ବନ୍ତଳା: ଅନୁଗୁଳ ଜିଲ୍ଲାର ସାତକୋଶିଆ ରେ ଆରମ୍ଭ ହୋଇଥିବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ୨୦୧୯ ମସିହା ଜାନୁୟାରୀ ୨୭ ତାରିଖରେ ଶିମିଳିପାଳ ଅଭୟାରଣ୍ୟରୁ ୨ କୁମୁକି ହାତୀ ମହେନ୍ଦ୍ର ଓ ରାଜକୁମାରକୁ ଅଣାଯାଇଥିଲା । ହାତୀର ସାହାଯ୍ୟରେ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯାଇଥିଲା । ଟ୍ରାଙ୍କୁଲାଇଜ ପରେ ବାଘୁଣୀର ଗତିବିଧିକୁ ନଜର ରଖିବା ସହ କାଠ ମାଫିଆ ମାନଙ୍କୁ ସାତକୋଶିଆ ଜଙ୍ଗଲ ମଧ୍ୟରେ ଧରିବାକୁ ହାତୀ ଦ୍ୱୟକୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥିଲା । ଇତି ମଧ୍ୟରେ ପ୍ରାୟ ଦେଢ଼ ବର୍ଷ ବିତିଯାଇଛି । କିନ୍ତୁ ଗତ କାଲି ସକାଳେ ଟିକରପଡାରୁ ଛୁଟକେୟୀ ଛୁଆରିଦେଇ ହାତୀ ଦ୍ୱୟକୁ ରାଇଗୁଡା ନିଆଯାଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଗତ ୧ ବର୍ଷରୁ ଅଧିକ ସମୟ ହେବ ୨ ହାତୀକୁ ସାତକୋଶିଆ ବନ ବିଭାଗ ଟିକରପଡା ହାତୀଶାଳରେ ବାନ୍ଧି ରଖିଥିଲେ ।
ଏହି ସମୟରେ ହାତୀ ୨ଟିକୁ ଗହମ, ମାଣ୍ଡିଆ, ମକା, ଧାନ, ବରଡାଳ ଓ କୋଳଥ ଏବଂ ପାଣି ପିଇବାକୁ ଦିଆଯାଉଥିଲା । କିନ୍ତୁ ଲକ୍ ଡାଉନ୍ ପାଇଁ ହାତୀଙ୍କ ଖାଦ୍ୟ ନ ପହଚିଂବା ଯୋଗୁଁ ବାଧ୍ୟ ହୋଇ ବନ ବିଭାଗ ଗତ କାଲି ହାତୀ ୨ଟିକୁ ଟିକରପଡାରୁ ରାଇଗୁଡାକୁ ସ୍ଥାନାନ୍ତରିତ କରିଛନ୍ତି । ୪ ଜଣ ମହନ୍ତ ଓ ୧୦ ଜଣ ବନ କର୍ମଚାରୀଙ୍କ ସହାୟତାରେ ରାଇଗୁଡା ନିଆଯାଇଥିଲା । ସେଠାରେ ମହେନ୍ଦ୍ର ଓ ରାଜକୁମାରଙ୍କୁ ପ୍ରଶିକ୍ଷଣ ଦିଆଯିବ । ବନ ବିଭାଗ ତରଫରୁ ଜଙ୍ଗଲରେ ବୁଲାଯିବା ସହିତ ପେଟ୍ରୋଲିଂରେ ମଧ୍ୟ ସାମିଲ କରାଯିବ । ଏହି ସମୟରେ ସେମାନଙ୍କୁ ପ୍ରଚୁର ପରିମାଣରେ ଖାଦ୍ୟ ଏବଂ ଜଳ ମଧ୍ୟ ଦିଆଯିବାର ଯୋଜନା ରହିଛି । ମହେନ୍ଦ୍ରର ବୟସ ୫୫ ବର୍ଷ ହୋଇଥିବାରୁ ସେ ଏବେ ଅସୁସ୍ଥ ଅନୁଭବ କରୁଛି । ରାଜକୁମାର ସମ୍ପୁର୍ଣ୍ଣ ସୁସ୍ଥ ଅଛି । କିନ୍ତୁ ରାଇଗୁଡାରେ କେତେ ଦିନଚ ରଖାଯିବ ତାହା ଜଣାପଡି ନାହିଁ ବୋଲି ବନ ବିଭାଗ କର୍ମଚାରୀଙ୍କ ସୂତ୍ରରୁ ପ୍ରକାଶ ।