ପୁଣି ୧୬ ଜଣ କରୋନା ଆକ୍ରାନ୍ତ ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ରବିବାର ରାତିରେ ଟୁଇଟ୍ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବର୍ତ୍ତମାନ କେବଳ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି। ତେବେ ଏହି ୧୬ଜଣଙ୍କ ମଧ୍ୟରୁ ୧୫ ଜଣ ବମିଖାଲର ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ଫଳରେ ବମିଖାଲ ଅଞ୍ଚଳରୁ ସମୁଦାୟ ୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ସିଲ୍ ହୋଇଥିବା ବମିଖାଲ୍ ଅଞ୍ଚଳରେ ରାଜ୍ୟ ସରକାରଙ୍କ ସର୍ଭିଲାନ୍ସ ଟିମ୍ ଘରକୁ ଘର ବୁଲି ସମସ୍ତଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି। ଏହାପରେ ବମିଖାଲ୍ ଅଞ୍ଚଳରୁ ଚିହ୍ନଟ ହୋଇଥିବା ସମସ୍ତ ସଂଦିଗ୍ଧଙ୍କୁ ଆଇସୋଲେସନରେ ରଖାଯିବା ସହ ସେମାନଙ୍କର ସ୍ବାବ ନମୁନା ପରୀକ୍ଷା କରାଯିବ ବୋଲି ସୂଚନା ଦିଆଯାଇଛି। ଏଥିସହ ଭୁବନେଶ୍ବରର ନାଗରିକମାନଙ୍କୁ ଭୟ ନ କରି ଘରେ ରହିବାକୁ ପରାମର୍ଶ ଦିଆଯାଇଛି।