ଉଦୟଗିରି : ବଡଚଣା ବ୍ଲକ ରେ ବିରୂପା, ଗେଙ୍ଗୁଟି ଓ କେଲୁଅ ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାର ପ୍ରକୋପ କମିବାରେ ଲାଗିଛି । କେତେକ ତଳିଆ ଅଞ୍ଚଳକୁ ଛାଡିଦେଲେ ଅନ୍ୟସ୍ଥାନରେ ବନ୍ୟାପାଣି କମିଛି । ତେବେ ଏବେବି ଅନେକ ଲୋକ ଜଳବନ୍ଦି ଭାବେ ଜୀବନ ବିତାଉଛନ୍ତି । ଯେଉଁ ସବୁ ଅଞ୍ଚଳରୁ ବନ୍ୟାଜଳ ଛାଡି ଯାଇଛି ସେଠାରେ ବିପନ୍ନ ମାନେ ଏବେ ଘରସଜାଡିବାରେ ବ୍ୟସ୍ତ । ବନ୍ୟାଜଳ ଘରେ ପଶି ଘର ଭିତରେ ସବୁ ଏକ ଫୁଟ ର ପଟୁ ବସିଯାଇଛି କଚ୍ଚାଘର ସବୁ ଭାଙ୍ଗିଯାଇଛି । ତେବେ ବନ୍ୟାଞ୍ଚଳରେ ଅନେକ ସ୍ଥାନରେ ବିଦ୍ୟୁତ ସେବା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି ।
ସେହିପରି ବନ୍ୟା ଛାଡିଯିବା ପରେ ଏବେ ପାନୀୟ ଜଳ ପାଇଁ ବେଶ ଛଟପଟ ହେଉଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ଗ୍ରାମର ନଳକୂପ ଓ କୂଅ ସବୁ ବୁଡିଯାଇଥିବା ବେଳେ ଏବେ ଦୁଷିତ ପାଣି ଲୋକମାନଙ୍କ ଏକ ମାତ୍ର ଭରଷା । ଏପରି ସ୍ଥଳରେ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଏସବୁର ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ ଦାବି ହୋଇଛି ।
ସେହିପରି ଏହି ବନ୍ୟାରେ ନିଜ ବାସଗୃହ ହରାଇଥିବା ଅନେକ ପରିବାର ଏବେବି ଉଚ୍ଚାସ୍ଥାନରେ ଆଶ୍ରୟ ନେଇଛନ୍ତି । ତେବେ ଏହି ବ୍ଲକର ବେଙ୍ଗପୁର, ଫକିରମିଆଁପାଟଣା, ଭାପୁର ଆଦି ଗ୍ରାମ ଏବେବି ଜଳବନ୍ଦି ରହିଛି । ଏହି ବନ୍ୟାରେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ରହିଛି । ଶହ ଶହ ହେକ୍ଟର ଜମିରେ ପନିପରିବା ଫସଲ ସମ୍ପୁର୍ଣ୍ଣ ନଷ୍ଟହୋଇଯାଇଛି । ତେବେ ରବିବାର ମୁଷାଟିକିରି ଗ୍ରାମର ଅମିତ ଦାସ(୧୯) ଓ ସାଉଡିଆ ଗ୍ରାମର କନ୍ଦ ମଳିକ (୬୫) ନଦୀ ସୋ୍ରତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ ମାତ୍ର ଆଜି କନ୍ଦ ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଅମିତ ଙ୍କର ପତ୍ତାମିଳିନାହିଁ ।
