ଫୁଲନଖରା : ବାରଙ୍ଗ ବ୍ଲକ କୁରାଙ୍ଗଶାସନ ଅନ୍ତର୍ଗତ ବାବା ରାମ ପ୍ରସାଦ ସଂସ୍କୃତ ଏକାଡ଼େମୀରେ ଖୋଲିଥିବା କୋଭିଡ଼-୧୯ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି । ଏଠାରେ ୩୬ ଜଣ ବହିରାଗତ ସେମାନଙ୍କ ନାମ ପଞ୍ଜିକୃତ କରିଥିଲାବେଳେ ସେମାନଙ୍କ ମଧ୍ୟରେ ୯ଜଣ ମହିଳା ଓ ଜଣେ ଶିଶୁ ଅନ୍ତର୍ଭୁକ୍ତ ।
ଏହି ବହିରାଗତମାନେ ଦିଲୀ, ହାଇଦରାବାଦ, ସୁରାଟ, ମହାରାଷ୍ଟ୍ର ଆଦି ଅଞ୍ଚଳରୁ ଆସୁଛନ୍ତି । ସେମାନଙ୍କ ରହଣୀ ପାଇଁ ଏହି କେନ୍ଦ୍ରରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ଓ ଶୌଚାଳୟ ନିର୍ମାଣ ହୋଇଥିଲାବେଳେ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ସେହିପରି ଅନ୍ତେବାସୀଙ୍କ ନିରାପତ୍ତା ପାଇଁ ରାତ୍ରିକାଳୀନ ସୁରକ୍ଷା କର୍ମୀ ମୁତୟନ ଓ ବ୍ୟାରିକେଡ଼ ବ୍ୟବସ୍ଥା ହୋଇଛି ।
ଏହି କେନ୍ଦ୍ର ପରିଚାଳନା ପାଇଁ ଏକ ନିୟନ୍ତ୍ରଣ କକ୍ଷ ନିକଟସ୍ଥ ମିନି ଷ୍ଟାଡ଼ିୟମରେ ଖୋଲାଯାଇଛି । ଜିଲାପାଳ ଉକ୍ତ କେନ୍ଦ୍ର ପରିଦର୍ଶନ ସମୟରେ ସମସ୍ତ ବ୍ୟବସ୍ଥାରେ ଖୁସି ବ୍ୟକ୍ତ କରିବା ସହିତ ବ୍ୟାରିକେଡ଼ ଦେଖି ବିଶେଷ ଆନନ୍ଦିତ ହୋଇଥିଲେ; ଯାହାକି ଅନ୍ୟ କୌଣସି କେନ୍ଦ୍ରରେ ଏହା ଦେଖିବାକୁ ମିଳିନାହିଁ ।