ସୌଭାଗ୍ୟବତୀ ଗିରି : ଆଜି ଆମେ କରୋନା ଭଳି ଏକ ସଂକଟ ଦେଇ ଗତି କରୁଛୁ l ଯେଉଁ ସଂକଟ ପାଇଁ ସମସ୍ତେ ବ୍ୟସ୍ତ ହେଇ ପଡିଛନ୍ତି l ଆଜି ସାରା ବିଶ୍ୱ ଦୋହଲୁଛି ଏଇ କରୋନା ପାଇଁ l କିନ୍ତୁ ଆମେ କେବେ ଭାବିଛେ କି ଯେ କରୋନାଠୁ ବି ଆହୁରି ବଡ ସଂକଟ ଦେଇ ଆମେ ଗତି କରୁଛୁ l ଯାହାପ୍ରତି ଆମର ଧ୍ୟାନ ବିଲକୁଲ୍ ବି ନାହିଁ l ଆଉ ଏଇ ସଂକଟ କରୋନା ଠାରୁ ବି କାହିଁ କେତେ ଗୁଣ ଅଧିକ କ୍ଷତି କରି ଚାଲିଛି ଆମର l ସେଇଟା ହେଲା ପରିବେଶୀୟ ସଂକଟ l ଆମ ପରିବେଶ ଉପରେ ଗଭୀର ସଂକଟ ପଡିଛି l ବଞ୍ଚିବା ପାଇଁ ନା ଅଛି ବିଶୁଦ୍ଧ ବାୟୁ ନା ଅଛି ବିଶୁଦ୍ଧ ପାନୀୟଜଳ l ଆଜି ପୂରା ପରିବେଶ ବିଷମୟ l ଜଳ,ବାୟୁ,ମୃତ୍ତିକା ସବୁ କିଛି ପ୍ରଦୂଷିତ l ଏମିତି ସଂକଟରୁ ବାହାରିବା ଅସମ୍ଭବ ତ ନୁହେଁ କିନ୍ତୁ ଅତ୍ୟନ୍ତ କଷ୍ଟକର l କାରଣ ନିର୍ଦ୍ଦିଷ୍ଟ କେତେଜଣ ଲୋକ ଓ ପରିବେଶବିତ୍ ମାନଙ୍କୁ ଛାଡି ଦେଲେ ଆଉ କେହି ବି ଏହାର ଭୟାବହ ଦିଗ ବିଷୟରେ ଚିନ୍ତା କରୁନାହାଁନ୍ତି l
ଆମ ଜୀବନକୁ ସରସ ସୁନ୍ଦର କରିବା ପାଇଁ ସୃଷ୍ଟିକର୍ତ୍ତା ତାଙ୍କ ସୁକୋମଳ କରସ୍ପର୍ଶ ଦେଇ ଗଢିଥିଲେ ପ୍ରକୃତିକୁ l ପ୍ରକୃତି ବି ମଣିଷକୁ ପ୍ରତି ମୁହୁର୍ତ୍ତରେ ତାର ନୈସର୍ଗିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ସୁଯୋଗ ଦେଇ ଚାଲିଛି l ପ୍ରକୃତିର କୋଳରେ ହିଁ ଖେଳିବୁଲି ମଣିଷ ବଡ ହେଉଛି l କିନ୍ତୁ ମଣିଷ ପ୍ରକୃତି ସହିତ ସବୁଦିନ ଅନ୍ୟାୟ କରି ଚାଲିଛି l ପ୍ରକୃତି ଠାରୁ ସବୁ ସୁବିଧାସୁଯୋଗ ପାଇ ବି ମଣିଷ ଆଜି ସାଜିଛି ବିଶ୍ୱାସଘାତକ l ପରିବେଶକୁ ସଂକଟ ମୁହଁକୁ ଟାଣି ଆଣିବା ପାଇଁ ମୂଖ୍ୟତ: ବାୟୁ ପ୍ରଦୂଷଣ,ଜନସଂଖ୍ୟା ବିସ୍ଫୋରଣ,ଜଙ୍ଗଲକ୍ଷୟ,ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ୍ ୱାର୍ମିଙ୍ଗ୍ ହିଁ ଦାୟୀ lକିନ୍ତୁ ଏ ସବୁଗୁଡିକର ଜନ୍ମଦାତା ହେଉଛି ମଣିଷ l ବାୟୁ ପ୍ରଦୂଷଣରେ ଭାରତ ଆଜି ବହୁ ଆଗରେ l ଶ୍ୱାସକ୍ରିୟା ପାଇଁ ଶୁଦ୍ଧ ଅମ୍ଳଜାନ ଟିକେ ବି ମିଳୁନାହିଁ l ଗ୍ଲୋବାଲ୍ ୱାର୍ମିଂ ଅନ୍ୟ ଏକ ବଡ ସଂକଟ l ଜନସଂଖ୍ୟା ବୃଦ୍ଧି ଯୋଗୁ ବର୍ଦ୍ଧିତ ଜନସଂଖ୍ୟାକୁ ଖାଦ୍ୟପେୟ ଯୋଗାଇବା ଏକ ଆହ୍ୱାନ ହୋଇଗଲାଣି l
ଜନସଂଖ୍ୟା ହୁହୁ ହେଇ ବଢି ଚାଲିଥିବାରୁ ଅବ୍ୟବସ୍ଥା ବ୍ୟାପୁଛି l ବିଭିନ୍ନ ସୁବିଧାସୁଯୋଗ କମ୍ ପଢୁଛି ଓ ତା’ର ଭରଣା କରିବା ପାଇଁ ମଣିଷ ପ୍ରକୃତିକୁ ପ୍ରତି ମୁହୁର୍ତ୍ତରେ ନଷ୍ଟ କରି ଚାଲିଛି l ଅବଶ୍ୟ ମଙ୍ଗୋଲିଆ,ମରୀଟେନିୟା,ଗ୍ରୀନଲ୍ୟାଣ୍ ଡ୍,ଅଷ୍ଟ୍ରେଲିଆ ଭଳି କେତେକ ଦେଶ ନିଜ ଜନସଂଖ୍ୟାକୁ ନିୟନ୍ତ୍ରଣରେ ରଖିବାରେ ସକ୍ଷମ ହୋଇ ପାରିଛନ୍ତି l ମଣିଷ ଏବେ ଯାଏଁ ବି ବୃକ୍ଷରୋପଣର ମହତ୍ତ୍ୱ ବୁଝିନାହିଁ l ଅନାୟାସରେ ଗଛ କଟା ଚାଲିଛି l ଜଙ୍ଗଲ ନଷ୍ଟ ହେବା ଦ୍ୱାରା ଅନେକ ଜଙ୍ଗଲୀ ଜୀବଜନ୍ତୁ ନିଜ ବାସସ୍ଥାନ ହରେଇ ସହରାଭିମୂଖୀ ଓ ଗ୍ରାମାଭିମୂଖୀ ହେଉଛନ୍ତି l ଭୁଲ୍ ରେ ବି ଯଦି ସେମାନେ ଜନବସତି ଭିତରକୁ ପଶି ଆସୁଛନ୍ତି ମଣିଷ ସେମାନଙ୍କ ଉପରେ କରୁଛି ଅକଥନୀୟ ଅତ୍ୟାଚାର l ନିକଟରେ ଏକ ଅନ୍ତସତ୍ତ୍ୱା ହାତୀ ସହିତ ହୋଇଥିବା ଅମାନବୀୟ ଘଟଣାରୁ ଜଣାପଡେ ସତରେ ମଣିଷ ଆଉ ମଣିଷ ହେଇ ରହିନାହିଁ l ସବୁ ସୀମାକୁ ଉଲ୍ଲଘଂନ କରି ଯାଇଛି ସେ l ଜଙ୍ଗଲ ନଷ୍ଟ ହେବା ଦ୍ୱାରା ମୃତ୍ତିକା କ୍ଷୟ,ଅମ୍ଳଜାନ ଅଭାବ,ବାୟୁ ପ୍ରଦୂଷଣ,ଅନାବୃଷ୍ଟି,ଜଳବାୟୁରେ ବିରାଟ ପରିବର୍ତ୍ତନ ଭଳି ବିପଦ ଗୁଡିକ ଗୋଟେ ପରେ ଗୋଟେ ଆସି ମିଳିତ ଭାବରେ ଆମ ସାମ୍ନାରେ ବାରମ୍ବାର ଠିଆ ହେଉଛନ୍ତି l
ବିଶ୍ୱର ପ୍ରାୟ ଦେଶ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଅନେକ ପ୍ରୟାସ ଚଳାଇଛନ୍ତି l ପ୍ରକୃତିକୁ ସୁରକ୍ଷା ଦେବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଅନେକ ଦିବସ ପାଳନ କରାଯାଉଛି l ତା ଭିତରୁ ମୂଖ୍ୟ ଦିବସଟି ହେଉଛି ବିଶ୍ୱ ପରିବେଶ ଦିବସ l ଏହି ଦିବସ ପାଳନ United Nations Environment Programme ର ଅନ୍ତର୍ଗତ l ପରିବେଶକୁ ନେଇ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ବୈଠକ ୧୯୭୨ ମସିହା ଜୁନ୍ ମାସ ୫ ତାରିଖରେ ବସିଥିଲା l ପ୍ରଥମ ବିଶ୍ୱ ପରିବେଶ ଦିବସ ୧୯୭୩ ମସିହାରେ ପାଳନ କରାଯାଇଥିଲା l ଏହା ପରଠାରୁ ସାରା ବିଶ୍ୱରେ ପ୍ରତିବର୍ଷ ଜୁନ୍ ମାସ ୫ ତାରିଖ ଦିନ ଏହି ଦିବସ ପାଳନ କରା ଯାଉଅଛି l ପରିବେଶ ରକ୍ଷା କରିବାକୁ ଜନସାଧାରଣଙ୍କୁ ପ୍ରବର୍ତ୍ତେଇବା ଏହି ଦିବସ ପାଳନର ମୂଖ୍ୟ ଉଦ୍ଦେଶ୍ୟ ହେବା କଥା l କିନ୍ତୁ ସେପରି କିଛି ହେବା ଜଣା ପଡୁନି l ବୃକ୍ଷରୋପଣ ବିଷୟରେ କେବଳ ସ୍ଲୋଗାନ୍ ଚାଲିଛି l କିନ୍ତୁ ହେଲେ କ’ଣ ହେବ l ସେଇ ଗୋଟିଏ ଦିନ l ତା’ପର ଦିନ ଯାହାକୁ ପୁଣି ସେୟା l
ଦିବସ ପାଳନ ତା’ ବାଟରେ, ଲୋକଙ୍କ ମାନସିକତା ତା’ ବାଟରେ l ଆଉ ଏ ଦିବସ ପାଳନର ମୂଲ୍ୟ କ’ଣ ରହୁଛି ? ତେଣୁ କେବଳ ଦିବସ ପାଳନ ଉପରେ ଧ୍ୟାନ କେନ୍ଦ୍ରିତ ନ କରାଯାଉ l ଆମେ ସମସ୍ତେ ସଚେତନ ହେବା ଦରକାର l ଭାବିନେବା ଦରକାର ଯେ ପ୍ରତୈକଟି ଦିନ ହେଉଛି ପରିବେଶ ଦିବସ l ଆମେ ପ୍ରଥମେ ବୃକ୍ଷରୋପଣ ପ୍ରତି ଧ୍ୟାନ ଦେବା ଆବଶ୍ୟକ l କାରଣ ଭାରତ ଏକ କୃଷିପ୍ରଧାନ ଦେଶ l ବୃକ୍ଷ କମିବାର ଫଳ ସ୍ୱରୂପ ଜଳବାୟୁ ପ୍ରଭାବିତ ହୋଇ ଅନାବୃଷ୍ଟି ଦେଖାଦେଉଛି l ଯାହାର ସିଧାସଳଖ ପ୍ରଭାବ କୃଷିକାର୍ଯ୍ୟ ଉପରେ ପଡୁଛି l ତା’ ଛଡା ବାୟୁ ପ୍ରଦୂଷଣ ନିୟନ୍ତ୍ରଣର କାର୍ଯ୍ୟ ଅତି ଦ୍ରୁତ ଗତିରେ କରାଯିବା ପାଇଁ ସରକାରଙ୍କ ତରଫରୁ ପଦକ୍ଷେପ ନିଆଯିବା ଉଚିତ୍ l ଜଳ ପ୍ରଦୂଷଣକୁ ରୋକାଯିବା ଦରକାର l ଗୋଟିଏ ବାକ୍ଯରେ କହିଲେ ପ୍ରକୃତି ର ସୁରକ୍ଷା ପାଇଁ ପ୍ରତୈକ ଲୋକ କିଛି କିଛି ସମୟ ବାହାର କରି କାର୍ଯ୍ଯ କରିବା ଦରକାର l
ଯେଉଁ ସଭ୍ୟତା ନିଜ ସୁରକ୍ଷା ଉପରେ ଧ୍ୟାନକେନ୍ଦ୍ରିତ କରି ସତର୍କ ନଥାଏ ବା ଦୂରଦୃଷ୍ଟି ନ ଦେଇ ସବୁକଥାକୁ ହାଲୁକା ଭାବେ ନେଉଥାଏ ସେପରି ସଭ୍ୟତା ଧରିତ୍ରୀ ମାତା ଗର୍ଭରେ ଲୀନ ହେଇ ଯାଇଥିବାର ଅନେକ ଉଦାହରଣ ଆମ ପାଖରେ ଅଛି l ତେଣୁ ବେଳହୁଁ ଅତିଶୀଘ୍ର ସାବଧାନ ହେଇଯିବାଟା ଆମ ସମସ୍ତଙ୍କ ପାଇଁ ମଙ୍ଗଳ ହେବ l