ଡାକ୍ତର କାନ୍ତୀ ନାୟକ (ଅଧୀକ୍ଷକ, ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ, ଅରର୍ବାନ ସିଏଚ୍ସି, ସିଡ଼ିଏ, କଟକ) : କୁହାଯାଏ – ଝିଅମାନେ ବାପାଙ୍କର ବେଶି ପ୍ରିୟ ଆଉ ପୁଅମାନେ ମା’ଙ୍କର ବେଶି ପ୍ରିୟ । ଏହା ତ ନିଶ୍ଚତ ଭାବରେ ଠିକ୍ କଥା । କିନ୍ତୁ ଏଠାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ଜାଣିରଖିବା ଉଚିତ ଯେ, ଝିଅମାନେ ମା’ଙ୍କ ଠାରୁ ଅନେକ କଥା ଶିକ୍ଷା କରିଥାନ୍ତି । ଏହା ସେମାନଙ୍କର ଜନ୍ମଗତ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଶିଖାଇବା ପୂର୍ବରୁ ଝିଅମାନେ ମା’ମାନଙ୍କର ଅନେକ କଥାକୁ ନିଜ ଭିତରେ ଗ୍ରହଣ କରିନେଇଥାନ୍ତି । ବିଶେଷକରି, ନାରୀସୁଲଭ ଗୁଣଗୁଡ଼ିକୁ ସେମାନେ ସମସ୍ତଙ୍କ ଅଜାଣତରେ ତଥା ବିନା ଶିକ୍ଷାରେ ଗ୍ରହଣ କରିନେଇଥାନ୍ତି ।
ସେହିଭଳି ସନ୍ତାନର ଲାଳନପାଳନ ଗୁଣଟିକୁ ସେମାନେ କେବ ବି ମା’ଙ୍କ ପାଖରେ ସୀମିତ ହୋଇ ରହିବାକୁ ଦିଅନ୍ତି ନାହିଁ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଝିଅଟିଏ ଯେତେବେ ବୟସ ପ୍ରାପ୍ତ ହୋଇଯାଏ ସେତେବେଳେ ସେ ତା ମନକୁମନ ମା’ଙ୍କ ଠାରୁ ସବୁକଥା ଶିଖିବାକୁ ଆରମ୍ଭ କରେ । ସେହିଭଳି ଅନେକ କିଛି ଗୁଣ ତା ନିଜ ଭିତରେ ଥାଏ । ଯାହା ବୟସର କ୍ରମାନ୍ୱୟରେ ସେସବୁ ତା ନିକଟରେ ଆତ୍ମପ୍ରକାଶ କରେ । ଏହି କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ହେଉଛି ମାନବୀୟ ବ୍ୟବହାର (ବିଶେଷକରି ନାରୀଙ୍କ କ୍ଷେତ୍ରରେ)ର ଏକ ସିକ୍ରେଟ୍ ।
ଅଧ୍ୟୟନର ଫଳାଫଳ : ନାରୀମାନଙ୍କୁ ସାଧାରଣତଃ ରହସ୍ୟମୟୀ ବୋଲି କୁହାଯାଇଥାଏ । କିନ୍ତୁ ବାସ୍ତବରେ ଠିକ୍ କି ଭୁଲ ତାହା ଗବେଷଣା ସାପେକ୍ଷ । ତେବେ ସେମାନଙ୍କ ଗୁଣାବଳୀରେ ଅନେକ ରହସ୍ୟ ଖୁନ୍ଦିରୁନ୍ଧି ହୋଇ ରହିଛି ବୋଲି ବହୁ ପ୍ରମାଣିତ । ଏହି ତଥ୍ୟକୁ ଆଧାର କରି ଆମେରିକାର ଓହାୟୋ ଷ୍ଟେଟ୍ ୟୁନିଭର୍ସିଟି ପକ୍ଷରୁ ଏକ ଅଧ୍ୟୟନ କରାଯାଇଥିଲା । ଷ୍ଟେଟ୍ ୟୁନିଭରର୍ସିଟିର ଏକ୍ସପର୍ଟମାନେ ଏହି ଗବେଷଣାକୁ ଫଳପ୍ରଦ କରିବା ପାଇଁ ଦୁଇ ଜେନେରେସନର ମହିଳାଙ୍କୁ ସାମିଲ କରିଥିଲେ ।
ଏହାବ୍ୟତୀତ, ସେହି ମହିଳାମାନଙ୍କର ବିଭିନ୍ନ ବୟସର ପିଲା, ବିଶେଷକରି ଝିଅମାନଙ୍କୁ ସାମିଲ୍ କରିଥିଲେ । ଏକାଧିକ ବର୍ଷଧରି ଗବେଷଣା କରାଯାଇଥିଲା । ଦେଖାଯାଇଥିଲା ଯେ, ଝିଅମାନେ ସିଧାସଳଖ ମା’ଙ୍କର ଗୁଣାବଳୀକୁ ଗ୍ରହଣ କରି ନେଉଛନ୍ତି, ଯାହା ପୁଅମାନଙ୍କ କ୍ଷେତ୍ରରେ ହେଉନାହିଁ । ସେହିଭଳି ଗବେଷକମାନେ ମା’ମାନଙ୍କୁ ଅନେକ କାମ କରାଇଥିଲେ ଆଉ ଝିଅମାନଙ୍କ କ୍ଷେତ୍ରରେ ତାହାର କିଭଳି ପ୍ରଭାବ ପଡ଼ୁଛି ସେକଥା ଦେଖିବାର ପ୍ରୟାସ କରିଥିଲେ । ଶେଷରେ ସେମାନଙ୍କର ଧାରଣା ସତ୍ୟ ପ୍ରତିପାଦିତ ହୋଇଥିଲା ।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏଥିପାଇଁ ଜିନ୍କୁ ହିଁ ଦାୟୀ କରାଯାଇପାରିବ । କାରଣ ଜିନ୍ର ପ୍ରଭାବ ସମଲିଙ୍ଗୀଙ୍କ ଉପରେ ସର୍ବାଧିକ ପଡ଼ିଥାଏ । ବାୟୋଲୋଜିକାଲ ବିଶ୍ଲେଷଣରୁ ଜଣାପଡ଼େ ଯେ, ମହିଳାଙ୍କ ନିକଟରେ ସମଗୁଣର ଦୁଇଟି ଜିନ୍ ଥାଏ ଯାହାକୁ ପ୍ରାଣୀବିଜ୍ଞାନୀମାନେ ଇଂରାଜୀର “ଏକ୍ସ’ ଅକ୍ଷର ବୋଲି ନାମିତ କରିଥାନ୍ତି ।
ଅର୍ଥାତ୍ ଏକ୍ସ ଏକ୍ସ । ସେହି ଅନୁଯାୟୀ ଦୁଇ ମହିଳାଙ୍କ ମଧ୍ୟରେ ଅନେକ ମାନସିକ ସାମଞ୍ଜସ୍ୟ ମିଳି ପାରିଥାଏ । ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ମା’ ଠାରୁ ଜିନ୍ ବାଟଦେଇ ଝିଅ ନିକଟକୁ ଅନେକ ଗୁଣ ଆସିବା ସ୍ୱାଭାବିକ । ଏହାକୁ ଆମେ ସାଧାରଣତଃ “ସହଜାତ ଗୁଣ’ ବୋଲି କହିଥାଉ । ଏହି ସହଜାତ ଗୁଣଗୁଡ଼ିକ ବୟସର କ୍ରମାନୁସାରେ ଆପଣାଛାଏଁ ଜଣକ ନିକଟରେ ଆତ୍ମ ପ୍ରକାଶ ହୋଇଥାଏ । ସେଥିପାଇଁ ଗ୍ରାମାଞ୍ଚଳରେ ବେଳେବେଳେ କୁହାଯାଏ – ମା’ ଗୁଣେ ଝିଅ, ବାପ ଗୁଣେ ପୁଅ । ଅବଶ୍ୟ ଅନେକ କ୍ଷେତ୍ରରେ ଏହାର ବିରୋଧାଭାସ ଦେଖାଯାଏ । ଅର୍ଥାତ୍ ଝିଅଟିଏ ନିକଟରେ ମା’ର ସବୁ ଗୁଣ ପ୍ରକଟିତ ହୋଇନପାରେ । କିନ୍ତୁ ଭଲ ଭାବରେ ଧ୍ୟାନ ଦେଲେ ଅନେକ କ୍ଷେତ୍ରରେ ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ । ମା’ଙ୍କଠୁ ଝିଅ ଶିଖିବାର ଗୁଣଟି ପିଢ଼ି କ୍ରମରେ ପୁନରାବୃତ୍ତି ହୋଇଥାଏ ।
ଏହା ପୁନରାବୃତ୍ତି ହୋଇଥାଏ – ଅର୍ଥାତ୍ ମା’ଠୁ ଝିଅ ପାଖକୁ ଯେଉଁଗୁଣ ଆସିଥାଏ ସେହି ଗୁଣଟିକୁ ମା’ ତାଙ୍କର ମା’ଠାରୁ ହିଁ ଶିଖିଥାନ୍ତି । ଠିକ୍ ସେହିଭଳି ଝିଅଟିଏ ତା ମା ଠାରୁ ଯେଉଁଗୁଣ ଶିଖିଥାଏ ବା ହାସଲ କରିଥାଏ ସେହିଗୁଣକୁ ତାର ଝିଅ ତା’ଠାରୁ ଗ୍ରହଣ କରି ନେଇଥାଏ । ଏହା ଏକ ଜୈବିକ ବାଧାପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ । ଜିନ୍ର ଏହି ପ୍ରକ୍ରିୟା କେବେ ବି ବାଧାପ୍ରାପ୍ତ ହୋଇନଥାଏ । ଏକାଧିକ ଝିଅ ଥିଲେ ହୁଏତ ସମସ୍ତଙ୍କ ନିକଟକୁ ମା’ର ଗୁଣଟି ସଞ୍ଚରିତ ହୋଇଯାଏ । ମା’ ଏବଂ ଝିଅଙ୍କ ମଧ୍ୟରେ ଏଭଳି ଜିନ୍ଗତ ବୁଝାମଣା ରହିଥିବା ବେଳେ ବାପ ଏବଂ ପୁଅଙ୍କ ମଧ୍ୟରେ ବି କିଛି ପରିମାଣରେ ଜିନଗତ ବୁଝାମଣା ରହିଥିବା ଅନୁମାନ କରାଯାଏ । ତେବେ ଏହାକୁ ନେଇ ଅଧ୍ୟୟନ କିମ୍ବା ଗବେଷଣା ହୋଇନାହିଁ । କିନ୍ତୁ ଅନେକ କ୍ଷେତ୍ରରେ ଦେଖିବାକୁ ମିଳେ ଯେ, ବାପାର ଅନେକ ଗୁଣ ପୁଅ କ୍ଷେତ୍ରରେ ପ୍ରତିଫଳିତ ହୋଇଥାଏ । ତେବେ ପୁଅଟିଏ ପ୍ରାପ୍ତ ବୟସ୍କ ହେବା ପରେ ହିଁ ପୁଅଟି ନିକଟରେ ବାପାଙ୍କର କିଛି ଗୁଣ ଠାବ କରାଯାଇପାରେ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି ।