Odisha news

ରଥ ଉପରକୁ ଉଠିଲା ଦୁଆରବେଢା

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ କୋଭିଡ଼ କଟକଣା ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ଆଜି ତିନିରଥର ଚରିଗୋଟି ଲେଖାଏଁ ଦୁଆର ବେଢା ରଥ ଉପରକୁ ଉଠିଛି । ଏହି ଦୁଆର ବେଢାର ଉପର ଭାଗ ‘ଚନ୍ଦ୍ରଶାଳୀ’ରେ ଧ୍ୱଜା ବତା ସଂଯୋଗ ହୋଇଛି । ଏଥିସହ ତିନି ରଥର ପ୍ରଭା ଫିଟିଙ୍ଗ ପାଇଁ ସିଂହାସନ ବେଦୀ ପଛଭାଗ ଚଉଦ ନାହାକାର ପଛ ଦୁଇ ନାହାକାରେ ଦୁଇଗୋଟି ଧୂଳି ଦଣ୍ଡା ଫିଟିଙ୍ଗ କରାଯାଇଛି । ତିନି ରଥର ପୋଟଳ ତଳକୁ ଚାରିଗୋଟି ଲେଖାଏଁ ରୂଷି ପଟା ପିଟିଙ୍ଗ କରାଯାଇଛି । ରୂପକାର ସେବକମାନେ ତିନି ରଥର ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି । ଚିତ୍ରକର ସେବକମାନେ ତିନି ରଥର ହଂସପଟା ,ସଖୀ,ପାଶ୍ୱର୍ ଦେବାଦେବୀ,ସାରଥୀ, ରଥରେ ଫିଟିଙ୍ଗ ହୋଇଥିବା ଚାରି ପରିଛା ଓ ପଟାଗୁଜ ଗୁଡ଼ିକରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି । ଦୋଳବେଦୀସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ଦୁଆରବେଢା ଫିଟିଙ୍ଗ ପାଇଁ ଧ୍ୱଜବତା କଣ୍ଟା , ଧୂଳି ଦଣ୍ଡା କଣ୍ଟା,ବାଗିଆ କଣ୍ଟା ଓ ଶୂଆ କଣ୍ଟା ନିର୍ମାଣ କରିଛନ୍ତି । ଦରଜୀସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଉପର ପ୍ରକୋଷ୍ଠରେ ବତାକନାରେ ଲେସ୍ ଫିଟିଙ୍ଗ ପରେ ଦୁଆରବେଢା ଉପର ଚନ୍ଦ୍ରଶାଳୀ କଟିଙ୍ଗ କରି ସେଥିରେ ଜରିଲେସ୍ ଫିଟିଙ୍ଗ କାର୍ଯ୍ୟ କରୁଛନ୍ତି ।

Comments are closed.