ନୂଆଦିଲ୍ଲୀ : ଯୁଦ୍ଧର ଆତଙ୍କ ଭିତରେ ଥିବା ୟୁକ୍ରେନରୁ ଭାରତ ଆସିବାକୁ ବିମାନ ମିଳୁନି। ଏହି ଖବର ପ୍ରଘଟ ହେବାପରେ ୟୁକ୍ରେନ୍ରେ ରହୁଥିବା ଭାରତୀୟ ନାଗରିକ ଖୁବ୍ ଭୟରେ ଅଛନ୍ତି। ତେବେ ଭାରତୀୟମାନେ ଆଦୌ ଭୟ ନକରିବାପାଇଁ ୟୁକ୍ରେନ୍ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ଭାରତୀୟ ଦୂତାବାସ ପକ୍ଷରୁ ବୁଧବାର ଦିନ ଏକ ଟ୍ବିଟ୍ କରି ଏହା କୁହାଯାଇଛି ଯେ ଲୋକମାନେ ବିମାନ ଟିକେଟ୍ ପାଉନଥିବା ଖବର ସଂକ୍ରାନ୍ତରେ ଆମେ ସଚେତନ ଅଛୁ । ୟୁକ୍ରେନରୁ ଅଧିକ ବିମାନ ବ୍ୟବସ୍ଥା କରିବାପାଇଁ ଯୋଜନା କରାଯାଉଛି ଏବଂ ଭାରତୀୟମାନେ ଆଦୌ ଭୟ ନକରିବାପାଇଁ କୁହାଯାଇଛି। କିନ୍ତୁ କେବେଠାରୁ ଅଧିକ ବିମାନ ଉଡ଼ିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି।
ଖୁବ୍ଶୀଘ୍ର ୟୁକ୍ରେନ୍ରୁ ଭାରତକୁ ଅଧିକ ବିମାନ ଉଡ଼ାଣ କରିବ ବୋଲି ଦୂତାବାସ ପକ୍ଷରୁ ଜାରି ବୟାନରେ କୁହାଯାଇଛି। । ୟୁକ୍ରେନରେ ଭାରତୀୟଙ୍କ ସମସ୍ୟା ଶୁଣିବାପାଇଁ ଦୂତାବାସରେ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା କରାଯାଇଛି। ଭାରତୀୟ ଦୂତାବାସ ସ୍ବାଭାବିକ ଭାବେ କାମ କରୁଛି ଏବଂ ସମସ୍ତ ସୁବିଧା ଉପଲବ୍ଧ ଅଛି। ୟୁକ୍ରେନ୍ ସ୍ଥିତ ଭାରତୀୟ ଦୂତାବାସରେ ୨୪ ଘଣ୍ଟିଆ ହେଲ୍ପଲାଇନ୍ ପ୍ରତିଷ୍ଠା ହୋଇଛି ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି।
ୟୁକ୍ରେନ୍ରେ ବ୍ୟାପକ ସାଇବର ଆକ୍ରମଣ, ରୁଷ୍ କହିଲା କୌଣସି ସମ୍ପୃକ୍ତି ନାହିଁ
କିବ୍ : ସମ୍ଭାବ୍ୟ ରୁଷ୍ ଆକ୍ରମଣ ଆତଙ୍କ ମଧ୍ୟରେ ଆଜି ୟୁକ୍ରେନ୍ର ପ୍ରତିରକ୍ଷା ମନ୍ତ୍ରାଳୟ, ସେନାବାହିନୀ ଏବଂ ୨ଟି ବ୍ୟାଙ୍କ୍ରେ ସିରିଜ୍ ସାଇବର୍ ଆକ୍ରମଣ ହୋଇଛି। ସାଇବର୍ ଆକ୍ରମଣ ପାଇଁ ଅତି କମ୍ରେ ୧୦ଟି ୟୁକ୍ରେନ୍ ୱେବସାଇଟ୍ ଅଫଲାଇନ୍ ହୋଇ ଯାଇଥିବା ଜଣାପଡ଼ିଛି। ୟୁକ୍ରେନ୍ର ପ୍ରତିରକ୍ଷା, ବିଦେଶ ଏବଂ ସଂସ୍କୃତି ମନ୍ତ୍ରାଳୟ ସମେତ ୨ଟି ବଡ଼ ବ୍ୟାଙ୍କ୍ ବି ସାଇବର୍ ଆକ୍ରମଣର ଶିକାର ହୋଇଛି। ଏହାଦ୍ବାରା ୱେବସାଇଟ୍ଗୁଡ଼ିକ ଅଚଳ ହୋଇଯାଇଥିଲା। ୟୁକ୍ରେନ୍ ଏଥିପାଇଁ ପ୍ରତ୍ୟକ୍ଷ ଭାବେ କାହାକୁ ଦାୟୀ କରିନଥିଲେ ବି ପରୋକ୍ଷ ଭାବେ ଏହି ଆକ୍ରମଣରେ ରୁଷ୍ର ହାତ ଅଛି ବୋଲି ଏହା ଇଙ୍ଗିତ କରିଛି। ଅନ୍ୟପକ୍ଷେ ରୁଷ୍ ଏହି ସାଇବର ଆକ୍ରମଣ ଘଟଣାରେ ଆଦୌ ସମ୍ପୃକ୍ତି ନାହିଁ ବୋଲି ସ୍ପଷ୍ଟ କରିଛି। କ୍ରେମଲିନ ମୁଖପାତ୍ର ଡିମିତ୍ରି ପେସକଭ କହିଛନ୍ତି, ଆମେ ଏହି ସାଇବର୍ ଆକ୍ରମଣ ସଂକ୍ରାନ୍ତରେ କିଛି ଜାଣିନାହୁଁ। ୟୁକ୍ରେନ୍ ଲଗାତାର ଭାବେ ସବୁ କାରଣ ପାଇଁ ରୁଷ୍କୁ ଦାୟୀ କରୁଛି। କିନ୍ତୁ ରୁଷ୍ର ଏହି ସାଇବର୍ ଆକ୍ରମଣ ଘଟଣାରେ କୌଣସି ସମ୍ପୃକ୍ତି ନାହିଁ ବୋଲି ସେ କହିଛନ୍ତି।