Odisha news

ଯାଜପୁର ରୋଡ଼ ରେଳଷ୍ଟେସନରେ ଓହ୍ଲାଇବେ ଜିଲାର ୬୯ ପ୍ରବାସୀ, ପୈାର ସଭାଗୃହରେ ସମୀକ୍ଷା କଲେ ଜିଲାପାଳ

0

ବ୍ୟାସନଗର : ଯାଜପୁର ରୋଡ଼ ରେଳଷ୍ଟେସନରେ ଜିଲାର ୬୯ ପ୍ରବାସୀ ଓହ୍ଲାଇବେ । ଟ୍ରେନ ଯୋଗେ ଆସି ଏଠାରେ ଓହ୍ଲାଇବା ପରେ ସେମାନଙ୍କ ନାମ ପଞ୍ଜିକରଣ କରାଯିବ । ପ୍ରବାସୀଙ୍କ ହାତରେ ଷ୍ଟାମ୍ପ ମରାଯିବା ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସ୍ୱତନ୍ତ୍ର ଗାଡ଼ିରେ ନିଜ ନିଜ ଅଞ୍ଚଳର କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଯାଇ କ୍ୱାରେଣ୍ଟାଇନ୍ରେ ରହିବେ ।

ଟ୍ରେନ କେବେ ଏବଂ କେଉଁ ସମୟରେ ପହଁଚିବ, ତାହାର କୈାଣସି ଠିକ୍ ଠିକଣା ନାହିଁ । ଷ୍ଟେସନ ମାଷ୍ଟର କି ପ୍ରବାସୀଙ୍କ ପାଇଁ ପ୍ରସ୍ତୁତି ଚଲାଇଥିବା ବ୍ୟାସନଗର ପୈାର କର୍ମଚାରୀ ବା କୋଭିଡ଼-୧୯ ଦାୟୀତ୍ୱରେ ଥିବା ଅଧିକାରୀଙ୍କ ପାଖରେ ଖବର ନାହିଁ । କିନ୍ତୁ ପ୍ରବାସୀ ଫେରିବା ପାଇଁ ପ୍ରସ୍ତୁତି କରାଯାଇ ସପ୍ତାହ ପୂର୍ବରୁ ଷ୍ଟେସନ ସମ୍ମୁଖରେ ଟେଣ୍ଟ ମରାଯାଇ ବ୍ଲକ ୱାାଇଜ କ୍ୟାମ୍ପଘର କରାଯାଇଛି । ସ୍ୱତନ୍ତ୍ର ପୁଲିସ ସହାୟତା କେନ୍ଦ୍ର ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଛି ।

ପ୍ରବାସୀଙ୍କ ପାଇଁ ହୋଇଥିବା ପ୍ରସ୍ତୁତି ସଂପର୍କରେ ଜିଲାପାଳ ରଂଜନ କୁମାର ଦାସ ଆଜି ସମୀକ୍ଷା କରିଛନ୍ତି । ପ୍ରସ୍ତୁତି ସ୍ଥଳ ଦେଖିବା ପରେ ପୈାର ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଆଲୋଚନା କରିିଥିଲେ । ବୈଠକରେ ପିଡ଼ି ଇନ୍ଦ୍ରମଣି ନାୟକ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଡ଼ିଆଇପିଆରଓ ସନ୍ତୋଷ କୁମାର ସେଠୀ, ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା, ବ୍ୟାସନଗର ତହସିଲଦାର ଶରତ ଚନ୍ଦ୍ର ମହାପାତ୍ରଙ୍କ ସହ ଜିଲାର ସମସ୍ତ ତହସିଲଦାର, ବିଡ଼ିଓ ଏବଂ କୋଭିଡ଼-୧୯ ଦାୟୀତ୍ୱରେ ଥିବା ପୈାର କର୍ମଚାରୀ ଉପସ୍ଥିତ ରହିଥିଲେ । ଜିଲାର ୧୦ଗୋଟି ବ୍ଲକକୁ ୬୯ଜଣ ଫେରୁଥିଲେ ହେଁ ସେମାନଙ୍କ ମଧ୍ୟରୁ ବ୍ୟାସନଗରର କେହି ନଥିବା ଜଣାପଡ଼ିଛି ।

Leave A Reply