ଗୋପ (ଏନ୍.ଏନ୍.ଏସ୍): ଗୋପ ବ୍ଲକ୍ ଅଧିନ ନୁଆଖୋଲମରା ଗ୍ରାମ ପଞ୍ଚାୟତ ସ୍ଥିତ ନନ୍ଦିଗୋରଡ଼ା ଗ୍ରାମ୍ୟ ଜଙ୍ଗଲରେ ୪୦ ଜଣ ଛତିଶଗଡ଼ର ଶ୍ରମିକ ଫଶି ରହିଥିବା ନେଇ ଖବର ପ୍ରଚାରିତ ହେବା ପରେ ଶ୍ରମିକମାନଙ୍କ ନିକଟରେ ସହାୟତା ପହଞ୍ଚିଛି । କୋଣାର୍କ ମହିଳା ମହାସଂଘ ପକ୍ଷରୁ ଫଶି ରହିଥିବା ଶ୍ରମିକମାନଙ୍କୁ ୧୫ ଦିନର ସୁଖିଲା ଖାଦ୍ୟ ପ୍ରଦାନ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଛତିଶଗଡ଼ ରାୟପୁର ଅଞ୍ଚଳର ୪୦ ଜଣ ଶ୍ରମିକ ଇଟା ପ୍ରସ୍ତୁତ ଲାଗି ଓଡ଼ିଶା ଆସିଥିବାବେଳେ ବିଭିନ୍ନ ଅଞ୍ଚଳରେ ବୁଲି ବୁଲି ଇଟା ପକାଉଥିଲେ ।
ମାତ୍ର ବର୍ଷା ଯୋଗୁଁ ଇଟା ପକା ବନ୍ଦ ହୋଇ ଯାଇଥିବାବେଳେ କରୋନା ସଂକ୍ରମଣ ନବ୍ୟାପିବା ଲାଗି ସରକାରଙ୍କ ତରଫରୁ ଲକ୍ଡ଼ାଉନ୍ ଘୋଷଣା କରାଯାଇଥିଲା । ଏହି ଶ୍ରମିକମାନେ ଓଡ଼ିଶାରେ ଫଶି ରହିଥିଲେ । ଇଟା କାର୍ଯ୍ୟକରି ଯାହା ରୋଜଗାର କରିଥିଲେ ତାହା ଶେଷ ହୋଇଯାଇଥିବାବେଳେ ଭୋକ ଉପାସରେ କାଳାତିପାତ କରୁଥିଲେ ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ତୁରନ୍ତ ସହାୟତା ପ୍ରଦାନ କରିବାକୁ ପ୍ରଶାସନକୁ ନିଦେ୍ର୍ଦଶ ଦେଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇପାରିନଥିବାବେଳେ ସ୍ଥାନୀୟ ପଞ୍ଚାୟତର କୌଣସି ଅଧିକାରୀ ତାଙ୍କ ନିକଟରେ ପହଞ୍ଚିନଥିବାବେଳେ କାଣାର୍କ ମହିଳା ମହାସଂଘର ନେତୃତ୍ୱରେ ସନ୍ଧ୍ୟାରାଣୀ ଜେନା, ମଞ୍ଜୁଲତା ବେଉରା, ଝୁନା ନାୟକ, ସରୋଜିନୀ କାନୁନ୍ଗୋ, ସବିତା ବେଉରା ପ୍ରମୁଖ ପହଞ୍ଚି ଫଶି ରହିଥିବା ଶ୍ରମିକମାନଙ୍କୁ ଚାଉଳ, ଡ଼ାଲି, ତେଲ, ଆଳୁ ସମେତ ବିଭିନ୍ନ ସୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି । ମହିଳା ମହାସଂଘ ପକ୍ଷରୁ ୧୫ଦିନ ଲାଗି ସୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିବାବେଳେ ଫସି ରହିଥିବା ଶ୍ରମିକମାନେ ନିଜ ରାଜ୍ୟକୁ ଫେରିବା ଲାଗି ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି ।