ଭୁବନେଶ୍ୱର,(ନି.ପ୍ର): ଘରଭଡା ମାଗିବାରୁ ରାଗ ରଖି ନିଶାସକ୍ତ ଅବସ୍ଥାରେ ଘର ମାଲିକଙ୍କ ତିନୋଟି ଗାଡି ପୋଡି ଦେବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ଯୁବକକୁ ଶୁକ୍ରବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ଜଗତସିଂହାପୁର ବାଲିକୁଦାର ପ୍ରଦୀପ୍ତ କୁମାର ସ୍ୱାଇଁ(୨୭) । ସେ ଏଠାରେ ଲକ୍ଷ୍ମରସାଗର ଥାନା ଅନ୍ତର୍ଗତ ବୋମିଖାଲ୍ରେ ମଥୁରା ନନ୍ଦ ଭୂୟାଁଙ୍କ ଘରେ ଭଡାରେ ରହୁଥିଲେ ।
କରୋନା ଯୋଗୁଁ ଜୀବିକା ହରାଇଥିବାରୁ ପ୍ରଦୀପ୍ତ ତିନି ମାସ ହେଲା ଘର ଭଡା ଦେଇନଥିଲେ । ମଥୁରା ତାଙ୍କୁ ଘର ଭଡା ମାଗିବାରୁ ପ୍ରଦୀପ୍ତ ତାଙ୍କ ସହ ବଚସା କରିଥିଲେ । ପରେ ଗତ ୧୯ ତାରିଖ ରାତିରେ ପ୍ରଦୀପ୍ତ ଅତ୍ୟଧିକ ମଦ୍ୟାପନ କରି ନିଶାସକ୍ତ ଅବସ୍ଥାରେ ମଥୁରାଙ୍କ ତିନୋଟି ବାଇକ୍କୁ ପୋଡି ଦେଇ ଫେରାର ହୋଇଯାଇଥିଲେ । ଏ ନେଇ ମଥୁରା ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଖୋଜା ଖୋଜି କରିବାପରେ ଶୁକ୍ରବାର ସକାଳୁ ଭୁବନେଶ୍ୱରରୁ ଅଭିଯୁକ୍ତ ପ୍ରଦୀପ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ୍ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।