ଟୋକିଓ, ୮ା୯ (ଏଜେନ୍ସି) : କରୋନା ମହାମାରୀ ସମଗ୍ର କ୍ରୀଡ଼ା ଜଗତକୁ ପ୍ରଭାବିତ କରିଛି । ଯଦ୍ୱାରା ବିଗତ ୬ମାସ ହେବ ବିଶ୍ୱର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ବାତିଲ କିମ୍ବା ସ୍ଥଗିତ ରହିଛି । ଗତ ଜୁଲାଇ ମାସରୁ ଫୁଟ୍ବଲ, କ୍ରିକେଟ୍, ଟେନିସ୍, ହକି ଭଳି କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି । କିନ୍ତୁ ପୂର୍ଣ୍ଣକାଳୀନ ହୋଇପାରି ନାହିଁ । ସବୁ ଖେଳାଳି ବାୟୋ ସୁରକ୍ଷିତ ବବଲ୍ରେ ରହି ମ୍ୟାଚ୍ ଖେଳୁଛନ୍ତି । ଷ୍ଟାଡିୟମ୍ ଗ୍ୟାଲେରୀ ଫାଙ୍କା ପଡ଼ିଛି । ବିନା ଦର୍ଶକରେ କ୍ରୀଡ଼ା ପ୍ରତିଯୋଗିତାର ମହତ୍ୱ କମି ଯାଉଛି । କରୋନା ପରିସ୍ଥିତି ସ୍ୱାଭାବିକ ହେବା ପାଇଁ ବେଶ୍ କିଛିଦିନ ସମୟ ଲାଗିପାରେ । ଏହାସତ୍ତେ୍ୱ ଗୋଟିଏ ବର୍ଷ ଆଗକୁ ଘୁଞ୍ଚିଥିବା ଟୋକିଓ ଅଲିମ୍ପିକ୍ସ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆୟୋଜନ ହେବ ବୋଲି ତଥା ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସଙ୍ଘ ସ୍ପଷ୍ଟ କରିଛି । ଅଲିମ୍ପିକ୍ସ କମିଟି ତଥା ଜାପାନର ଆୟୋଜକମାନେ ଜନସାଧାରଣଙ୍କୁ ଆଶ୍ୱାସନା ଦେବାକୁ ଚେଷ୍ଟା କରୁଛନ୍ତି । କାରଣ ନିକଟରେ ହୋଇଥିବା ସର୍ଭେ ଅନୁଯାୟୀ ଜାପାନର ପାଖାପାଖି ୫୫% ଜନସାଧାରଣ ଟୋକିଓ ଅଲିମ୍ପିକ୍ସ ବାତିଲ ସପକ୍ଷରେ ମତାମତ ଦେଇଥିଲେ । ଏହାସତ୍ତେ୍ୱ ଆଇଓସି କୌଣସି ପରିସ୍ଥିତିରେ ଅଲିମ୍ପିକ୍ସ ମହାକୁମ୍ଭକୁ ବାତିଲ କରିବ ନାହିଁ ବୋଲି ସ୍ପଷ୍ଟ କରିଛି ।