ଶେଖ୍ ଫରିଦ୍ଉଦ୍ଦିନ୍ : ଓଡ଼ିଶା ମାଟି ସହ ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ଥିଲା ଅନ୍ତରଙ୍ଗ ସମ୍ପର୍କ । ଏକଦା ଓଡ଼ିଶା ସମ୍ପର୍କରେ ନିଜ ଆବେଗ ଓ ଅନୁଭବ ରଖିବା ବେଳେ ସେ ଭାବବିହ୍ୱଳ ହୋଇ କହିଥିଲେ, ଓଡ଼ିଶାର ପବନରେ ଇତିହାସ, ସଂସ୍କୃତି ଓ ଉଦାର ମାନବିକତା ଅଛି । ଯେତେଥର ମୁଁ ଓଡ଼ିଶା ଆସିଛି, ଏ ମାଟି ମତେ ସମ୍ମୋହିତ କରିଛି । ଏ ମାଟିକୁ ମୁଁ ସାଲୁ୍ୟଟ ଜଣାଉଛି । ସେ ପୁଣି ଏକଥା ବି କହିଥିଲେ ଯୁଦ୍ଧ ଭୂମି ତ ପୃଥିବୀରେ ଅନେକ ଅଛି; କିନ୍ତୁ ଭୁବନେଶ୍ୱରରେ ଦୟା ନଦୀ କୂଳରେ କଳିଙ୍ଗ ଯୁଦ୍ଧ ଲଢ଼ା ଯାଇଥିବା ଭୂମିର ତୁଳନା ନାହିଁ । ଏ ଯୁଦ୍ଧକ୍ଷେତ୍ର ଅନନ୍ୟ । ହୃଦୟ ପରିବର୍ତ୍ତନ କରିଦେବା ଭଳି ଅଦ୍ଭୁତ ଶକ୍ତି ଓ କ୍ଷମତା ବିଶ୍ୱର କୌଣସି ଯୁଦ୍ଧ କ୍ଷେତ୍ରର ନାହିଁ । ଯାହା ଏଠି ଭରି ରହିଛି । ଏ ମାଟି ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିବର୍ତ୍ତନ କରିପାରିଛି ।
ହିଂସାର ମାର୍ଗ ଏଠି ଅହିଂସାର ରୂପ ନେଇଛି । ସେଥିପାଇଁ ଏ ମାଟି ମୋତେ ମୋହିତ କରି ଆସିଛି ବୋଲି ସେ କହିଥିଲେ । ୨୦୧୪ ମସିହା ନଭେମ୍ବର ୩୦ ତାରିଖରେ ରମାଦେବୀ ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଶ୍ରୀ ମୁଖାର୍ଜୀଙ୍କ ଏହି ଆବେଗପୂର୍ଣ୍ଣ ଭାଷଣ ଚର୍ଚ୍ଚାର ବିଷୟ ହୋଇଥିଲା । ଓଡ଼ିଶାର ବରପୁତ୍ରମାନଙ୍କ ପ୍ରଶଂସା କରି କହିଲେ, ମହିୟସୀ ଗାନ୍ଧୀ ଅନୁଗାମିନୀ ରମାଦେବୀ ନିଜ ସମୟ ଠାରୁ ଢ଼େର ଆଗରେ ଥିଲେ । ରମାଦେବୀ ପ୍ରକୃତ ନାରୀ ସଶକ୍ତୀକରଣ ତଥା ଉତ୍ଥାନ ପାଇଁ ଶିକ୍ଷା, ମୁକ୍ତି ଓ ଶକ୍ତି ଉପରେ ଗୁରୁତ୍ୱ ଦେଇଥିଲେ । ସେ ଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ । ଶ୍ରୀଜୀଉଙ୍କ ଦର୍ଶନ ତାଙ୍କୁ ଦେଉଥିଲା ପରମ ତୃପ୍ତି । ଓଡ଼ିଶା ସହ ପ୍ରଣବ ମୁଖାର୍ଜୀଙ୍କର ଥିଲା ବେଶ ଭାବଗତ ସମ୍ପର୍କ । ସେ ଓଡ଼ିଶାକୁ ନିବିଡ଼ ଭାବେ ଭଲ ପାଉଥିଲେ ଆଉ ଓଡ଼ିଆଙ୍କୁ ମଧ୍ୟ । ରାଷ୍ଟ୍ରପତି ଭାବେ ଓଡ଼ିଶାକୁ ବହୁବାର ଆସିଛନ୍ତି ସ୍ୱର୍ଗତ ମୁଖାର୍ଜୀ ।
ରାଷ୍ଟ୍ରପତି ପଦରୁ ଗଲା ପରେ ମଧ୍ୟ ଏକାଧିକବାର ସେ ଓଡ଼ିଶା ଆସିଛନ୍ତି । କେନ୍ଦ୍ରମନ୍ତ୍ରୀ ପଦରେ ଏବଂ ଯୋଜନା କମିଶନ ଉପାଧ୍ୟକ୍ଷ ଥିଲାବେଳେ ମଧ୍ୟ ପ୍ରଣବଙ୍କ ଓଡ଼ିଶା ପ୍ରୀତି ବେଶ ଅଧିକ ଥିଲା । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଲିଖିତ ପୁସ୍ତକ “ଦି ଟଲମ୍ୟାନ୍’ ଉନ୍ମୋଚନ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକରେ ସେ ବିଜୁଙ୍କ ଭୂୟସୀ ପ୍ରଶଂସା କରିବା ସହ ତାଙ୍କୁ ଭାରତୀୟ ରାଜନୀତିରେ ଜଣେ ବିଚିକ୍ଷଣ ନେତା ଓ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଭାବେ ବର୍ଣ୍ଣନା କରିଥିଲେ । ବିଜୁଙ୍କୁ ସ୍ୱାଭିମାନୀ ଓଡ଼ିଆ ଭାବେ ଅଭିହିତ କରି ପ୍ରଣବ ହୃଦୟଖୋଲା ପ୍ରଶଂସାରେ ପୋତି ପକାଇଥିଲେ । ସେ କହିଥିଲେ, ବିଜୁଙ୍କୁ କିମ୍ବଦନ୍ତୀ ପୁରୁଷ ଭାବେ ବର୍ଣ୍ଣନା କରି ପ୍ରଣବ କହିଲେ, ବିଜୁ ବାବୁ ଥିଲେ ରାଜନୀତିରେ ସେମାନଙ୍କ ପିଢ଼ିର ନେତାମାନଙ୍କ ପାଇଁ ଆଦର୍ଶ । ସେ ଥିଲେ ସଂକଟମୋଚକ । ଆନ୍ତର୍ଜାତିକସ୍ତରରେ ଦେଶକୁ କିଛି ସଂକଟ ଆସୁଥିଲେ ବିଜୁ ହିଁ ଖୋଜା ପଡ଼ୁଥିଲେ । ଦିଲ୍ଳୀରୁ ଡକରା ପାଇଁ ସେ ଭୁବନେଶ୍ୱରରୁ ଯାଉଥିଲେ । ସଂକଟର ସମାଧାନ କରୁଥିଲେ । କେବଳ ଓଡ଼ିଶାର ଭୌଗୋଳିକ ସୀମାରେ ସେ ବନ୍ଧା ନଥିଲେ । ସେ ଦେଶର ନେତା ଥିଲେ, ବିଦେଶରେ ମଧ୍ୟ ତାଙ୍କ ଦବ୍ଦବା ଥିଲା । ସେ ଥିଲେ ଜନତାଙ୍କ ନେତା ।
୧୯୯୯ ପ୍ରଳୟଙ୍କରୀ ମହାବାତ୍ୟା ପରେ ଜଗତ୍ସିଂହପୁର ଜିଲ୍ଲାକୁ ଛୁଟି ଆସିଥିଲେ ତକ୍ରାଳୀନ ରାଜ୍ୟ ସଭାର ବିରୋଧୀ ଦଳ ନେତା ପ୍ରଣବ ମୁଖାର୍ଜୀ । ସେତେବେଳେ ଶ୍ରୀ ମୁଖାର୍ଜୀ ଏରସମାର ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ପରିଦର୍ଶନ କରି ଜଗନ୍ନାଥପୁର ଠାରେ ନିର୍ମିତ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ । ଜିଲ୍ଲାଗସ୍ତ ଅବସରରେ ପ୍ରଥମେ ସେ ଏରସମା ଯାଇଥିଲେ । ସେଠାରୁ ଜିରାଇଲୋ, ଆମ୍ବିକି ଗସ୍ତ କରି ବାତ୍ୟାର କରାଳ ଛବିକୁ ଦେଖି ସ୍ତମ୍ଭୀଭୂତ ହୋଇ ପଡ଼ିଥିଲେ । ଜଗନ୍ନାଥପୁର ଡାକବଙ୍ଗଳାରେ କିଛି ସମୟ ରହଣି ପରେ ସେଇଦିନ ହିଁ ଶ୍ରୀ ମୁଖାର୍ଜୀ କୁଜଙ୍ଗ, ପାରାଦ୍ୱୀପ ହୋଇ କେନ୍ଦ୍ରାପଡ଼ା ଗସ୍ତ କରିଥିଲେ । ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ବସନ୍ତ ବିଶ୍ୱାଳଙ୍କ ସହ ଶ୍ରୀ ମୁଖାର୍ଜୀଙ୍କ ନିବିଡ଼ ସମ୍ପର୍କ ରହିଥିଲା । ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ଭିତରେ ଶ୍ରୀ ମୁଖାର୍ଜୀ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । ୨୦୧୮ ଜାନୁଆରୀ ୨୭ରେ ପୂର୍ବତନ ରାଷ୍ଟ୍ରପତି ଭାବେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ଫଟୋ ଚିତ୍ର ସମ୍ବଳିତ କଫି ଟେବୁଲ ବହି “ଦ ଟଲ ମ୍ୟାନ ବିଜୁ ପଟ୍ଟନାୟକ’ର ସ୍ୱର୍ଗତଃ ମୁଖାର୍ଜୀ ଭୁବନେଶ୍ୱରରେ ଶୁଭ ଉନ୍ମୋଚନ କରିବା ଅବସରରେ ବିଜୁ ବାବୁଙ୍କ ସହ ସେ ବିତାଇଥିବା ମୁହୂର୍ତ୍ତ ସମ୍ପର୍କରେ ବର୍ଣ୍ଣନା କରି କହିଥିଲେ, ବିଜୁ ବାବୁ ଜଣେ କିମ୍ବଦନ୍ତୀ ପୁରୁଷ ।
ତାଙ୍କ ପରିଚୟ କୌଣସି ଭୌଗୋଳିକ ସୀମା ଭିତରେ ସୀମିତ ରହିନାହିଁ । ଦେଶର ତକ୍ରାଳୀନ ଯୋଜନା କମିସନର ଉପାଧ୍ୟକ୍ଷ ଥିବାବେଳେ ସବୁ ରାଜ୍ୟର ସମତୁଲ ବିକାଶ ପାଇଁ ଗାଡ଼ଗିଲ ଫର୍ମୁଲାରେ ଆବଶ୍ୟକ ପରିବର୍ତ୍ତନ ଆଣିବା ସପକ୍ଷରେ ବିଜୁବାବୁ କିପରି ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ ସେ ସମ୍ପର୍କରେ ସ୍ୱର୍ଗତଃ ମୁଖାର୍ଜୀ ବଖାଣିଥିଲେ । ସେ ଓ ତାଙ୍କ ପରିବାରକୁ ବିଜୁବାବପୁ କିପରି ଭଲ ପାଉଥିଲେ ସେ ସମ୍ପର୍କରେ ବି ସ୍ୱର୍ଗତଃ ମୁଖାର୍ଜୀ କହିଥିଲେ । ଏହି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି.ଦେବଗୌଡ଼ା, ବିଜେପି ନେତା ଏଲ.କେ.ଆଡ଼ଭାନି, ବାମପନ୍ଥୀ ନେତା ସୀତାରାମ ୟେଚୁରୀଙ୍କ ଭଳି ଅନ୍ୟ ଅତିଥିଙ୍କ ସହ ସ୍ୱର୍ଗତ ମୁଖାର୍ଜୀ ନବୀନ ନିବାସରେ ପଖାଳ, ଶାଗ-ବଡ଼ି, ପିଆଜ ପିଠା, ସଜନା ଛୁଇଁ ଭଜା ଓ ଛେନାପୋଡ଼ ଭଳି ସମ୍ପୂର୍ଣ୍ଣ ଓଡ଼ିଆ ଖାଦ୍ୟ ଖାଇଥିଲେ । ଗବେଷଣା କର, ଉଦ୍ଭାବନ କର । ଛାତ୍ରଛାତ୍ରୀଙ୍କୁ ଅତ୍ୟନ୍ତ ଭଲ ପାଉଥିବା ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏଭଳି ଆହ୍ୱାନ ଦେଇଥିଲେ । ୨୦୧୭ ନଭେମ୍ବର ୨୧ ତାରିଖରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଣବ ମୁଖାର୍ଜୀ । କାର୍ଯ୍ୟକ୍ରମ ଶେଷ କରି ସେ ରେଭେନ୍ସାରେ ଚା ପିଇଥିଲେ । ପରେ ଗାଡ଼ି ପାଖକୁ ଯିବା ସମୟରେ ଛାତ୍ରଛାତ୍ରୀଙ୍କୁ ଦେଖି ସେମାନଙ୍କ ନିକଟରେ ୨୦ ମିନିଟ ଅଟକି ଯାଇଥିଲେ ।
ପ୍ରୋଟୋକଲ ବାହାରେ ପୂର୍ବତନ ରାଷ୍ଟ୍ରପତି ଏଭଳି ଅଟକିଯିବା ଘଟଣା ସେତେବେଳେ ପୁଲିସ ପ୍ରଶାସନକୁ ଅକଳରେ ପକାଇଥିଲା । କିନ୍ତୁ ପ୍ରଣବ ମୁଖାର୍ଜୀ ଛାତ୍ରଛାତ୍ରୀଙ୍କ ଗହଣରେ ବେଶ ହସଖୁସି ଓ ସ୍ୱାଭାବିକ ଢ଼ଙ୍ଗରେ ସମୟ ବିତାଇଥିଳେ । ବିଶ୍ୱବିଦ୍ୟାଳୟ ଉନ୍ନୟନ ଟ୍ରଷ୍ଟର ସପ୍ତମ ବକ୍ତୃତା କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସେ ଯୋଗ ଦେଇଥିଲେ । ଦୀର୍ଘ ୫୦ ବର୍ଷଧରି ରାଜନୈତିକ ଜୀବନରେ ସେ ଦେଶର ବିକାଶ ପାଇଁ ଯେପରି ତ୍ୟାଗ କରିଛନ୍ତି ତାହା ସବୁବେଳେ ଚିରସ୍ମରଣୀୟ ହୋଇରହିବ । ତାଙ୍କ ଜୀବଦଶାରେ ସର୍ବଦା ଦୂରଦର୍ଶୀ ସମ୍ପନ୍ନ, ଅନ୍ତରମୁଖୀ ଓ ସ୍ଥିରନିଷ୍ଠ ଭାବେ ଦାୟିତ୍ୱ ସମ୍ପାଦନା କରିଆସିଥିଲେ । ତାଙ୍କ ବିୟୋଗରେ ଗୋଟିଏ ଗରିମାମୟ ଜୀବନର ଅନ୍ତ ଘଟିଛି ।