାରେ ବଡ଼ ଧରଣର ଆନ୍ଦୋଳନ ପାଇଁ ପରିଷଦ ପ୍ରସ୍ତୁତ ହେବା ସହିତ ପ୍ରଶାସନ ର ନିଦ ହଜେଇ ଦେବ ବୋଲି ପରିଷଦ ର ଆବାହକ ଶ୍ରୀ ପାଣିଗ୍ରାହୀ କଡା ଚେତାବନୀ ଦେଇଛନ୍ତି।ଏହି ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ ଅନ୍ୟମାନ ଙ୍କ ସହିତ ସର୍ବଶ୍ରୀ ଶଙ୍କର ଅହୀର,ଗୌରମଣି ବିଭାର,ପ୍ରବୀଣ ଭୋଇ,ଭୁବନେ ନାୟକ,ବୃନ୍ଦାବନ ପ୍ରଧାନ,ନିଲ ନାଗ,ହେମଲାଲ ରଣା, ଶିବ ପାତ୍ର ଓ ଶତାଧିକ ଚାଷି ଯୋଗଦାନକରି ପ୍ଲା କାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Comments are closed.