ତିହିଡି, : .ତିହିଡି ଥାନା ଅନ୍ତର୍ଗତ ଶଂଖିଡା ଗାଁ ରାସ୍ତା ଦେଇ ଯାଉଥିବା ଏକ ଗୋରୁ ବୋଝେଇ ଟାଟା ଏସିଇ ଗାଡି (ନଂ-ଓଆର ୨୮ଏ ୪୯୬୩)କୁ ପୋଲିସ ଜବତ କରିବା ସହ ଏଥିନେଇ ଏକ ମାମଲା ନଂ-୨୨୨/୨୦ ରୁଜୁ କରି ଡ୍ରାଇଭର ଓ ଅନ୍ୟ ଜଣଙ୍କୁ ଗିରଫ କରିଛି । ପ୍ରକାଶ ଯେ, ଆଜି ସକାଳ ପ୍ରାୟ ୮ଟା ସମୟରେ ଶଂଖିଡା ମହାଦେବ ମନ୍ଦିର ନିକଟରେ କିଛି ଯୁବକ ଛିଡା ହୋଇଥିବା ବେଳେ ଉପରୋକ୍ତ ଗାଡିଟି ମନ୍ଦିର ସଂଲଗ୍ନ ରାସ୍ତା ଦେଇ ଆସିଥିଲା ।
ଯୁବକ ମାନେ ଉକ୍ତ ଗାଡିଟିକୁ ଅଟକାଇବା ସହ ସେଥିରେ ଅସୁରକ୍ଷିତ ଓ ବିପଜ୍ଜନକ ଭାବେ ୭ଟି ଗୋରୁ ଥିବାର ଦେଖିବାକୁ ପାଇଥିଲେ । ପରେ ସେମାନେ ଗୋରୁ ସବୁ କାହାର ଓ କୁଆଡେ ଯାଉଛି ବୋଲି ଡ୍ରାଇଭରକୁ ପଚାରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ । ଫଳରେ ଗାଁ ଲୋକ ଏଥିରେ ସନେ୍ଦହ ପ୍ରକଟ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଗାଡିଟିକୁ ଥାନାକୁ ନେଇଥିଲେ । ଗାଡିର ଡ୍ରାଇଭର ବରୁଣ ଦାସ ଓ ଗାଡିକୁ ବାଟ କଢେଇ ନେଉଥିବା ଅଂଶୁବୁଦ୍ଦିନ ଶାହକୁ ଗିରଫ କରାଯାଇଥିବା ପୋଲିସ ସୂତ୍ରରୁ ଜଣାଯାଇଛି ।