Odisha news

ପ୍ରଭାବଶାଳୀ ମନ୍ତ୍ରୀ ଅରୁଣ ସାହୁଙ୍କ ନିଜ ଜିଲ୍ଲାରେ ବାରମ୍ବାର ଶିଶୁ ହତ୍ୟାକାଣ୍ଡ ଘଟଣା ହେବା ଅତ୍ୟନ୍ତ ନିନ୍ଦନୀୟ ଏବଂ ପ୍ରଶାସନର ବିଫଳତାକୁ ପଦାରେ ପକାଇଛି : ସ୍ମୃତି ପଟ୍ଟନାୟକ

 ବାରମ୍ବାର ଏଭଳି ହତ୍ୟାକାଣ୍ଡ ଜିଲ୍ଲାର ଶିଶୁକନ୍ୟାଙ୍କ ସୁରକ୍ଷା ପାଇଁ ଏକ ବଡ ଚିନ୍ତାର ବିଷୟ ପାଲଟିଛି
 ଶ୍ରୀମତୀ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ନୟାଗଡ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ଅର୍ଚ୍ଚନା ଦାଶଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ମୃତା ବେବୀର ପରିବାରକୁ ଭେଟି ସାନ୍ତ୍ୱନା ଦେବା ସହ ଘଟଣା ସଂପର୍କରେ ଅବଗତ ହୋଇଛନ୍ତି
 ଅଭିଯୁକ୍ତ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ ବିହୀତ ପଦକ୍ଷେପ ନେବା ପାଇଁ ପୋଲିସ ଓ ପ୍ରଶାସନ ନିକଟରେ ଦାବୀ
 ମୃତ ଶିଶୁକନ୍ୟାର ପରିବାରକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ ଦାବୀ ଜଣାଇଛନ୍ତି ।

ଭୁବନେଶ୍ୱର, ତା.୨୦/୦୬: ରାଜ୍ୟରେ ଶିଶୁ ହତ୍ୟା ଘଟଣା ଦିନକୁ ଦିନ ବୃଦ୍ଧି ପାଇଚାଲିଛି । ଗୋଟିଏ ପରେ ଗୋଟିଏ ଲୋମହର୍ଷଣକାରୀ ଶିଶୁ ହତ୍ୟାକାଣ୍ଡ ଘଟଣା ଜନମାନସକୁ ଦୋହାଲାଇ ଦେଉଛି । ଅତୀତ ଘଟଣାରୁ ରାଜ୍ୟ ସରକାର ଏବଂ ପ୍ରଶାସନ କୈାଣସି ଶିକ୍ଷା ଲାଭ କରୁନାହାନ୍ତି । ଅନ୍ୟ ପଟେ ଶାସକ ବିଜୁ ଜନତା ଦଳର ଅପାରଗତା ଓ ଅସମ୍ବେଦନହୀନତା ମନୋଭାବ କାରଣରୁ ରାଜ୍ୟରେ ମାଁ, ଭଉଣୀ ଏବଂ ଶିଶୁମାନଙ୍କ ପ୍ରତି ଅତ୍ୟାଚାର କ୍ରମଶଃ ବୃଦ୍ଧି ପାଇଚାଲିଛି ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି ।
ବହୁଚର୍ଚ୍ଚିତ ନୟାଗଡ ଜିଲ୍ଲା ପରୀ ହତ୍ୟାକାଣ୍ଡ ସମଗ୍ର ଦେଶରେ ଚାଂଚଲ୍ୟ ସୃଷ୍ଟି କରିଥିଲା । ଶାସକ ବିଜେଡିର ପ୍ରଭାବଶାଳୀ ମନ୍ତ୍ରୀ ତଥା ନୟାଗଡ ବିଧାୟକ ଶ୍ରୀ ଅରୁଣ ସାହୁଙ୍କ ନିଜ ନିର୍ବାଚନମଣ୍ଡଳୀରେ ଶିଶୁ ହତ୍ୟାକାଣ୍ଡ କ୍ରମାଗତ ବୃଦ୍ଧି ପାଇଚାଲିଥିବାବେଳେ ମନ୍ତ୍ରୀଙ୍କର କୈାଣସି ପ୍ରତିକ୍ରିୟା ନଥିବାରୁ ଅପାରାଧୀଙ୍କ ମନରେ ପ୍ରଶାସନ ଏବଂ ଆଇନ ପ୍ରତି କୈାଣସି ଭୟ ନାହିଁ । ଏହି କାରଣରୁ ଅପରାଧୀମାନେ ନିର୍ଭିଘ୍ନ ଭାବେ ଏଭଳି ଜଘନ୍ୟ ଅପରାଧ ଭିଆଉଛନ୍ତି ବୋଲି ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ପରେ ପୁଣି ଏକ ହୃଦୟ ବିଦାରକ ଶିଶୁ ହତ୍ୟା ଘଟଣା ସାମ୍ନାକୁ ଆସିଛି । ନୟାଗଡ ଜିଲ୍ଲା ବାଣିଗୋଛା ଥାନା ଅନ୍ତର୍ଗତ ନୂଆଗାଁର କୁନି ଝିଅ ବେବୀ ଗାଁ ଦାଣ୍ଡରେ ଖେଳୁଥିବାବେଳେ ହଠାତ୍ ନିଖୋଜ ହୋଇଯିବା ଏବଂ ଏହାର ୫ଦିନ ପରେ ଏକ ନିଛାଟିଆ ଜଙ୍ଗଲରେ ତାର ମୃତ ଦେହ ଗଳିତ ଅବସ୍ଥାରେ ଠାବ ହେବା ପୁଣି ଥରେ ପରୀ ହତ୍ୟାକାଣ୍ଡକୁ ମନେ ପକାଇ ଦେଇଛି । ବିଳମ୍ବରେ ହେଉ ପଛେ ପୋଲିସ ଅପରାଧୀକୁ ଧରିଥିବାର କହିଛି । କିନ୍ତୁ ଏଭଳି ଘଟଣା ବାରମ୍ବାର ହେବା ଅତ୍ୟନ୍ତ ନିନ୍ଦନୀୟ ଏବଂ ପ୍ରଶାସନର ବିଫଳତାକୁ ପଦାରେ ପକାଇଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।

ସର୍ଭେ ଅନୁଯାୟୀ ନୟାଗଡ ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ହାର ବହୁତ କମ୍ । ଅତୀତରେ କନ୍ୟା ଭୃଣ ହତ୍ୟାକୁ ନେଇ ସମଗ୍ର ଦେଶରେ ନୟାଗଡ ଚର୍ଚ୍ଚାର ବିଷୟ ହୋଇଥିଲା । ଏହା ସତ୍ୱେ ଜିଲ୍ଲାରେ ବାରମ୍ବାରା ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଏବଂ ତାଙ୍କ ଉପରେ ଅତ୍ୟାଚାର ହ୍ରାସ ପାଉନାହିଁ । ଏହା ଜିଲ୍ଲାର ଶିଶୁକନ୍ୟାଙ୍କ ସୁରକ୍ଷା ପାଇଁ ଏକ ବଡ ଚିନ୍ତାର ବିଷୟ ପାଲଟିଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।
ପୋଲିସ ବିଭାଗର “ଡଗ୍ ସ୍କାଡ୍” କୁ ସଠିକ୍ ଭାବେ ପ୍ରଶିକ୍ଷଣ ଦିଆଯାଉନଥିବା କାରଣରୁ ଏଭଳି ଜଘନ୍ୟ ଘଟଣାରେ ପୋଲିସ ଅଭିଯୁକ୍ତକୁ ଧରିବାରେ ବିଫଳ ହେଉଛି ବୋଲି ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

ଶ୍ରୀମତୀ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ନୟାଗଡ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ଅର୍ଚ୍ଚନା ଦାଶଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ମୃତା ବେବୀର ପରିବାରକୁ ଭେଟି ସାନ୍ତ୍ୱନା ଦେବା ସହ ଘଟଣା ସଂପର୍କରେ ଅବଗତ ହୋଇଥିଲେ । ଅଭିଯୁକ୍ତ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ ବିହୀତ ପଦକ୍ଷେପ ନେବା ପାଇଁ ପୋଲିସ ଓ ପ୍ରଶାସନ ନିକଟରେ ଦାବୀ ଜଣାଇଛନ୍ତି । ଏଥି ସହ ମୃତ ଶିଶୁକନ୍ୟାର ପରିବାରକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ ଦାବୀ ଜଣାଇଛନ୍ତି । ଏହି ପ୍ରତିନିଧି ଦଳରେ ସସ୍ମିତା ମିଶ୍ର, ରୁବି ମିଶ୍ରଙ୍କ ସମେତ ବହୁ ସ୍ଥାନୀୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Comments are closed.