କନ୍ଧମାଳ, ୦୧ ଜୁଲାଇ : କେନ୍ଦ୍ର ସରକାରଙ୍କର ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ସଂନ୍ଧ୍ୟା ୫ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ ଘୋଷଣାପରେ କନ୍ଧମାଳ ଜିଲ୍ଲାକୁ କରୋନା ସଂକ୍ରମଣରୁ ରକ୍ଷା କରିବା ସହ ମୁକ୍ତ କରିବା ଲାଗି ପୁଣିଥରେ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ବୋଲି ଜଣାପଡିଛି । ସେହିପରି ବର୍ତମାନ ବିନା କାରଣରେ ବିନା ହେଲମେଟ୍ରେ ବାଇକ ନେଇ ବୁଲିବା ଓ ୩ ଜଣ ଲେଖାଏଁ ବସି ବାଇକରେ ବୁଲିବା ଲୋକମାନଙ୍କ ବିରୁଦ୍ଧରେ ପ୍ରଶାସନ ପୁଣିଥରେ ରୋକ୍ ଲଗାଇବାକୁ ଯାଉଛି । ପୋଲିସ କଠୋର ନିତୀ ଅବଲମ୍ବନ କରି ଅମାନିଆଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଚଳିତ ଜୁଲାଇ ମାସରେ ସଂକ୍ରମିତଙ୍କ ସଂଖ୍ୟା ଢେର ବଢିବ ବୋଲି ଆକଳନ କରିଛନ୍ତି ସରକାର । ଏଣୁ, କରୋନା ମୁକାବିଲା ପାଇଁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଫଳରେ କନ୍ଧମାଳ ପୋଲିସ ପୁଣି ସକ୍ରିୟ ହୋଇଉଠିବ । ମାସ୍କ ନପିନ୍ଧିବା ବ୍ୟକ୍ତିଙ୍କ ଠାରୁ ଫାଇନ୍ ଆଦାୟ କରିବା ସହ ସାମାଜିକ ଦୂରତା ରକ୍ଷା କରୁନଥିବା ବ୍ୟବସାୟୀଙ୍କ ଦୋକାନ ସିଲ୍ କରିବା ସହ ମୋଟା ଅଙ୍କର ଜରିମାନା ମଧ୍ୟ ଆଦାୟ କରିବ । ରାତ୍ରୀକାଳିନ କର୍ଫ୍ୟୁକୁ କଡାକଡି ପାଳନ କରିବା ସହ ଯିଏ ବିନା କାରଣରେ ବୁଲିବାକୁ ଆସିଥିବା ନଜରକୁ ଆସିବ ପୋଲିସ ତା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି । ପୋଲିସ କୋହଳ ହେବା ଫଳରେ ଦିନକୁ ଦିନ ଅମାନିଆଙ୍କ ସଂଖ୍ୟା ବଢିବାରେ ଲାଗିଲା । ଏହାକୁ ଏବେ ସଂପୂର୍ଣ୍ଣ ରୋକ୍ ଲଗାଇବାକୁ ଅଂଟା ଭିଡିଛି କନ୍ଧମାଳ ପୋଲିସ ।