ତିହିଡି,୦୨/୦୭: ତିହିଡି ବ୍ଲକ ଅନ୍ତର୍ଗତ ସୟା ପଞ୍ଚାୟତର ବୀରବରପୁର ଗାଁରେ ସାପ କାମୁଡାରେ ସ୍ୱାମୀଙ୍କ ମୃତୁ୍ୟ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇ ଏବେ ଜୀବନ ମୃତୁ୍ୟ ସହ ଲୈଇ କରୁଥିବା ଜଣାଯାଇଛି । ପ୍ରକାଶ ଯେ, ଏହି ଗାଁର ବନମାଳୀ ମାଝୀ(୪୫) ଓ ତାଙ୍କ ସ୍ତ୍ରୀ ମାଳତୀ ମାଝୀ(୪୦) ବୁଧବାର ଦିନ ଖାଇପିଇ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ବିଷଧର ସାପ ପ୍ରଥମେ ମାଳତୀଙ୍କୁ କାମୁଡି ଦେଇଥିଲା । ଏହା ଜାଣିବା ପରେ ସେ ସ୍ୱାମୀ ବନମାଳୀଙ୍କୁ ଡାକି ତାଙ୍କୁ କ’ଣ କାମୁଡି ଦେଲା ବୋଲି କହିବାରୁ ବନମାଳୀ ନିଦରୁ ଉଠି ନିଜ ଟର୍ଚ୍ଚ ଖୋଜୁଥିଲେ । ଏତିକିବେଳେ ସାପଟି ତାଙ୍କୁ ମଧ୍ୟ କାମୁଡି ଦେଇଥିଲା । ପଡିଶା ଲୋକେ ତୁରନ୍ତ ଉଭୟଙ୍କୁ ତିହିଡି ଡାକ୍ତରଖାନା ଓ ପରେ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଉଭୟ ଗୁରୁତର ହୋଇ ପଡିବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଗୁରୁବାର ଦିନ ଅପରାହ୍ଣରେ ବନମାଳୀଙ୍କ ମୃତୁ୍ୟ ଘଟିଛି । ବନମାଳୀଙ୍କ ସ୍ତ୍ରୀ ମାଳତୀ ଏବେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି । ତେବେ ଏଭଳି ଦୁଃଖଦ ଖବର ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

Comments are closed.