ତମାଣ୍ଡୋ ଥାନା ନିକଟସ୍ଥ କଳିଙ୍ଗନଗର କେ-୩ରେ ଦୁଇ ଜଣ ମୋବାଇଲ ଲୁଟେରାଙ୍କୁ ସ୍ଥାନୀୟ ଲୋକେ ଧରି ନିର୍ଧୁମ ଛେଚିବା ପରେ ପୁଲିସ ଜିମା ଦେଇଥିଲେ । ପୁଲିସ ସେମାନଙ୍କ ନିକଟରୁ ୪ଟି ମୋବାଇଲ ସମେତ ଗୋଟିଏ ପଲସର ବାଇକ ଜବତ କରିଛି । ଅଟକ ଦୁଇ ଲୁଟେରାକୁ ମଙ୍ଗଳବାର ଦିନ ଗିରଫ କରାଯାଇଛି । ଗିରଫ ଦୁଇ ଲୁଟେରା ହେଲେ ଖଣ୍ଡଗିରି ଥାନା ରଣସିଂହପୁର ଗ୍ରାମର ବୁକୁନା ବିରା(୨୧) ଓ ମଙ୍ଗୁଳି ବିରା(୨୪) । ଦୁହିଁଙ୍କୁ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହୋଇଯିବାରୁ ଦୁହିଁଙ୍କୁ ଝାରପଡା ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଗିରଫ ଦୁଇ ଲୁଟେରାମାନଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନାରେ ଲୁଟ୍ପାଟ ଭଳି ଅନେକ ମାମଲା ରହିଛି ।
ସୂଚନାଯୋଗ୍ୟ, ତମାଣ୍ଡୋ ଥାନା ନିକଟସ୍ଥ କଳିଙ୍ଗବିହାର ସ୍ଥିତ ଦୁଇ ଜଣ ଛାତ୍ରୀ ସ୍କୁଟି ଯୋଗେ ଘରକୁ ଯାଉଥିଲେ ।
ଏତିକି ବେଳେ ବୁକୁନା ଓ ମଙ୍ଗୁଳି ଛାତ୍ରୀଙ୍କୁ ପିଛା କରି ପଛେ ପଛେ ଯାଇଥିଲେ । ଆଖି ପିଛୁଳାକେ ଛାତ୍ରୀଙ୍କ ଠାରୁ ମୋବାଇଲ ଝାମ୍ପି ଦ୍ରୁତ ବେଗରେ ପଳାଉଥିଲେ । ହେଲେ ଛାତ୍ରୀଦ୍ୱୟ ଚିକ୍ରାର କରିବାକୁ ନିକଟରେ ଥିବା କେତେକ ଯୁବକ ସେମାନଙ୍କ ପିଛା କରିଥିଲେ । କିଛି ଦୂରରେ ସ୍ୱାରେଜ କାମ ଚାଲିଥିବାରୁ ଆଗକୁ ଯିବା ଲାଗି ରାସ୍ତା ନଥିଲା ।
ଫଳରେ ଦୁଇ ଚୋର ସେଠାରେ ଅଟକି ଯାଇଥିଲେ । ସେମାନଙ୍କ ପିଛା କରୁଥିବା ସ୍ଥାନୀୟ ଯୁବକମାନେ ଚୋରଦ୍ୱୟଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଏସଂକ୍ରାନ୍ତରେ ସ୍ଥାନୀୟ ଯୁବକମାନେ ପୁଲିସକୁ ଖବର ଦେବା ପରେ ପିସିଆର ପହଞ୍ଚି ବୁକୁନା ଓ ମଙ୍ଗୁଳିଙ୍କୁ ଥାନାକୁ ନେଇଯାଇଥିଲା । ଦୁହିଁଙ୍କୁ ପଚରାଉଚରା କରିବା ପରେ ସେମାନେ ଲୁଟ୍ପାଟ କରୁଥିଲେ ମଧ୍ୟ ମାନିଯାଥିଲେ । ପରେ ଦୁହିଁଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।