ଭୁବନ,୨୪ ଅଗଷ୍ଟ : ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଂଚାୟତ କିଙ୍ଗୋଳ ଦଳିତ ସାହିରେ ଗତକାଲି ରାତି ଏକ ଅଭାବନୀୟ ଘଟଣା ଘଟିଛି । ଦିଅର ର ଟାଙ୍ଗିଆ ଚୋଟରେ ଭାଉଜର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ଅଭିଯୋଗରୁ ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ସାଢେ ୧୦ ଘଟିକା ସମୟରେ ଲିଲି ମଲିକ(୩୨) ଙ୍କ ସ୍ୱାମୀ ଅଭିମନ୍ୟୁ ଓ ଶ୍ୱଶୁର ସଦାନନ୍ଦ ଚାଷ ଜମିକୁ ଯାଇଥିବା ବେଳେ ୫ ବର୍ଷର ନାବାଳିକା ଝିଅକୁ ଧରି ଶୋଇଥିଲେ । ଏହି ସମୟରେ ଦିଅର ରବୀନ୍ଦ୍ର (୩୦) ଏକ ଟାଙ୍ଗିଆରେ ଲିଲି ଙ୍କୁ ଆକ୍ରମଣ କରି ମୁଣ୍ଡକୁ ହାଣି ଦେଇଥିଲା । ଲିଲିଙ୍କ ଚିତ୍କାର ଶୁଣି ପଡୋଶୀ ମାନେ ଦୌଡିଆସି ରବୀନ୍ଦ୍ରକୁ କାବୁ କରିବା ସହ ଲିଲିଙ୍କୁ ଉଦ୍ଧାର କରିଥିଲେ । ରବୀନ୍ଦ୍ରର ଟାଙ୍ଗିଆ ଚୋଟରେ ଲିଲି ରକ୍ତ ଜୁଡୁବୁଡୁ ହୋଇଥିବା ବେଳେ ଓ ତାଙ୍କ ଝିଅ ମଧ୍ୟ ଆହତ ହୋଇଥିଲେ । ଲିଲିଙ୍କ ସ୍ୱାମୀ,ଶ୍ୱଶୁର ଘରେ ପହଁଚି ଗୁରୁତର ଆହତ ମା ଓ ଝିଅ ଙ୍କୁ ଭୁବନ ଡାକ୍ତରଖାନାରେ ଭର୍ତି କରିଥିଲେ । ତେବେ ଲିଲି ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ସଂପର୍କରେ ଖବର ପାଇ ଭୁବନ ଥାନା ଆଇଆଇସି ଜିତେନ୍ଦ୍ର କୁମାର ସାହୁ,ଏଏସଆଇ ରମେଶ ଚନ୍ଦ୍ର ସ୍ୱାଇଁ ଶବ ଜବତ କରିବା ସହ ଅଭିଯୁକ୍ତ ରବୀନ୍ଦ୍ର କୁ ଅଟକ ରଖିଛନ୍ତି । କେଶ ନଂ – ୨୩୫/୨୦୨୦ ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲୁ ରହିଥିବା ଥାନା ସୂତ୍ରରୁ ଜଣାପଡିଛି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ରବୀନ୍ଦ୍ରକୁ ଛାଡି ତା ସ୍ତ୍ରୀ ପଳାଇଥିବାରୁ ସେ ମାନସିକ ଭାରସାମ୍ୟ ହରାଇ ଏଭଳି କାଣ୍ଡ କରିଛି ବୋଲି ଆଲୋଚନା ହେଉଛି ।